୨୦୨୩ ବିଶ୍ବକପ୍‌ ସ୍ବପ୍ନ ସାକାର ପାଇଁ ସୁଯୋଗ ଦେବ: ମନପ୍ରୀତ୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଗତବର୍ଷ ଭୁବନେଶ୍ବରରେ ଅନୁଷ୍ଠିତ ହକି ବିଶ୍ବକପ୍‌ କ୍ବାର୍ଟର ଫାଇନାଲରେ ଭାରତ ନେଦରଲାଣ୍ଡ୍‌ଠାରୁ ହାରି ଅଶ୍ରୁଳ ବିଦାୟ ନେଇଥିଲା। ଏବେ ପରବର୍ତୀ ସଂସ୍କରଣ ବିଶ୍ବକପ୍‌ ୨୦୨୩ରେ ଭାରତରେ ହେବାକୁ ଅଧିକାର ମିଳିଥିବାରୁ ବହୁ ପ୍ରତୀକ୍ଷିତ ବିଶ୍ବକପ୍‌ ବିଜୟର ସୁଯୋଗ ମିଳିବ ବୋଲି ବିଶ୍ବାସ ଆସିଛି। ୧୯୭୫ ମସିହା ପରେ ପ୍ରଥମ ଥର ପୋଡିୟମ୍‌ ଚଢ଼ିବା ଲାଗି ବଡ଼ ସ‌ୁଯୋଗ ଆସିବ ଏବଂ ଅଧୁରା ସ୍ବପ୍ନ ସାକାର ହେବାର ଆଶା ଜାଗିଛି ବୋଲି କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ। ‘ଭାରତକୁ ପୁଣି ଥରେ ହକି ବିଶ୍ବକପ୍‌ ଆୟୋଜନ ଅଧିକାର ମିଳିଥିବାରୁ ଆମେ ଉଲ୍ଲସିତ। ୨୦୧୮ରେ ଆମେ ସେମିଫାଇନାଲ୍ ପ୍ରବେଶର ବାସ୍ତବ ସୁଯୋଗ ପାଇଥିଲେ ବି ଏହା ‌ହୋଇପାରିନଥିଲା। ଏବେ ଅସମ୍ପୂର୍ଣ୍ଣ କାମକୁ ଶେଷ କରିବା ଲାଗି ପୁଣି ଏକ ବଡ଼ ସୁଯୋଗ ମିଳିବ। ଆମକୁ ଏବେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଏବଂ ଟୋକିଓ ଅଲିମ୍ପିକ୍ସ ଉପରେ ଏକାଗ୍ରତା ରଖିବାକୁ ପଡୁଛି। ଜାପାନରେ ଭଲ ପ୍ରଦର୍ଶନ କରିପାରିଲେ ଆମେ ବିଶ୍ବକପ୍‌ ପୂର୍ବରୁ ମୁଳଦୁଆ ପକାଇପାରିବୁ। ଚଳିତ ମାସ ପ୍ରାରମ୍ଭରେ ଭୁବନେଶ୍ବରଠାରେ ଭାରତୀୟ ଦଳ ରୁଷିଆ ବିପକ୍ଷରେ ଯୁଗଳ ବିଜୟ ସହ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌କୁ ପକ୍କା କରିସାରିଛି। ନଭେମ୍ବର ୧୮ ତାରିଖରୁ ପୁଣି ଦଳ କଳିଙ୍ଗ ଷ୍ଟାଡିୟମ୍‌ରେ ଏକାଠି ହୋଇ ପ୍ରୋ ହକି ଲିଗ୍‌ ପ୍ରସ୍ତୁତି ଶିବିରରେ ଲାଗି ପଡ଼ିବ।

ସମ୍ବନ୍ଧିତ ଖବର