ବିଜୁ ହିମାଳୟ ଅଭିଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଧନା

ଭୁବନେଶ୍ବର: ବେଶ୍‌ ଆହ୍ବାନଭରା ଥିବା ମାଉଣ୍ଟ୍ ଷ୍ଟକ୍ କାଙ୍ଗ୍ରି ପର୍ବତାରୋହଣ କରିଥିବା ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଦଳକୁ ଶୁକ୍ରବାର ଭୁବନେଶ୍ବରରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ୧୫ ଜଣିଆ ଏହି ଦଳର ୭ ସଦସ୍ୟ ସେପ୍ଟେମ୍ବର ୨୧ ତାରିଖ ସକା‌ଳ ୭.୧୫ ମିନିଟରେ ଶିଖରରେ ପହଞ୍ଚିଥିଲେ। ଅସୁସ୍ଥତା କାରଣରୁ ଜଣେ ୫୩୦୦ ମିଟରରୁ ଏବଂ ଅନ୍ୟ ୭ ଜଣ ୬୦୧୩ ମିଟରରୁ ଫେରିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ଅଧୀନ ଏହି ଅଭିଯାନର ଚତୁର୍ଥ ସଂସ୍କରଣରେ ନେତୃତ୍ବ ନେଇଥିଲେ ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା। ‘ମୁଁ ଏକାଧିକ ଦୁଃସାହସିକ ଅଭିଯାନରେ ସାମିଲ ରହିଛି। କିନ୍ତୁ ନବାଗତଙ୍କୁ ନେଇ ଏହି ଦଳଗତ ଅଭିଯାନରେ ଯିବା ନିଶ୍ଚିତ ନିଆରା ଅନୁଭୂତି ଦେଇଛି। ଏହି ଦଳର ଅଭିଜ୍ଞଙ୍କୁ ନେଇ ଭବିଷ୍ୟତରେ ଏକ ସ୍ବତନ୍ତ୍ର ଅଭିଯାନ କରିବାର ଯୋଜନା ରହିଛି ବୋଲି କହିଛନ୍ତି ଗଣେଶ ଚନ୍ଦ୍ର ଜେନା। ଅଣତାଲିମପ୍ରାପ୍ତ ଏହି ଅଭିଯାତ୍ରୀ ଦଳର ସମସ୍ୟଙ୍କ ପାଇଁ ଷ୍ଟକ୍ କାଙ୍ଗ୍ରି ଆରୋହଣ ନିଶ୍ଚିତ ଆଜୀବନ ଅନୁଭବ ଭଳି। ଓଡ଼ିଶା ସରକାର ଦୁଃସାହସିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଏହାର ଏକ ଅଂଶବିଶେଷ ବୋଲି କହିଥିଲେ ଏହାର କାର୍ଯ୍ୟକ୍ରମ ଅଧିକାରୀ ହରେଶ ଚନ୍ଦ୍ର ମିଶ୍ର। ଶୁକ୍ରବାର ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀଙ୍କୁ ସ୍ବାଗତ କରିବା ଲାଗି ମଧ୍ୟ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଏକାଠି ହୋଇଥିଲେ ରାଜ୍ୟର ସର୍ବପୁରାତନ ଦୁଃସାହସିକ ଅନୁଷ୍ଠାନ ‘ଆସା’ର ସଦସ୍ୟମାନେ। ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦେଶକ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏମାନେ ଗଣେଶଙ୍କ ସେନାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ଅଭିଯାନ ନିୟମିତ ହେବା ଫଳରେ ଓଡ଼ିଶାରେ ଦୁଃସାହସିକ କ୍ରୀଡ଼ା ନୂଆ ସ୍ତରକୁ ଯାଉଛି ବୋଲି କହିଥିଲେ ଶ୍ରୀ ମହାନ୍ତି। ସୂଚନାଯୋଗ୍ୟ, ଅନ୍ୟତମ ଏଭେରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇଙ୍କ ନେତୃତ୍ବରେ ଯାଇଥିବା ଏକ ୬ ଜଣିଆ ଦଳରୁ ୫ ଜଣ ହାଇ ଅଲଟିଟ୍ୟୁଡ୍ ସିକ୍‌ନେସ୍‌ର ଶିକାର ହେବାରୁ କେବଳ ରାଜୁ କୁମାର ବେହେରା ଶିଖରରେ ପହଞ୍ଚି ଦଳୀୟ ଏବଂ ଜାତୀୟ ପତାକା ଉଡ଼ାଇଥିଲେ। ଯୋଗବ୍ୟାସ ପ୍ରଥମ ଦୁଇ ବର୍ଷ ସଫଳତାର ସହ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ନେତୃତ୍ବ ନେଇଥିବା ବେଳେ ଗଣେଶଙ୍କ ନେତୃତ୍ବରେ ପରବର୍ତୀ ଦୁଇ ବର୍ଷ ମଧ୍ୟ ଏହା ସଫଳ ରହିଛି। ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଟାଟା ଷ୍ଟିଲ୍‌ ଆଡଭେଞ୍ଜର ଫାଉଣ୍ଡେସନ୍‌ ସହଯୋଗରେ ଓଡ଼ିଶା ସରକାର ୨୦୧୬ ମସିହାରୁ ଆୟୋଜିତ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର