ସ୍ୱର୍ଣ୍ଣ ପାଇଁ ଖେଳିଥିଲୁ; ରୌପ୍ୟରେ ବି ଖୁସି: ଅମିତ୍‌

ଭୁବନେଶ୍ବର, (ସୁରେଶ ସ୍ବାଇଁ): ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ରୌପ୍ୟ ପଦକ ଜିତିବା କିଛି କମ ବଡ଼ ଉପଲବ୍‌ଧି ନଥିଲା। ସମ୍ପ୍ରତି ଭାରତୀୟ ଦଳର ଅବିଛେଦ୍ୟ ଅଙ୍ଗ ପାଲଟିଥିବା ଓଡ଼ିଆ ଡିଫେଣ୍ଡର୍ ଅମିତ ରୋହିଦାସ ମଧ୍ୟ ଏହି ସଫଳତାକୁ ନେଇ ବିଶେଷ ଖୁସି। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ‘ସମ୍ବାଦ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅମିତ କହିଛନ୍ତି, ‘ଆମେ ସ୍ବର୍ଣ୍ଣ ପଦକ ଜିତିବାର ମାନସିକତା ନେଇ ଫାଇନାଲ୍ ଖେଳିଥିଲୁ। କିଛିଟା ଭୁଲ୍‌କୁ ସୁଧାରିନପାରି ହାରିଯାଇଥିଲୁ। ଗୋଲ୍‌ ବ୍ୟବଧାନ ଅଧିକ ହୋଇଯିବାରୁ ମନ ଦୁଃଖ ହୋଇଥିଲା। କିନ୍ତୁ‌ ରୌପ୍ୟ ପଦକ ଜିତିଥିବାରୁ ଖୁସି ହୋଇଛୁ। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆମକୁ ପ୍ରଶିକ୍ଷକ ଦେଇଥିବା ଯୋଜନା ମୁତାବକ ଖେଳିଥିଲୁ। କିଛି ଆହତ ସମସ୍ୟା କାରଣରୁ ଯୋଜନାକୁ କାର୍ଯ୍ୟକାରୀ ପରିପାରିନଥିଲୁ। ତଥାପି ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛି। ଭାରତୀୟ ହକି ଦଳର ଏହି ସଫଳତାକୁ ମୁଁ ଦେଶବାସୀ ଓ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରୁଛି। କାରଣ ସେମାନଙ୍କ ଭଲ ପାଇବା, ଆଶୀର୍ଦାବରୁ ଜଣାପଡୁଥିଲା ସେମାନେ କେତେ ସମର୍ଥନ କରୁଛନ୍ତି। ଆମକୁ ସବୁ ପରିସ୍ଥିତିରେ ବି ଚିୟର୍‌ କରୁଥିଲେ। ଲିଗ୍‌ ପର୍ଯ୍ୟାୟର ମ୍ୟାଚ୍‌ଗୁଡିକ ବି କଡ଼‌ା ସଂଘର୍ଷପୂର୍ଣ୍ଣ ଥିଲା। କୌଣସିଟିକୁ ଆମେ ହାଲକାରେ ନେଇନଥିଲୁ। କାରଣ ଭଲ ଭାବେ ଜାଣିଥିଲୁ ପ୍ରତି ଦଳ ଭଲ ପ୍ରସ୍ତୁତି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଆସିଥା’ନ୍ତି। ଏବେ ଆମର ପରବର୍ତୀ ଲକ୍ଷ୍ୟ ହେବ ଅକ୍ଟୋବର ମାସର ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌, ୨୦୨୩ର ପୁରୁଷ ହକି ବିଶ୍ବକପ୍‌ ଏବଂ ଏସୀୟ କ୍ରୀଡ଼ା’। ସବୁଥିରେ ପୋଡିୟମ୍‌ ଫିନିସ୍ କରିବା ଆମ ଯୋଜନା ଓ ଆଶା ରହିଛି।

ପୂର୍ବତଟ ରେଳପଥରେ ଅମିତ ରୋହିଦାସ ସମ୍ମାନିତ
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ହକି ଦଳ ପାଇଁ ରୌପ୍ୟ ପଦକ ଜିତିଥିବା ଅମିତ ରୋହିଦାସଙ୍କୁ ଶୁକ୍ରବାର ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସମ୍ମାନିତ କରିଛନ୍ତି। ପୂର୍ବତଟ ରେଳପଥର ମୁଖ୍ୟାଳୟ ରେଳସଦନଠାରେ ଏହ‌ି ସମ୍ମାନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ହକି ଦଳର ନିୟମିତ ସଦସ୍ୟ ତଥା ଅଭିଜ୍ଞ ଡିଫେଣ୍ଡର ଅମିତ ଏବେ ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଉତ୍ସବରେ ରେଳପଥ କ୍ରୀଡା ସଂଗଠନର ସଭାପତି ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ମହାପ୍ରବନ୍ଧକଙ୍କ ସଚିବ ବିଶ୍ୱଜିତ ଭୋଇ ଉପସ୍ଥିତ ଥିଲେ। ଗତବର୍ଷ ଅମିତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବା ସହ ଅର୍ଜୁନ ପୁରସ୍କାର ମଧ୍ୟ ପାଇଥିଲେ।

ଅମିତଙ୍କ ଅନ୍ତର୍ଜାତୀୟ ପଦକ
(ସ୍ବର୍ଣ୍ଣ-୧, ରୌପ୍ୟ-୩, କାଂସ୍ୟ-୪)
ଅଲିମ୍ପିକ୍ସ କାଂସ୍ୟ: ଟୋକିଓ-୨୦୨୦
ଏସୀୟ କ୍ରୀଡ଼ା କାଂସ୍ୟ: ଜାକର୍ତା-୨୦୧୮
ଏସିଆ କପ୍ ସ୍ବର୍ଣ୍ଣ: ଢାକା-୨୦୧୭
ଏସିଆ କପ୍‌ ରୌପ୍ୟ: ଇପୋ-୨୦୧୩
ଚାମ୍ପିଅନ୍ସ ଟ୍ରଫି ରୌପ୍ୟ: ବ୍ରେଡା-୨୦୧୮
ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ: ବର୍ମିଂହାମ-୨୦୨୨
ହକି ବିଶ୍ବ ଲିଗ୍ କାଂସ୍ୟ: ଭୁବନେଶ୍ବର-୨୦୧୭
କନିଷ୍ଠ ଏସିଆ କପ୍‌ କାଂସ୍ୟ: ମାଲାକ୍କା-୨୦୧୨

ସୁନ୍ଦରଗଡ଼ରେ ବିଶ୍ବକପ୍‌ ଗର୍ବର କଥା

୨୦୨୩ ମସିହା ଜାନୁଆରି ମାସରେ ଓଡ଼ିଶାରେ ପୁଣି ଥରେ ପୁରୁଷ ହକି ବିଶ୍ବକପ୍‌ ଖେଳାଯିବ। ହକି ଇଣ୍ଡିଆ-ଏଫ୍‌ଆଇଏଚ୍‌ ଟଣାଓଟରା କାରଣରୁ ଏହା ଆଶଙ୍କା ଭିତରେ ଥିଲେ ମଧ୍ୟ ଓଡ଼ିଶା ସରକାର ଆୟୋଜନ ନେଇ ଢେର ଆଶାବାଦୀ ଅଛନ୍ତି। ଏହି ମୁହୂର୍ତକୁ ନେଇ ଡେର ଉତ୍ସାହିତ ଓ ଉଲ୍ଲସିତ ଅଛନ୍ତି ଅମିତ। ‘ପ୍ରଥମ ଆୟୋଜକ ଭାବେ ଲଗାତାର ଦ୍ବିତୀୟ ଥର ଓଡ଼ିଶାରେ ବିଶ୍ବକପ୍‌ ହେବାକୁ ଯାଉଛି। ଏହା ଗର୍ବର କଥା। କାରଣ, ହକି ଯେଉଁଠାରୁ ବାହାରିଛି ସେଠାରେ ବିଶ୍ବକପ୍‌ ହେବାକୁ ଯାଉଛି। ୨୦୧୮ରେ ଭୁବନେଶ୍ବରରେ ସମସ୍ତ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏଥର ଭୁବନେଶ୍ବର ସହିତ ରାଉରକେଲାରେ ମଧ୍ୟ ଖେଳାଯିବ। ଏହାକୁ ନେଇ ମୁଁ ବିଶେଷ ଭାବେ ଖୁସି। ସୁନ୍ଦରଗଡ଼ ହକିର ଅନ୍ତୁଡିଶାଳ ହୋଇଥିବାରୁ ସେଠାରେ ହକି ବିଶ୍ବକପ୍‌ ଆୟୋଜନ ହେବା ନେଇ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ’ ବୋଲି ଅମିତ ପ୍ରକାଶ କରିଥିଲେ। ୨୦୧୮ ଭୁବନେଶ୍ବରରେ ଏଫ୍‌ଆଇଏଚ୍‌ ବିଶ୍ବକପ୍‌ ପଦାର୍ପଣ କରିଥିବା ୨୯ ବର୍ଷୀୟ ଅମିତ ମଧ୍ୟ ଏଥର ଦ୍ବିତୀୟ ଥର ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇପାରିବେ। ‘ନିଜ ଜିଲ୍ଲାରେ ବିଶ୍ବକପ୍‌ ଖେଳିବାର ସ୍ମୃତି ନିଶ୍ଚିତ ଭାବେ ସ୍ବତନ୍ତ୍ର ‌ହୋଇରହିବ’ ବୋଲି ଅମିତ କହିଛନ୍ତି। ରାଉରକେଲାରେ ନିର୍ମାଣାଧୀନ ଅବସ୍ଥାରେ ଥିବା ବୀର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ଦେଶର ସର୍ବବୃହତ ଷ୍ଟାଡିୟମ୍‌ର ମାନ୍ୟତା ମଧ୍ୟ ପାଇବ। ଏଥିରେ ୨୧,୦୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର