ଅହମଦାବାଦ: ବିସିସିଆ‌ଇ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅଙ୍ଗଦାନ କର, ଜୀବନ ବଞ୍ଚାଅ’ ଅଭିଯାନରେ ବୁଧବାର ସାମିଲ ହୋଇଥିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଦଳ। ଉଭୟ ଦଳର ଖେଳାଳିମାନେ ଅହମଦାବାଦ ଦିନିକିଆରେ ସବୁଜ ପଟି ପିନ୍ଧି ସଚେତନତା ସୃଷ୍ଟି କରିଥିଲେ। ଆ‌ଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଆଗ୍ରହକ୍ରମେ ବିସିସିଆଇ ନିକଟରେ ଏହି ଅଭିଯାନ ଆରମ୍ଭ କରିଛି। ବିରାଟ ‌କୋହଲି, ରୋହିତ ଶର୍ମା, ଶୁବମନ ଗିଲ୍ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି କ୍ରିକେଟର୍ ଏହି ଅଭିଯାନର ପ୍ରଚାରପ୍ରସାର ନିଜନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ କରୁଛନ୍ତି। 

Advertisment

ଏଥିନେଇ ଶାହ ନିଜ ‘ଏକ୍ସ’ ଆକାଉଣ୍ଟ୍‌ରେ ଲେଖିଥିଲେ ଯେ, ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ଅବସରରେ ‘ଅଙ୍ଗଦାନ କର, ଜୀବନ ବଞ୍ଚାଅ’ ଅଭିଯାନ ଆରମ୍ଭ କରି ଆମେ ଗର୍ବିତ। ପଡ଼ିଆ ବାହାରେ ଲୋକଙ୍କୁ ଅନୁପ୍ରେରିତ ଓ ଏକାଠି କରିବା ସହ ସେମାନଙ୍କ ଉପରେ ଦୀର୍ଘ ମିଆଦି ପ୍ରଭାବ ପକାଇବାର ଶକ୍ତି ଖେଳର ଅଛି। ଏହି ଅଭିଯାନ ମାଧ୍ୟମରେ ଆମେ ସମସ୍ତଙ୍କୁ ଭଗବାନଙ୍କ ଶ୍ରେଷ୍ଠ ଆଶୀର୍ବାଦକୁ ଅନ୍ୟର ଜୀବନ ବଞ୍ଚାଇବା ଲାଗି ଦାନ କରିବାକୁ ଆହ୍ବାନ କରୁଛୁ। ଆପଣଙ୍କ ଗୋଟିଏ ନିଷ୍ପତ୍ତି ବହୁ ଲୋକଙ୍କ ଜୀବନ ବଞ୍ଚାଇ ପାରିବ। ଆସନ୍ତୁ ଆମେ ସମସ୍ତେ ଏକାଠି ହେବା ଏବଂ ବଡ଼ ପରିବର୍ତ୍ତନର ସୂତ୍ରଧାର ପାଲଟିବା। କେଏଲ୍ ରାହୁଲ ଓ ଶ୍ରେୟସ୍ ଆୟର ମଧ୍ୟ ବୁଧବାର ମ୍ୟାଚ୍ ଅବସରରେ ପ୍ରଶଂସକଙ୍କୁ ଅଙ୍ଗଦାନ କରିବାକୁ ଆହ୍ବାନ କରିଥିଲେ। କେବଳ ପଡ଼ିଆ ଭିତରେ ନୁହେଁ ବାହାରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବାକୁ ସାଥୀ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ।