ଭୁବନେଶ୍ବର: ଚଳିତ ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଆୟୋଜିତ ହେବ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ। ଏହି ପ୍ରତି‌‌ଯୋଗିତାରେ ୮ ଦଳ ଭାଗନେଉଥିଲା ବେଳେ ଶ୍ରେଷ୍ଠ ଦୁଇ ଦଳ ଅଲିମ୍ପିକ୍‌ ଯୋଗ୍ୟତା ଲାଭ କରିବେ। ଏଥିଲାଗି ଭାରତ ୨ ସପ୍ତାହ ପୂର୍ବରୁ ଏଠାରେ ପହଞ୍ଚି ଅଭ୍ୟାସ କରୁଥିଲା ବେଳେ ଶୁକ୍ରବାର ପୋଲାଣ୍ଡ ଓ ରୁଷିଆ ପହଞ୍ଚିଥିଲେ। ଶନିବାର ଦୁଇ ପର୍ଯ୍ୟାୟରେ ଉଜ୍‌ବେକିସ୍ତାନ ଏବଂ ଆମେରିକା ଭୁବନେଶ୍ବରରେ ପାଦ ଥାପିଛନ୍ତି। ଆମେରିକା ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା, ଜାପାନ ଓ ମେକ୍ସିକୋ ସହ ରହିଛି। ସେହିଭଳି ଉଜ୍‌ବେକିସ୍ତାନ ଗ୍ରୁପ୍‌-ଏ’ରେ ଆୟୋଜକ ଭାରତ, ପୋଲାଣ୍ଡ ଓ ରୁ‌ଷିଆ ସହ ରହିଛି। ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ୬ ତାରିଖ ସକାଳ ୮.୪୫ରେ ଆମେରିକା ଭେଟିବ ଦକ୍ଷିଣ ଆଫ୍ରିକାକୁ ଏବଂ ଦ୍ବିତୀୟ ମ୍ୟାଚ୍‌ ସଂଧ୍ୟା ୫ଟା‌ରେ ଉଜବେକିସ୍ତାନ ଓ ପୋଲାଣ୍ଡ ମଧ୍ୟ‌ରେ ଖେଳାଯିବ। ଖେଳିବାକୁ ଭାରତ ଆସିବା ଏବଂ ଅଧିକ ଦର୍ଶକଙ୍କ ସାମ୍‌ନାରେ ଖେଳିବାର ସୁଯୋଗ ଆମକୁ ମିଳିଛି। ଏଭଳି ସୁନ୍ଦର ମାହୋଲ କେବେ ଆମ ଦେଶରେ ମିଳିନି। ଭୁବନେଶ୍ବରରେ ଦର୍ଶକ ହେଉଛନ୍ତି ହକିପ୍ରେମୀ। ‌ଆମେ ଏଠାରେ ନିଜର ଶ୍ରେ‌ଷ୍ଠ ଦେବାକୁ ଚେ‌ଷ୍ଟା କରିବୁ। ପ୍ରତ୍ୟେକ ମ୍ୟାଚ୍‌ ଜିତିବା ଲାଗି ଲକ୍ଷ୍ୟ ରଖିଛୁ। କିନ୍ତୁ ଏହା ଆମ ବଡ଼ ଆହ୍ବାନ ହେଲେ ବି ସବୁ ବିପକ୍ଷ ଦଳ ସହ ଟକ୍କର ଦେବାକୁ ଆମେ ସମର୍ଥ ବୋଲି କହିଛନ୍ତି ଆମେରିକା ଅଧିନାୟକ ଅଜାଇ ଧଡ଼ୱାଲ।

Advertisment

ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ପୂର୍ବରୁ ଆମ ଦଳ ପାକିସ୍ତାନରେ ଅଭ୍ୟାସ କରିଥିଲା। ‌ସେଠାରେ ଆମେ ସ୍ଥାନୀୟ କ୍ଲବ୍‌ ଓ ବିକାଶିତ ଦଳ ସହ ମ୍ୟାଚ୍‌ ଖେଳୁଥିଲୁ। ଯାହାକି ଏହି ପ୍ରତିଯୋଗିତାରେ ଅଧିକ ମାନ୍ୟତା ‌ଦଳ ସହ ଖେଳିବା ଲାଗି ସାହାସ ଦେବ। ଦଳରେ ଯୁବ ଖେଳାଳି ଥିବାରୁ ସେମାନେ ଏଠାରେ ବଡ଼ ଦଳ ସହ ଖେଳିବାର ଅଭିଜ୍ଞତା ସାଉଁଟିବାର ସୁଯୋଗ ପାଇବେ। ଆମର ବିଶ୍ବାସ ରହିଛି ପୋଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳି ଅଭିଯାନ ଆରମ୍ଭ କରିବୁ ବୋଲି ଉଜ୍‌ବେକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ରିନାତ ମାମତକାଜିନ ଭୁବନେଶ୍ବରରେ ପହଞ୍ଚିବା ପରେ କହିଛନ୍ତି।