ନୂଆଦିଲ୍ଲୀ: ଗତବର୍ଷ ଡୋପ୍‌ ଟେଷ୍ଟ୍‌ରେ ବିଫଳ ହୋଇଥିବା ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନାଡା (ନ୍ୟାସ୍‌ନାଲ ଆଣ୍ଟି ଡୋପିଂ ଏଜେନ୍ସି) ମଙ୍ଗଳବାର ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଗୁଜରାଟରେ ଆୟୋଜିତ ଜାତୀୟ କ୍ରୀଡ଼ା ଅବସରରେ ନାଡା ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ସଞ୍ଜିତାଙ୍କ ଡୋପ୍‌ ଟେଷ୍ଟ୍‌ କରିଥିଲା। ସେଥିରେ ଅନାବୋଲିକ ‌ଷ୍ଟେରୋଏଡ୍‌-ଡ୍ରୋଷ୍ଟାନୋ‌ଲୋନେ ମେଟାବୋଲାଇଟ୍‌ ଭଳି ଡ୍ରଗ୍‌ ସେବନ କରିଥିବା ଧରା ପଡ଼ିଥିଲା। ଯାହାକି ୱାଡା (ୱାଲ୍‌ଡ ଆଣ୍ଟି ଡୋପିଂ ଏଜେନ୍ସି)ର ନିଷିଦ୍ଧ ତାଲିକାରେ ସାମିଲ ରହିଛି। ଫଳରେ ସଞ୍ଜିତାଙ୍କ ଉପରେ ୪ ବର୍ଷର ବାସନ୍ଦ ଲାଗୁ କରାଯାଇଛି। ଏନେଇ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲୁଏଫ୍‌) ସଭାପତି ସହଦେବ ଯାଦବ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ‘ନାଡା’ର ଏହି ନିଷ୍ପତ୍ତି ସଞ୍ଜିତାଙ୍କ ପାଇଁ ଶକ୍ତ ଝଟ୍‌କା ଲାଗିଛି।

Advertisment

କାରଣ ସଞ୍ଜିତା ଏବେ ଜାତୀୟ କ୍ରୀଡ଼ାରେ ଜିତିଥିବା ରୌପ୍ୟ ପଦକ ହରାଇବେ। ତଥାପି ଏହି ମଣିପୁର ମହିଳା ସଞ୍ଜିତାଙ୍କ ନିକଟରେ ‘ନାଡା’ର ନିଷ୍ପତ୍ତି ବିରୋଧରେ ଅପିଲ କରିବାର ସୁଯୋଗ ରହିଛି। ‘‘କିନ୍ତୁ ମୁଁ ଅପିଲ କରିବି ନା ନାହିଁ ଜାଣିନି। କାରଣ ପୂର୍ବ ଅଭିଜ୍ଞତାରୁ ଜାଣିଛି ମୁଁ ଅପିଲ କଲେ ବି ହାରିବି। ପୁଣି ଯଦି ଅପିଲ କରିବି ତାହାଲେ ଦୋଷମୁକ୍ତ ହେବାକୁ ଯଥେଷ୍ଟ ସମୟ ଲାଗିବ। ଫଳରେ ଆଗାମୀ ଅଲିମ୍ପିକ୍ସ ଓ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିବାର ସୁଯୋଗ ପାଇବିନି। ଆଉ ଯଦି ଅପିଲ ନକରେ ତାହାଲେ ନିଲମ୍ବିତ ହେବି’’ ବୋଲି ପ୍ରତିକ୍ରିୟା ରଖିଛନ୍ତି ସଞ୍ଜିତା।

ସୂଚନାଯୋଗ୍ୟ, ଡୋପ୍‌ ବିବାଦରେ ଫସିବା ସଞ୍ଜିତାଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ରେ ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ ଦ୍ବାରା ମଧ୍ୟ ସେ ନିଲମ୍ବିତ ହୋଇଥିଲେ। ସେବେଠାରୁ ମୁଁ ମୋର ଖାଦ୍ୟ ଓ ଅନ୍ୟାନ୍ୟ ସବୁକିଛି ପାଇଁ ଖୁବ୍‌ ଯତ୍ନବାନ ଥିଲି। ହେଲେ ପୁଣି କିପରି ଡୋପ୍‌ ପରୀକ୍ଷାରେ ବିଫଳ ହେଲି ସେନେଇ ସନ୍ଦୀହାନ ବୋଲି ସଞ୍ଜିତା କହିଛନ୍ତି। ସଞ୍ଜିତା ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଇ ଚାନୁଙ୍କୁ ପଛରେ ପକାଇ ୪୮ କେଜି ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦୧୮ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୩ କେଜି ବର୍ଗରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ।