ଗୃହାବଦ୍ଧ ଏବେ ଆମ ପାଇଁ ‘ଜୀବନରେଖା’, ଆମେ ନିଶ୍ଚିତ ଜିତିବା: କପିଳ ଦେବ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରୁ ରକ୍ଷା ପାଇବା ଲାଗି ଦେଶବାସୀଙ୍କୁ ଗୃହାବଦ୍ଧ ରହିବା ଲାଗି କିଂବଦନ୍ତି କ୍ରିକେଟର୍‌ କପିଳ ଦେବ ଅନୁରୋଧ କରିଛନ୍ତି। ଗୃହାବଦ୍ଧ ଏବେ ଆମ ପାଇଁ ‘ଜୀବନରେଖା ଭଳି’ ବୋଲି କପି‌ଳ ଦେବ କହିଛନ୍ତି। ଏହି ମାରାତ୍ମକ ଭୂତାଣୁଠାରୁ ବର୍ତ୍ତିବା ଲାଗି ଏହି ଏକମାତ୍ର ଉପାୟକୁ ପାଳନ କରନ୍ତୁ। ନିଜକୁ ପରିସ୍ଥିତି ସହ ସାଲିସ୍ କରିପାରିଲେ ଆସିଥିବା ଆହ୍ବାନକୁ ମୁକାବିଲା କରିପାରିବା ଏବଂ ଏହି ଅଦୃଶ୍ୟ ବାହ୍ୟ ଶତ୍ରୁକୁ ଜିତିପାରିବା ବୋଲି ୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବ ପ୍ରକାଶ କରିଛନ୍ତି। ଏହି ଅବସର ସମୟକୁ ପରିବାର ସହ ବିତାଇବା, ବହି ପଢ଼ିବା, ଟିଭି ‌ଦେଖିବା ଏବଂ ଗୀତ ଶୁଣିବାରେ ବିତାନ୍ତୁ ବୋଲି ମଧ୍ୟ କପିଳ କହିଛନ୍ତି।

ମୁଁ ନିଜେ ଏବେ ଘର ଓଳାଉଛି, ବଗିଚା ସଫା କରୁଛି, ମୋ ଛୋଟ ବଗିଚା ଏବେ ଏକ ଗଲ୍‌ଫ କୋର୍ସରେ ପରିଣତ ହୋଇଛି। ପରିବାର ସହ ମୁଁ ଭଲ ସମୟ ବି ବିତାଉଛି। ବିଗତ କିଛି ବର୍ଷ ହେବ ମୁଁ ଏଥିରୁ ବଞ୍ଚିତ ହେଉଥିଲି। ନିଜେ ରୋଷେଇ କରୁଛି ଏବଂ ଇଂଲଣ୍ଡରେ ଖେଳୁଥିବା ବେଳେ ମୁଁ ରୋମି (ପତ୍ନୀ)ଙ୍କଠାରୁ ଏସବୁ ଶିଖିଥିଲି ବୋଲି କପିଳ ପ୍ରକାଶ କରିଥିଲେ। ବାହାରକୁ ପରିଷ୍କାର ରଖିବା ଏବଂ ଏଣେ ତେଣେ ପରିଶ୍ରା ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ସର୍ବଦା ସକାରାତ୍ମକ ରହିବା ମୁଁ କ୍ରିକେଟ୍‌ରୁ ଶିଖିଛି। ପୂର୍ବ ପାଳିରେ ଶତକ ହାସଲ କରି ଆପଣ ଶୂନରେ ଆଉଟ୍ ହୋଇପାରନ୍ତି। ପୂର୍ବ ସ୍ପେଲ୍‌ରେ ଭଲ ବୋଲିଂ କରି ଆପଣ ୱିକେଟ୍‌ଶୂନ୍ୟ ରହିପାରନ୍ତି। ଭାରତୀୟ ସଂସ୍କୃତି କିନ୍ତୁ ସଙ୍କଟରୁ ବାହାରିବାର ଅନେକ ଉଦାହରଣ ରଖିଛି। ପରସ୍ପରକୁ ସାହାଯ୍ୟ କରିବା ଏବଂ ବରିଷ୍ଠମାନଙ୍କ ଯତ୍ନ ନେବାର ସମୟ ଆସିଛି। ସରକାର ଏବଂ ଡାକ୍ତରଙ୍କ କଥା ମାନି ଘରେ ରହିଲେ ଆମେ ନିଶ୍ଚିତ କରୋନାଠୁ ଜିତିପାରିବା ବୋଲି କପିଳ ଆତ୍ମବିଶ୍ବାସର ସହ କହିଛନ୍ତି।

ସମ୍ବନ୍ଧିତ ଖବର