ନ୍ୟାଟ୍‌ୱେଷ୍ଟ୍‌ ଫାଇନାଲ୍‌ ଜିତିବା ପରେ ଆମେ ବାଟ ହୁଡ଼ି ଯାଇଥିଲୁ: ଗାଙ୍ଗୁଲି

କୋଲ୍‌କାତା: କେନିଆରେ ୨୦୦୨ ଆଇସିସି ନକ୍‌ଆଉଟ୍‌, ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରେ ୨-୧ର ଐତିହାସିକ ବିଜୟ, ୨୦୦୨ ଚାମ୍ପିଅନ୍‌ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା, ଇଂଲଣ୍ଡରେ ୨୦୦୨ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ବିଜୟ, ଦକ୍ଷିଣ ଆଫ୍ରିକାରେ ୨୦୦୩ ବିଶ୍ବକପ୍‌ ଅଭିଯାନ ଏବଂ ୨୦୦୪ରେ ପାକିସ୍ତାନରେ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ବିଜୟ। ପୂର୍ବତନ ଅଧିନାୟକ ତଥା ଏବର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଉଜ୍ବଳମୟ ନେତୃତ୍ବର ଗୋଟିଏ ଗୋଟିଏ ସର୍ବଶ୍ରେଷ୍ଠ ଉଦାହରଣ। ଜଣେ ଅଧିନାୟକ ଭାବେ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ ଦଳକୁ ଏପରି ଉଚ୍ଚସ୍ତରରେ ପହଞ୍ଚାଇପାରିଥିଲେ। ଭାରତୀୟ କ୍ରିକେଟ୍‌କୁ ସଂପୂର୍ଣ୍ଣ ବଦଳାଇ ଦେଇଥିବା ଏହି ଅଧିନାୟକ ବିଶେଷକରି ବିଦେଶରେ ଶୃଙ୍ଖଳା ଜିତିବାର ଆତ୍ମବିଶ୍ବାସ ଦଳରେ ଭରିଦେଇଥିଲେ। ସେହି ଦୃଷ୍ଟିରୁ ଭାରତୀୟ କ୍ରିକେଟ୍‌ରେ ତାଙ୍କୁ ଅନ୍ୟତମ ମହାନ୍‌ ଅଧିନାୟକ ଭାବେ ବିବଚେିତ କରାଯାଏ। ଏତେସବୁ ସଫଳତା ମଧ୍ୟରୁ କେଉଁଟି ତାଙ୍କ ନେତୃତ୍ବର ସର୍ବଶ୍ରେଷ୍ଠ ବୋଲି ବାଛିବା ମଧ୍ୟ ଆଦୌ ସହଜ ନୁହେଁ। ତଥାପି ଗୋଟିକୁ ବାଛିବା ପାଇଁ ତାଙ୍କୁ ପ୍ରଶ୍ନ କରିଥିଲେ ଏବର ଭାରତୀୟ ପ୍ରାରମ୍ଭିକ ଟେ‌ଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ। ‘‘ଦାଦା ଓପନ୍‌ସ ୱିଥ୍‌ ମୟଙ୍କ’’ରେ ଏକ ସାକ୍ଷାତକାରରେ ଗାଙ୍ଗୁଲି ମଧ୍ୟ ମଜାଦାର ଉତ୍ତର ରଖିଥିଲେ। ଆଉ ଏହାର ଏକ ଭିଡିଓକୁ ବିସିସିଆଇ ଟ୍ବିଟର ପୃଷ୍ଠାରେ ସେୟାର କରିଛନ୍ତି।

ବିଶେଷକରି ୨୦୦୨ ନ୍ୟାଟ୍‌ୱେଷ୍ଟ୍‌ ଫାଇନାଲ୍‌ ବିଜୟ ଏବଂ ୨୦୦୩ ବିଶ୍ବକପ୍‌ ଅଭିଯାନ ମଧ୍ୟରୁ ଶ୍ରେଷ୍ଠ ବାଛିବାକୁ ଗାଙ୍ଗୁଲିଙ୍କୁ କହିଥିଲେ ମୟଙ୍କ। ହେଲେ ଉଭୟ ଉଭୟ ସ୍ଥାନରେ ଶ୍ରେଷ୍ଠ ଥିଲା ବୋଲି ଗାଙ୍ଗୁଲି କହିଥିଲେ। ତେବେ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଜିତିବା ପରେ ଆମେ ସମସ୍ତେ ଏତେମାତ୍ରାରେ ଭାବବିହ୍ବଳ ହୋଇପଡ଼ିଥିଲୁ ‌ଯେ ବାଟ ହୁଡ଼ିବାକୁ ବାଧ୍ୟ ହୋଇଥିଲୁ। ଏତେମାତ୍ରାରେ ବିଜୟ ଉତ୍ସବରେ ମାତି ଯାଇଥିଲୁ ଯେ କେହି କାହାରି ଉପରେ ନିୟଂତ୍ରଣ ରଖିପାରିବା ଅସମ୍ଭବ ‌ହୋଇପଡ଼ିଥିଲା। ଫାଇନାଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ସମସ୍ତେ ଖୁସୀରେ ବି ଭୋର ହୋଇଯାଇଥିଲୁ। ଯେଉଁଭଳି ଢଙ୍ଗରେ ଫାଇନାଲ୍‌କୁ ସ୍ମରଣୀୟ କରିଥିଲୁ ଅନ୍ୟ କୌଣସି ବିଜୟ ତା’ଆଗରେ ଫିକା ପଡ଼ିଯିବ ବୋଲି ଗାଙ୍ଗୁଲି କହିଥିଲେ।

ସେଦିନ ଥିଲା ୨୦୦୨ ଜୁଲାଇ ୧୩ ତାରିଖ। ଯେଉଁଦିନ ଗାଙ୍ଗୁଲିଙ୍କ ନେତୃତ୍ବରେ ଏକ ଯୁବ ଦଳ ଜିତିଥିଲା ନ୍ୟଟ୍‌ୱେଷ୍ଟ୍‌ ଟ୍ରଫି ଫାଇନାଲ୍‌। ୩୨୬ ରନ୍‌ର ବିଶାଳ ସ୍କୋର୍‌କୁ ପିଛା କରି ଆମେ ମାତ୍ର ୩ ବଲ୍‌ ପୂର୍ବରୁ ୨ ୱିକେଟ୍‌ ହାତରେ ଥାଇ ବିଜୟ ହାସଲ କରିନେଇଥିଲୁ। ଏକ ସମୟରେ ଦଳ ୧୪୬/୫ରେ ସଂଘର୍ଷ କରିଥିଲା। ହେଲେ ମହମ୍ମଦ କୈଫ୍‌ ଅପରାଜିତ ୮୭ ରନ୍‌ର ଏକ ଅବିସ୍ମରଣୀୟ ପାଳି ଖେଳିଥିଲେ। ଆଉ ତାଙ୍କୁ ଚମତ୍କାର ସହଯୋଗ ଦେଇଥିଲେ ଅଲ୍‌ରାଉଣ୍ଡର ଯୁବରାଜ ସିଂହ। ଯୁବି ମଧ୍ୟ ୬୯ ରନ୍‌ କରିଥିଲେ। ଏହି ଯୋଡ଼ି ୧୨୧ ରନ୍‌ର ଭାଗୀଦାରି ଗଢ଼ି ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ଭାରତକୁ ତା’ର ଅନ୍ୟତମ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ପରେ ଗାଙ୍ଗୁଲି ଏତେମାତ୍ରାରେ ବିହ୍ବଳ ହୋଇପଡ଼ିଥିଲେ ଯେ ଐତିହାସିକ ଲର୍ଡସ୍‌ ବାଲ୍‌କୋନିରୁ ତାଙ୍କ ଟି-ସାର୍ଟକୁ ଖୋଲି ଉଡାଇଥିଲେ। ଆଉ ସେହି ମୁହୂର୍ତ୍ତର ଚିତ୍ର ଏବେ ବି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମନରେ ତାଜା ହୋଇରହିଛି। ବିଜୟ ପରେ ଆମେ ବାଟ ହୁଡ଼ିଯାଇଥିଲୁ। ହେଲେ ତାହା ହିଁ ଖେଳର ଅଂଶବିଶେଷ। ଯେତେବେଳେ ତୁମେ ସେଭଳି ଏକ ମ୍ୟାଚ୍‌ ଜିତ, ତା’ଠୁ ଅଧିକ ଉତ୍ସବ ପାଳନ କର। ମୁଁ ଭାରତୀୟ ଦଳର ଅଂଶବିଶେଷ ରହିଥିବା ସମୟରେ ତାହା ହିଁ ଥିଲା ଅନ୍ୟତମ ମହାନ୍‌ ମ୍ୟାଚ୍‌ ବୋଲି ଗାଙ୍ଗୁଲି ଏହି ସାକ୍ଷାତକାରରେ ମୟଙ୍କଙ୍କୁ କହିଥିଲେ।

ନାଟ୍‌ୱେଷ୍ଟ ଟ୍ରଫି ବିଜୟକୁ ୨୦୦୩ ବିଶ୍ବକପ୍‌ ଫାଇନାଲ୍‌ ସହ ତୁଳନା କରିବା ପାଇଁ ଗାଙ୍ଗୁଲିଙ୍କୁ ମଧ୍ୟ ପଚରାଯାଇଥିଲା। ତେବେ ଉଭୟ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଫା‌ଇନାଲ୍‌ ଓ ବିଶ୍ବକପ୍‌ ଫାଇନାଲ୍‌ ନିଜ ନିଜ ସ୍ଥାନରେ ଶ୍ରେଷ୍ଠ ଥିଲା। ନାଟ୍‌ୱେଷ୍ଟ୍‌ ଟ୍ରଫି ଫା‌ଇନାଲ୍‌ରେ ଆମେ ଇଂଲଣ୍ଡକୁ ପରାସ୍ତ କରିଥିଲୁ। ଇଂଲଣ୍ଡ ମାଟିରେ ବିଜେତା ହେବାରେ ଏକ ଅନ୍ୟ ଆକର୍ଷଣ ଥାଏ। ଷ୍ଟାଡିୟମ୍‌ରେ ଭରପୁର ଦର୍ଶକଙ୍କ ସମ୍ମୁଖରେ ବିଜୟ ସତରେ ସ୍ମରଣୀୟ ବୋଲି କହିଥିଲେ ଗାଙ୍ଗୁଲି। ୨୦୧୯ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ସେହି ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଆଉ ମୁଁ ସେହି ମ୍ୟାଚ୍‌ ବେଳେ ଭାଷ୍ୟକାର ଭାବ‌େ ରହିଥିଲି। ଏହା ମୋ ପାଇଁ ଅବିଶ୍ବସନୀୟ ଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ୨୦୦୩ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିଲା। ଅଷ୍ଟ୍ରେଲିଆ ସେହି ସମୟରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦଳ ଥିଲା। ତା’ ନିକଟରୁ ହାରିଥିବାରୁ ଦୁଃଖ ଅନୁଭବ କରିନଥିଲୁ। ମୁଁ ପୂର୍ବରୁ କହିଥିଲି, ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ ଦଳମାନଙ୍କଠୁ ପ୍ରତି ମ୍ୟାଚ୍‌ ଜିତିବା ସବୁବେଳେ ଶ୍ରେଷ୍ଠ ସଫଳତା ହୋଇ ରହିଥାଏ। ସେହି ବିଶ୍ବକପ୍‌ରେ ମଧ୍ୟ ଆମେ ଅଷ୍ଟ୍ରେଲିଆକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦଳ ତୁଳନାରେ ଆଧିପତ୍ୟ ବିସ୍ତାର କରିଥିଲୁ।

ନିସନ୍ଦେହରେ ସେହି ଅନ୍ୟତମ ମହାନ୍‌ ଅଧିନାୟକ ଗାଙ୍ଗୁଲି ଭାରତକୁ ୧୪୬ ଦିନିକିଆ ଆନ୍ତର୍ଜାତିକରେ ନେତୃତ୍ବ ଦେଇଥିଲେ। ସେମଧ୍ୟରୁ ୭୬ ବିଜୟ ଓ ୬୫ ପରାଜୟ ପାଇଥିଲା ବେଳେ ୫ ମ୍ୟାଚ୍‌ ଫଳାଫଳ ବିହୀନ ଥିଲା। ଅଧିନାୟକ ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ କିନ୍ତୁ ଗାଙ୍ଗୁଲିଙ୍କ ସଫଳତା ହାର ଉନ୍ନତ ଥିଲା। ୪୯ ଟେଷ୍ଟ୍‌ରେ ନେତୃତ୍ବ ନେଇଥିଲା ବେଳେ ଭାରତକୁ ୨୧ ବିଜୟ ଭେଟି ଦେଇଥିଲେ। ୧୩ ଟେଷ୍ଟ୍‌ ହାରିଥିଲା ବେଳେ ୧୫ ଅମୀମାଂସିତ ରହିଥିଲା। ଏହି ଅନ୍ୟତମ ମହାନ୍‌ ତାରକା ମୋଟ ଉପରେ ୧୧୩ ଟେ‌ଷ୍ଟ, ୩୧୧ ଦିନିକିଆ ଆନ୍ତର୍ଜାତିକ ଖେଳିବା ପରେ ୨୦୦୮ରେ ଅବସର ନେଇଯାଇଥିଲେ। ସେ ଟେଷ୍ଟ୍‌ରେ ୭୨୧୨ ଏବଂ ଦିନିକିଆରେ ୧୧୩୬୩ ରନ୍‌ କରିଥିଲେ। ଗାଙ୍ଗୁଲିଙ୍କ ନାମରେ ୨୨ ଦିନିକିଆ ଆନ୍ତର୍ଜାତିକ ଶତକ ରହିଛି ଯାହାକି ସଚିନ୍‌ ତେନ୍ଦୁଲକ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପଛକୁ ଜଣେ ଭାରତୀୟ ଭାବେ ଚତୁର୍ଥ ସର୍ବାଧିକ।

ସମ୍ବନ୍ଧିତ ଖବର