ଭୁବନେଶ୍ବର: ଖେଳାଳି ଜୀବନରୁ ଡିଏସ୍ପି ହୋଇଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତାଳକ କେ ରବି କୁମାର କରୋନା କାରଣରୁ ଘରେ ଆବଦ୍ଧ ରହିଛନ୍ତି। କିନ୍ତୁ ଦୈନଦିନ କାମଠାରୁ ଦୂରେଇ ନାହାନ୍ତି। ସମଗ୍ର ରାଜ୍ୟର ପୁଲିସ୍ ବାହିନୀ ଲକ୍ଡାଉନ୍, ସଟ୍ ଡାଉନ୍ ଓ ସୁରକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ରହିଥିଲେ ବି ଖେଳ ଜୀବନ ଶେଷ ହୋଇନଥିବାରୁ ରବି କୁମାରଙ୍କୁ ଏଥିରୁ ମୁକ୍ତ ରଖାଯାଇଛି। ଏହି ଘଡ଼ିସନ୍ଧୀ ମୁହୂର୍ତ୍ତକୁ ନେଇ ରବି କୁମାର ଯେତିକି ଚିନ୍ତିତ ସେତିକି ଖୁସି। ‘‘ଖେଳାଳି ପାଇଁ ଦୈନିକ ତାଲିମ ବଡ଼ ଗୁରୁତ୍ବପୂର୍ଣ୍ଣ ଥାଏ। ଏଥିରୁ ଆମେ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛୁ। ସବୁ ସଂରଞ୍ଜାମ ବ୍ୟବହାର ହୋଇପାରୁନଥିବାରୁ ଦୈନିକ ଶରୀରରେ ଯେତିକି କ୍ୟାଲୋରି ବଢ଼ୁଛି ସେତିକି ନିଷ୍କାସିତ କରିହେଉ ନାହିଁ। ଏହା ଜଣେ ଖେଳାଳି ପାଇଁ ବଡ଼ ସମସ୍ୟା। ଏବେ ଆମ କଥା ନୁହେଁ ସମାଜର ସମସ୍ୟା କିନ୍ତୁ ବଳି ପଡିଛି। ବିଶେଷ କରି ଦୈନିକ ରୋଜଗାର କରି ଚଳୁଥିବା ବ୍ୟକ୍ତିଙ୍କ ପରିବାରକୁ ଜୀବନ ବଞ୍ଚାଇବା ଏବଂ ଏ ସଙ୍କଟ ପରିଚାଳନା କରିବା ସରକାରଙ୍କ ପାଇଁ ବଡ଼ ଆହ୍ବାନ’’ ବୋଲି ମାତ୍ର ୪ ମାସ ତଳେ ବିବାହ କରିଥିବା ରବି ପ୍ରକାଶ କରିଥିଲେ।
ରବିଙ୍କ ପାଇଁ ଖୁସିର ଏକ ଭିନ୍ନ କାରଣ ହେଲା ପରିବାର ଏବଂ ପରିବେଶ। ପରିବାର ସହ ମୁଁ ଆଗରୁ ଏତେ ସମୟ ବିତାଇ ପାରୁନଥିଲି। ଏବେ ତାହା ସମ୍ଭବ ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ପରିବେଶ ଏବେ ପ୍ରଦ୍ୟୁଷଣ ମୁକ୍ତ ହେବାରେ ଲାଗିଛି। ‘ସମ୍ବାଦ’ର ଟେଲିଫୋନ୍ କଲ୍ ବେଳକୁ ରବି କୁମାର ନିଜେ ମାଂସ ରୋଷେଇ କରୁଥିଲେ। ଅବସର ସମୟ କିଭଳି କଟୁଛି ବୋଲି ପ୍ରଶ୍ନ ହେବାରୁ କହିଥିଲେ ‘ପ୍ରତ୍ୟେକ ଦିନ ଦୁଇ ବେଳା ୨ ଘଣ୍ଟା ଲେଖାଏଁ ବ୍ୟାୟାମ କରୁଛି, ରାମାୟଣ ଓ ମହାଭାରତ ଦେଖୁଛି। ମୋ ଭିଡ଼ିଓ ଜରିଆରେ ଅନ୍ ଲାଇନ୍ କୋଚିଂ ମଧ୍ୟ ପ୍ରଦାନ କରୁଛି। ଓଡ଼ିଶା ସମେତ ସର୍ବଭାରତୀୟ ସ୍ତରରେ ବହୁ ଯୁବ ଖେଳାଳି ରହିଛନ୍ତି ଯେଉଁମାନେ ଅନୁସରଣ କରୁଛନ୍ତି ଏବଂ ତାଲିମ ନେଉଛନ୍ତି’ ବୋଲି ୩୧ ବର୍ଷୀୟ ରବି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ବଡିବିଲ୍ଡିଂରୁ ଭରୋତ୍ତୋଳକ ସାଜିଥିବା ବ୍ରହ୍ମପୁର ବୀର ହନୁମାନ କ୍ଲବ୍ର ଏହି କ୍ରୀଡ଼ା ପ୍ରତିଭା ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ କୀର୍ତ୍ତିମାନ ସହିତ ୬୯ କିଲୋଗ୍ରାମ ଓଜନ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୭୭ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ୨୦୧୧ ମସିହାରେ ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ। ଆହତ ସମସ୍ୟା ଏବଂ ବିବାଦ କିନ୍ତୁ ତାଙ୍କ ଖେଳ ଜୀବନକୁ ଟାଣିଧରିଛି।