ଭାରୋତ୍ତୋଳନ ପାଠ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଚାଲିଥିବା ଭାରୋତ୍ତୋଳନ ରିଫ୍ରେସର ପାଠ୍ୟକ୍ରମ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟରେ ଭାରୋତ୍ତୋଳନ ପ୍ରଶିକ୍ଷଣରେ ଉତ୍କର୍ଷତା ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଆାୟୋଜିତ ହୋଇଥିଲା। ଦେଶର ଦୁଇ ଭାରୋତ୍ତୋଳନ ଦ୍ରୋଣାଚାର୍ଯ୍ୟ ତଥା ଜାତୀୟ ଦଳ ପୂର୍ବତନ ପ୍ରଶିକ୍ଷକ ପଲ୍‌ ସିଂହ ସାନ୍ଧୁ ଏବଂ ହଂସା ଶର୍ମା ମନରାଲ୍‌ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ୫ ଦିନିଆ କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଖେଳାଳି, ପ୍ରଶିକ୍ଷକ, ପ୍ରଶାସକ ଭାଗନେଇଥିଲେ।
ଉଦ୍‌ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ, ସହକାରୀ କ୍ରୀଡ଼ା ନିର୍ଦେଶକ ସନାତନ ସାହୁ, ବରିଷ୍ଠ ଅଧିକାରୀ ଜ୍ଞାନରଂଜନ ପରିଡ଼ା, ବୈଷୟିକ ସମିତି ସଦସ୍ୟ ରାଜେନ୍ଦ୍ର ପ୍ରସାଦ ପାଣି, ସଚିନ୍ଦ୍ରୀ ମାଝୀ, ସୀତା କୁମାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ପି ଧର୍ମାରାଓ ଏହାର ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, ମାଲ୍‌କାନଗିରି କ୍ରୀଡ଼ା ଛାତ୍ରାବାସ, କିଟ୍‌ ବିଶ୍ୱବିଦ୍ୟାଳୟ, ଉତ୍କଳ କରାଟେ ସ୍କୁଲ୍‌ର ଖେଳାଳି ଭାଗ ନେଇଥିଲେ। ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର