ନୂଆଦିଲ୍ଲୀ: ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲ୍ରୁ ଅଯୋଗ୍ୟ ଘୋଷିତ ହୋଇଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇନ୍ଧିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ଶତାଧିକ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଥିଲେ। ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ପଞ୍ଚାୟତ ମୁଖ୍ୟମାନେ ଭିନେଶଙ୍କୁ ବିମାନବନ୍ଦରରୁ ପାଛୋଟି ନେଇଥିଲେ। ସମର୍ଥକଙ୍କ ଗହଣରେ ଏକ ଖୋଲା ଜିପ୍ରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା ବେଳେ ଭିନେଶ ଭାବବିହ୍ବଳ ହୋଇଯିବା ସହ ସମଗ୍ର ଦେଶବାସୀଙ୍କୁ ଯୋଡ଼ହସ୍ତରେ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ‘‘ମୁଁ ବହୁତ ଭାଗ୍ୟବାନ। ମୋ ଲଢ଼େଇ ବେଳେ ଭାରତବାସୀ ମୋତେ ସମର୍ଥନ କରିଥିଲେ। ଏହି ଲଢ଼େଇ ଏବେ ଶେଷ ହୋଇନାହିଁ, ଆଗକୁ ମଧ୍ୟ ଜାରି ରହିବ। ସ୍ବର୍ଣ୍ଣ ଜିତି ନଥିଲେ ମଧ୍ୟ ଏଠାରେ ଜଣେ ବିଜେତା ଭଳି ମୋତେ ସମସ୍ତେ ସ୍ବାଗତ କରିଛନ୍ତି। ଏଠାରୁ ଯେଉଁ ଭଲପାଇବା ମିଳିଛି, ତାହା ହଜାରେ ସ୍ବର୍ଣ୍ଣ ପଦକଠୁ ବଡ଼।’’ କଡ଼ା ସୁରକ୍ଷା ଭିତରେ ଭିନେଶଙ୍କୁ ହରିୟାଣାସ୍ଥିତ ତାଙ୍କ ଗାଁ ବଲାଲିକୁ ନିଆଯାଇଥିଲା। ଭିନେଶଙ୍କ ପଛରେ ପ୍ରାୟ ୫୦ଟି ଜିପ୍ରେ ତାଙ୍କ ସମର୍ଥକମାନେ ଯାଇଥିଲେ। ଗାଁକୁ ବାହାରିବା ପୂର୍ବରୁ ଦିଲ୍ଲୀର ଦ୍ବାରିକା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଭିନେଶ।
ପ୍ୟାରିସ୍ରୁ ଭିନେଶ ଖାଲି ହାତରେ ଫେରିଥିଲେ ମଧ୍ୟ ଇତିହାସରେ ନାଁ ଲେଖି ପାରିଛନ୍ତି। ୫୦ କେଜି ମହିଳା କୁସ୍ତିରେ ସେ ପ୍ରଥମ ଭାରତୀୟ ଭାବେ ଫାଇନାଲ୍ରେ ପହଞ୍ଚିଥିଲେ। ଯଦିଓ ଫାଇନାଲ୍ ପୂର୍ବରୁ ଓଜନ ମପାଯିବା ବେଳେ ତାଙ୍କର ଅଧିକ ଓଜନ ଆସିବାରୁ ଅଯୋଗ୍ୟ କରିଦିଆଯାଇଥିଲା, କିନ୍ତୁ ସାରା ଭାରତ ତାଙ୍କୁ ଜଣେ ବିଜେତାର ସମ୍ମାନ ଦେଇଛି। ଏପରିକି ହରିୟାଣା ସରକାର ମଧ୍ୟ ଭିନେଶଙ୍କୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧାସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଏବେ ଘରକୁ ଫେରିବା ପରେ ଭିନେଶ ତାଙ୍କ ପରିବାର ସହ କିଛି ସମୟ ବିତାଇବେ ଓ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ ବୋଲି ସାଥୀ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି। ଭାରତୀୟ ଦଳର ସେଫ୍-ଡି-ମିସନ ଗଗନ ନାରଙ୍ଗ ମଧ୍ୟ ଭିନେଶଙ୍କୁ ବିଜେତା କହିବା ସହ କୋଟି କୋଟି ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କୁ କୌଣସି ଅଲିମ୍ପିକ୍ ପଦକର ଆବଶ୍ୟକତା ରହିବନି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି। ଭିନେଶଙ୍କ ସହ ଗଗନ ମଧ୍ୟ ଗୋଟିଏ ବିମାନରେ ଦିଲ୍ଲୀରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ପରେ ଭିନେଶ କୁସ୍ତିରୁ ସନ୍ୟାସ ଘୋଷଣା କରିଥିଲେ। ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପିଲାଦିନର ସ୍ବପ୍ନ, ପିତାଙ୍କୁ ହରାଇବା ପରେ ସାମ୍ନା କରିଥିବା କଠିନ ପରିସ୍ଥିତି ଇତ୍ୟାଦି ବିଷୟରେ ପୋଷ୍ଟ୍ କରିଥିଲେ। ତାଙ୍କ ଜୀବନରେ ଅନେକ ଶୁଭେଚ୍ଛୁଙ୍କ ଅବଦାନ ଥିବାରୁ ସେ ଅଲିମ୍ପିକ୍ସ ଫାଇନାଲ୍ରେ ପହଞ୍ଚିପାରିଥିଲେ କିନ୍ତୁ ଶେଷରେ ତାଙ୍କର ହୃଦୟ ଭାଙ୍ଗିଯାଇଥିଲା ବୋଲି ଲେଖିଥିଲେ। ଘର ବାହୁଡ଼ା ପରେ ଭିନେଶ କିନ୍ତୁ କହିଥିଲେ ମୁଁ ୨୦୩୨ ପର୍ଯ୍ୟନ୍ତ ଖେଳିପାରିଥାନ୍ତି। ଏହି ବକ୍ତବ୍ୟ ପରେ ସେ ତାଙ୍କ ଅବସର ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ତ୍ରିରଙ୍ଗା ଉପରେ ଗୋଡ଼ ରଖି ବିବାଦରେ ବଜରଙ୍ଗ
ନୂଆଦିଲ୍ଲୀ: ଭାରତର ଜାତୀୟ ପତାକା ଚିତ୍ରିତ ହୋଇଥିବା ଏକ ପୋଷ୍ଟର୍ ଉପରେ ଗୋଡ଼ ରଖି ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହୋଇଛନ୍ତି ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭିନେଶ ଫୋଗଟ୍ଙ୍କୁ ଖୋଲାଗାଡ଼ିରେ ହରିୟାଣାସ୍ଥିତ ଗାଁକୁ ନିଆଯାଉଥିବା ବେଳେ ବଜରଙ୍ଗ ଗାଡ଼ିର ବନେଟ୍ ଉପରେ ଛିଡ଼ା ହୋଇଥିଲେ। ଗାଡ଼ି ଚାରିପଟକୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ରହିଥିଲେ। ତେଣୁ ଗାଡ଼ିକୁ ଆଗକୁ ଯିବା ପାଇଁ ସମସ୍ତେ ରାସ୍ତା ଦେବାକୁ ବଜରଙ୍ଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରୁଥିଲେ। ଏହି ସମୟରେ ବନେଟ୍ ଉପରେ ତ୍ରିରଙ୍ଗା ଛପାଯାଇଥିବା ଏକ ପୋଷ୍ଟର ଉପରେ ବଜରଙ୍ଗଙ୍କ ଗୋଡ଼ ପଡ଼ିଥିଲା। ଏହି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଜାତୀୟ ପତାକା ପ୍ରତି ଏହା ଅସମ୍ମାନ ବୋଲି କେତେକ ଲେଖିଥିଲେ। ତେବେ ଏହା ଉଦ୍ଦେଶ୍ୟମୂଳକ ନଥିଲା, ଭିଡ଼ ଭିତରେ ଏଭଳି ଭୁଲ୍ ହୋଇଯାଇଥାଏ ବୋଲି ଆଉ କେତେକ ପ୍ରତିକ୍ରିୟା ରଖିଥିଲେ।