ସ୍ବାଗତଂ ସଚିନ

ଭୁବନେଶ୍ବର: ରବିବାର ଭୁବନେଶ୍ବରବାସୀ ନିଜ ହାତପାହାନ୍ତାରେ କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଦେଖିବାର ସୁଯୋଗ ପାଇବେ। କଳିଙ୍ଗ ହକି କଂପ୍ଲେକ୍ସରେ କ୍ରିକେଟ୍ ଯାଦୁଗର ନିଜ ବ୍ୟକ୍ତିତ୍ବର ଯାଦୁ ଦେଖାଇବେ। ବୀରେନ୍ଦ୍ର ସେହବାଗଙ୍କ ପରେ ଦ୍ବିତୀୟ ବଡ଼ କ୍ରିକେଟ୍ ତାରକା ଭାବେ ସଚିନ ହକି ସହ ଜଡ଼ିତ ହେବେ। କ୍ରିକେଟ୍ ପଡ଼ିଆରେ କୀର୍ତ୍ତିମାନ ବର୍ଷା କରିଥିବା ସଚିନ ରବିବାର ହକି ବିଶ୍ବକପ୍‌ର ଫାଇନାଲରେ ଅନ୍ୟତମ ଅତିଥି ଭାବେ ଯୋଗ ଦେବେ। ପୁରୁଷ ହକି ବିଶ୍ବକପ୍‌ର ଉଦ୍‌ଘାଟନୀରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଓ ମାଧୁରୀ ଦୀକ୍ଷିତ ମୁଖ୍ୟ ଆକର୍ଷଣ ଥିଲେ। ଉଦ୍‌ଯାପନୀରେ ସଚିନ ହିଁ ପ୍ରମୁଖ ଆକଷର୍ଣ ହେବେ। ନିଜ ଖେଳ ଜୀବନରେ ଅନେକ ଥର ଓଡ଼ିଶା ଆସିଥିବା ସଚିନ କିନ୍ତୁ ଅବସର ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ। ଖେଳାଳି ଭାବେ ବାରବାଟୀରେ ଏକାଧିକ ସ୍ମରଣୀୟ ପାଳି ଖେଳିଥିବା ସଚିନ କିନ୍ତୁ ରବିବାର ଭିନ୍ନ ଭୂମିକାରେ ରହିବେ। ସଚିନ ପୂର୍ବରୁ ଫୁଟବଲ୍ ସହ ଜଡ଼ିତ ଥିଲେ। ଏପରିକି ଆଇଏସ୍‌ଏଲର ଏକ ଦଳର ମାଲିକ ସେ ଥିଲେ। ଏବେ ସଚିନ ହକି ସହ ଜଡ଼ିତ ହୋଇଛନ୍ତି। ସେ ହକି ବିଶ୍ବକପ୍‌ର ଉଦଯାପନୀ ଉତ୍ସବରେ ଯୋଗ ଦେବା ଭୁବନେଶ୍ବର ବିଶ୍ବକପ୍‌ର ସମାପନକୁ ଅଧିକ ରୋଚକ କରି ଦେଇଛି। ମାଷ୍ଟର ବ୍ଲାଷ୍ଟରଙ୍କ ଓଡ଼ିଶା ଆଗମନ ନେଇ କେବଳ ଭୁବନେଶ୍ବର ନୁହେଁ ସମଗ୍ର ଓଡ଼ିଶା ଉତ୍ସାହିତ ଅଛି। ରାଜ୍ୟର ସବୁ କ୍ରୀଡ଼ାପ୍ରେମୀ ସଚିନଙ୍କୁ ସ୍ବାଗତ କରିବା ଲାଗି ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର