ଭାରତ ଓ ପାକିସ୍ତାନକୁ ନେଇ କ୍ରିକେଟ ସିରିଜ ଆୟୋଜନ ପାଇଁ ଅଷ୍ଟ୍ରେଲିଆର ପ୍ରସ୍ତାବ

ମୁମ୍ବାଇ :  କ୍ରିକେଟ ଦୁନିଆର ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଗତ କିଛି ବର୍ଷ ହେଲା ନିୟମିତ ଭାବେ କ୍ରିକେଟ ଖେଳ ହେଉନାହିଁ । କିନ୍ତୁ ଅଷ୍ଟ୍ରେଲିଆ ଓ ଏହି ଦୁଇ ଦେଶକୁ  ନେଇ ଏକ ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇଛି । ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରସ୍ତୁତ ବୋଲି ଏହାର ମୁଖ୍ୟ ନିକ୍ ହକଲି କହିଛନ୍ତି । ତେବେ ଏ ନେଇ ସେ ଭାରତ କିମ୍ବା ପାକିସ୍ତାନ କ୍ରିକେଟ ବୋର୍ଡ ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଚଳିତ ବର୍ଷ ଆରମ୍ଭରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ମଧ୍ୟ ଅନୁରୂପ ଏକ ପ୍ରସ୍ତାବ ଦେଇଥିଲେ । ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ନେଇ ଏକ ଚତୁରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେ ପ୍ରସ୍ତାବ ଦେଇଥିଲେ ।

ପାକିସ୍ତାନ ଆତଙ୍କବାଦୀଙ୍କ ସମର୍ଥନ କରିବା ଛାଡ଼ୁନଥିବାରୁ ଭାରତ ଏହି ଦେଶ ସହିତ କ୍ରିକେଟ ସଂପର୍କ ବିଚ୍ଛିନ୍ନ କରିଛି । ତେବେ ଆଇସିସି ପ୍ରତିଯୋଗିତା ଗୁଡ଼ିକରେ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆର ପ୍ରସ୍ତାବକୁ କ୍ରିକେଟ ଜଗତରେ ସମର୍ଥନ ମିଳିବା ଆଶା କରାଯାଉଛି ।

ଗତ ବର୍ଷ ଅନୁଷ୍ଠିତ ଟି୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର