ସ୍ବାଗତଂ ଟେନିସ୍‌ ଟାଇଗର୍‌ ଲିଆଣ୍ଡର: ତିନି ଦଶନ୍ଧିର ଲମ୍ବା କ୍ୟାରିୟର, ଗୋବର ଲିପା କୋର୍ଟରୁ ଗ୍ରାଣ୍ଡସ୍ଲାମ୍

ବୟସ ତାଙ୍କ ଆଗରେ ହାର ମାନିଛି। ଏହା ଯେ କେବଳ ଏକ ସଂଖ୍ୟା, ସେ କଥାକୁ ସେ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି। କେବଳ ଗ୍ରାଣ୍ଡସ୍ଲାମ୍ କିମ୍ବା ଡେଭିସ୍ କପ୍ ନୁହେଁ, ଅଲିମ୍ପିକ୍ସରେ ବି ନିଜ ଅଲିଭା ଛାପ ଛାଡ଼ିଛନ୍ତି ଏହି ମହାନ ତାରକା। କ୍ଷୀପ୍ର ଗତି ଓ ଅବିଶ୍ବସନୀୟ ରୢାକେଟ୍ ଚାଳନାରେ ପ୍ରତିପକ୍ଷକୁ ଅନେକବାର କରିଛନ୍ତି ଘାଇଲା ସେ । ଭାରତୀୟ ଟେନିସ୍‌ ଦୁନିଆର କିମ୍ବଦନ୍ତୀ ପୁରୁଷ ଲିଆଣ୍ଡର ପେସ୍‌ଙ୍କ କଥା କହିଲେ, ଆପଣାଛାଏଁ ଜଣେ ଅସାଧାରଣ ଖେଳାଳିଙ୍କ ପ୍ରତିଛବି ଆଖି ଆଗକୁ ଚାଲି ଆସିଥାଏ। କାରଣ ସେ ହେଉଛନ୍ତି ଭାରତୀୟ କ୍ରୀଡ଼ା ଜଗତର ଲଢ଼ୁଆ ଯୋଦ୍ଧା ଓ ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ। ପେସ୍ କେବଳ ଭାରତବର୍ଷ ପାଇଁ ପ୍ରେରଣାର ଉତ୍ସ ନୁହନ୍ତି, ବିଶ୍ବକ୍ରୀଡ଼ାର ଆଦର୍ଶ। ସ୍ପିଡୀ, ଟାଇଗର, ମୋଗ୍‌ଲି ଅନେକ ନାଁରେ ପରିଚିତ ଏହି ମହାନ ଖେଳାଳି, ଗ୍ରାଣ୍ଡସ୍ଲାମ୍ ଦୁନିଆରେ ଯେତିକି ସଫଳତା ସାଉଣ୍ଟିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ସ୍ବପ୍ନ। ନିଜ ସମୃଦ୍ଧମୟ କ୍ରୀଡ଼ା ଜୀବନରେ ୧୦୦ରୁ ଅଧିକ ସାଥୀ ବଦଳାଇବାର ବିତର୍କିତ ହେଲେ ନିଆରା କୀର୍ତ୍ତିମାନ କରିଛନ୍ତି ସେ। ମହେଶ ଭୂପତିଙ୍କ ସହ ଖେଳି ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଉପାଧୀ ପାଇଥିବା ପେସ୍ ସ୍ବିସ୍ଏକ୍ସପ୍ରେସ୍ ମାର୍ଟିନା ହିଙ୍ଗିସଙ୍କ ସହ ବି ଅନେକ ଐତିହାସିକ ସଫଳତା ପାଇଛନ୍ତି। ପେସ୍‌ଙ୍କୁ ଶବ୍ଦରେ ବର୍ଣ୍ଣନା କଲେ, ତାଙ୍କୁ କେବଳ ଜଣେ ଅସାଧାରଣ ‌‌ଟେନିସ୍ ଖେଳାଳି ବୋଲି ହିଁ କୁହାଯାଇପାରିବ।

ଟେନିସକୁ ପେସ୍‌ଙ୍କ ପ୍ରବେଶ କିନ୍ତୁ ଥିଲା ଅକଷ୍ମାତ। ପିଲାବେଳେ ଫୁଟ୍‌ବଲ୍‌ ଥିଲା ତାଙ୍କର ପ୍ରଥମ ପ୍ରେମ। ତେବେ ହୃତ୍‌ପିଣ୍ଡରେ ସମସ୍ୟା ଥିବାରୁ ନିଜ ପ୍ରିୟ ଓ ପ୍ରଥମ ପସନ୍ଦ ଖେଳ ‘ଫୁଟ୍‌ବଲ୍‌’କୁ ଛାଡ଼ି ଟେନିସ୍ କୋଟର୍କୁ ଓହ୍ଲାଇଥିଲେ ସେ। କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ମାତ୍ର କିଛି ବର୍ଷ ଭିତରେ ଦୁର୍ବଳତାକୁ ଶକ୍ତିରେ ପରିଣତ କରିଥିଲେ ପେସ୍। ଭାରତୀୟ ଟେନିସ୍‌ରେ ଯୋଡ଼ିଥିଲେ ସୁନେଲି ସଫଳତାର ସମୃଦ୍ଧମୟ ଫର୍ଦ। ଟେନିସକୁ ପେସ୍‌ଙ୍କ ପ୍ରବେଶ ଯେତିକି ନାଟକୀୟ ଥିଲା, ତିନି ପିଢ଼ିର ଖେଳାଳିଙ୍କ ସହ ଖେଳିବା ତାଠାରୁ ନିଶ୍ଚିତ ଭାବେ ଅଧିକ ଚର୍ଚିତ। ଚଳିତବର୍ଷ ପେସାଦାର ଦୁନିଆକୁ ଅଲବିଦା କହିବାକୁ ଯାଉଥିବା ପେସ୍ କିନ୍ତୁ ଯିବା ପୂର୍ବରୁ ଭାରତୀୟ କ୍ରୀଡ଼ା ଦୁନିଆକୁ କେବେବି ହାର ନମାନିବାର କଳା ଶିଖାଇ ଦେଇଛନ୍ତି। ତାଙ୍କ ସୁବର୍ଣ୍ଣ ସଫଳତାକୁ ଦେଖି ସମଗ୍ର ବିଶ୍ବରେ ଭାରତର ନାଁ ଗର୍ବିତ କରିବାକୁ ଉଦା‌ହରଣ ଛାଡ଼ିଛନ୍ତି। ଖେଳରତ୍ନ, ଅର୍ଜୁନ, ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରଷ୍କାରରେ ବିଭୂଷିତ ହୋଇ ଆଗାମୀ ପିଢ଼ିକୁ ସଫଳତାର ସହ ସ୍ବପ୍ନ ଦେଖିବା ଓ ଏହାକୁ ଅନୁସରଣ କରିବାର ବାର୍ତ୍ତା ପହଞ୍ଚାଇ ପାରିଛନ୍ତି ସେ। ଏକଥା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଭାରତୀୟ ଟେନିସ୍‌କୁ ପେସ୍‌ଙ୍କ ଅବଦାନ ଅତୁଳନୀୟ।

ଅଲିମ୍ପିକ୍ସ ସନ୍ତାନ
ଲିଆଣ୍ଡର ହେଉଛନ୍ତି ଅଲିମ୍ପିକ୍ସ ସନ୍ତାନ। ତାଙ୍କ ଜନ୍ମ ୧୯୭୩ ମସିହା ଜୁନ୍ ୧୭ ତାରିଖରେ ହୋଇଥିଲା। ଗୋଆରୁ ଆସିଥିବା ପିତା ଭିସ୍ ପେସ୍ ଭାରତୀୟ ହକି ଦଳର ସଦସ୍ୟ ହୋଇ ୧୯୭୨ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲେ। ମା’ ଜେନିଫର ପେସ୍ କୋଲକାତାର ବାସିନ୍ଦା ଥିଲେ। ସେ ମଧ୍ୟ ୧୯୮୦ ଏସୀୟ ବାସ୍କେଟବଲ୍ ପ୍ରତିଯୋଗିତାରେ ଭାରତର ଅଧିନାୟିକା ଦାୟିତ୍ବ ତୁଲାଇଥିଲେ। ଜେନିଫର ମ୍ୟୁନିକ୍ ଅଲିମ୍ପିକ୍ସ ବେଳେ ହିଁ ଅନ୍ତସତ୍ତ୍ବା ହୋଇଥିଲେ। ଏଣୁ ଲିଆଣ୍ଡର ନିଜକୁ ଅଲିମ୍ପିକ୍ସର ସନ୍ତାନ ବୋଲି କୁହନ୍ତି। ‌ସେ ମଧ୍ୟ ଜେନିଫରଙ୍କ ପଟରୁ ବେଙ୍ଗଲର ପ୍ରସିଦ୍ଧ କବି ମାଇକେଲ୍ ମଧୁସୁଦନ ଦତ୍ତଙ୍କ ବଂଶଜ। ପେସ୍ ପିଲା ବେଳେ ଜଣେ ଫୁଟ୍‌ବଲ୍‌ର ହେବାକୁ ଚାହୁଁଥିଲେ। ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଫୁଟବଲ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ମାତ୍ର ୫ ବର୍ଷ ବୟସରେ ରୢାକେଟ୍ ଧରି ଟେନିସ୍ ଖେଳିବା ଆରମ୍ଭ କରି ଦେଇଥିଲେ। ପିତା-ମାତା ଉଭୟ ଖେଳାଳି ଥିବାରୁ ଏଥିରେ ତାଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ପିତାଙ୍କଠାରୁ ଗତି ଏବଂ ମା’ଙ୍କଠାରୁ କୋର୍ଟ ଭିତରେ କ୍ଷଣକ ଭିତରେ ସ୍ଥିତି ବଦଳାଇବାର କଳା ସ୍ବଭାବିକ ଭାବେ ତାଙ୍କ ପାଖରେ ଥିଲା। ୧୯୮୫ ମସିହାରେ ମାଡ୍ରାସ (ବର୍ତମାନର ଚେନ୍ନାଇ)ରେ ଥିବା ଅମୃତରାଜ ଟେନିସ୍ ଏକାଡେମିରେ ପ୍ରଶିକ୍ଷଣ ନେବା ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଥିଲା। ଲିଆଣ୍ଡର ଟେନିସ୍‌ର ମୈଳିକ କଳା ଶିଖିବାରେ ଏହି ଏକାଡେମି ବଳିଷ୍ଠ ଭୂମିକା ତୁଲାଇଥିଲା। ୧୯୯୦ ମସିହାରେ କନିଷ୍ଠ ୱିମ୍ବଲଡନ୍ ଟ୍ରଫି ଜିତିବା ପରେ ସେ ଅନ୍ତର୍ଜାତୀୟ ସ୍ତରେ ଲୋକପ୍ରିୟତା ହାସଲ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ବିଶ୍ବ କନିଷ୍ଠ ଟେନିସ୍ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉଠି ପାରିଥିଲେ। ବିଶ୍ବର ପ୍ରଥମ ଟେନିସ୍ ଖେଳାଳି ଓ ପ୍ରଥମ ଭାରତୀୟ ଭାବେ ସେ ୭ ଅଲିମ୍ପିକ୍ସ ଖେଳିଛନ୍ତି।

ଗୋବର ଲିପା କୋର୍ଟରୁ ଗ୍ରାଣ୍ଡସ୍ଲାମ୍
ଲିଆଣ୍ଡର ଖେଳ ଆରମ୍ଭ କଲା ବେଳେ ଭାରତରେ ଟେନିସ୍ ସେତେଟା ଲୋକପ୍ରିୟତା ହାସଲ କରି ନଥିଲା‌। କିଶୋର ଲିଆଣ୍ଡର ସେଥିପାଇଁ ଦେଶର ଯେଉଁଠି ବି ଟେନିସ୍ ପ୍ରତିଯୋଗିତାର ଆୟୋଜନ ହେଉଥିଲା ସେଠିକି ଖେଳିବାକୁ ଚାଲି ଯାଉଥିଲେ। ସି‌ନ୍ଥେଟିକ୍ କୋର୍ଟର ଅଭାବ ଥିବାରୁ ଅନେକ ସମୟରେ ତାଙ୍କୁ ସିମଣ୍ଟେ ଓ କାଦୁଆ କୋର୍ଟରେ ଖେଳିବାକୁ ପଡ଼ୁଥିଲା। କେବେ କେବେ କୋର୍ଟରେ ମାଟି ଉଠିବା ବନ୍ଦ କରିବା ଲାଗି ଏହାକୁ ଗୋବରରେ ଲିପି ଦିଆଯାଉଥିଲା। ଲିଆଣ୍ଡରଙ୍କୁ ମଧ୍ୟ ସେଥିରେ ଖେଳିବାକୁ ପଡ଼ୁଥିଲା। କନିଷ୍ଟ ସ୍ତରରେ ୱିମ୍ବଲଡନ୍ ଓ ୟୁଏସ୍ ଓପନ୍ ଜିତିବା ପରେ ଯାଇ ତାଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ମିଳିଥିଲା। ୧୯୯୧ ମସିହାରେ ପେସାଦାର ପାଲଟିଥିଲେ ଲିଆଣ୍ଡର। ୧୯୯୨ରେ ରମେଶ କୃଷ୍ଣନଙ୍କୁ ସାଥୀ କରି ସେ ବାର୍ସେଲୋନା ଅଲିମ୍ପିକ୍ସର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୧୯୯୬ର ଅଟଲାଣ୍ଟା ଅଲିମ୍ପିକ୍ସରେ ଫର୍ନାଣ୍ଡୋ ମେଲିକେନିଙ୍କୁ ପରାସ୍ତ କରି ଲିଆଣ୍ଡର ପ୍ରଥମ ଭାରତୀୟ ଭାବେ ଟେନିସରୁ ଅଲିମ୍ପିକ୍ସ ପଦକ ଜିତିଥିଲେ। ୧୯୫୨ ମସିହା ହେଲସିଙ୍କି ଅଲିମ୍ପିକ୍ସରେ କେଡି ଯାଦବଙ୍କ ପରେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ହୋଇଥିଲେ। କଚଟିରେ ଗୁରୁତର ଆଘାତ ଲାଗିବା ସତ୍ତ୍ବେ ସେ ଏହି ଐତିହାସିକ ସଫଳତା ଲାଭ କରିଥିଲେ। ସେହିବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମିଳିଥିଲା। ଏଟିପି ସର୍କିଟର ପ୍ରଥମ ସଫଳତା ତାଙ୍କୁ ୧୯୯୩ରେ ମିଳିଥିଲା। ୧୯୯୬ରେ ଅନ୍ୟତମ ଭାରତୀୟ ତାରକା ମହେଶ ଭୂପତିଙ୍କୁ ସାଥୀ କରିବା ପରେ ସେ ସଫଳତାର ନୂଆ ସ୍ତର ଛୁଇଁଥିଲେ।

‘ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଅନ୍ୟତମ ନାୟକ
୧୯୯୬ ମସିହରେ ପେସ୍-ଭୂପତି ଏକାଠି ଖେଳିବା ଆରମ୍ଭ କରିଥିଲେ। ୧୯୯୮ରେ ସେମାନେ ତିନିଟି ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ୍ ଓପନ ଓ ୟୁଏସ୍ ଓପନର ସେମିଫାଇନାଲରେ ପ୍ରବେଶ କରିଥି‌ଲେ। ଇତିମଧ୍ୟରେ ଲିଆଣ୍ଡର ନିଜ ଜୀବନର ଏକମାତ୍ର ଏଟିପି ଏକକ ଟ୍ରଫି ନ୍ୟୁପୋର୍ଟରେ ହାସଲ କରିଥିଲେ। ସେ ମଧ୍ୟ ଆମେରିକୀୟ କିମ୍ବଦନ୍ତୀ ପିଟ୍ ସାମ୍ପ୍ରାସଙ୍କୁ ହରାଇ ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲେ। ୧୯୯୯ରେ ଭୂପତି ଓ ସେ ବର୍ଷର ଚାରିଟି ଯାକ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ୍ ଓପନ , ୱିମ୍ବଲଡନ୍ ଓପନ୍ ଓ ଫ୍ରେଞ୍ଚ ଓପନର ଫାଇନାଲରେ ପ୍ରବେଶ କରିଥିଲେ। ସେଥିମଧ୍ୟରେ ୱିମ୍ବଲଡନ୍ ଓ ଫ୍ରେଞ୍ଚ ଓପନ ଜିତିଥିଲେ। କୌଣସି ଗ୍ରାଣ୍ଡସ୍ଲାମରେ ବିଜେତା ହେବାରେ ସେମାନେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ଲିସା ରେମଣ୍ଡଙ୍କ ସହ ମିଶି ପେସ୍ ମଧ୍ୟ ୱିମ୍ବଲଡନର ମିଶ୍ରିତ ଯୁଗଳ ଟ୍ରଫି ଜିତି ନେଇଥିଲେ। ସେହିବର୍ଷ ସେ ବିଶ୍ବର ଶୀର୍ଷମାନ୍ୟତା ଯୁଗଳ ଖେଳାଳି ହୋଇଥିଲେ। ପରବର୍ଷ ସେ ନିଜ ସାଥୀ ବଦଳାଇ ସେବାସ୍ତିଆନ୍ ଲାରେଉଙ୍କ ସହ ଖେଳିଥିଲେ। ହେଲେ ସେତେଟା ସଫଳତା ଲାଭ କରି ନଥିଲେ। ଏହିଠାରୁ ଭୂପତିଙ୍କ ସହ ତାଙ୍କ ସଂପର୍କ ଖରାପ ହୋଇଥିଲେ। ତଥାପି ଉଭୟ ଆଉ କିଛି ବର୍ଷ ଏକାଠି ଖେଳିବା ଜାରି ରଖିଥିଲେ। ୨୦୦୨ ବୁସାନ ଏସୀୟ କ୍ରୀଡ଼ାରେ ପେସ୍-ଭୂପତି ସ୍ବର୍ଣ୍ଣ ପଦକ ଜିତିଥି‌ଲେ। ତେବେ ଗ୍ରାଣ୍ଡସ୍ଲାମ୍ ଦୁନିଆର ସଫଳତା ଲାଗି ଉଭୟଙ୍କୁ ଟେନିସ୍ ପ୍ରେମୀ ଇଣ୍ଡିଆନ୍ ଏକ୍ସପ୍ରେସର ନାମ ଦେଇଥିଲେ। ପୁରୁଷ ଯୁଗଳ ସହ ପେସ୍ ମାର୍ଟିନା ନାଭ୍ରାତିଲୋଭା, ମାର୍ଟିନା ହିଙ୍ଗିସ ଓ ସାନିଆ ମିର୍ଜାଙ୍କ ସହ ମିଶି ମିଶ୍ରିତ ଯୁଗଳରେ ମଧ୍ୟ ବେଶ୍ ଭଲ ସଫଳତା ପାଇଛନ୍ତି। ୧୯୯୦ରେ ଡେଭିସ୍ କପ୍ ଜୀବନ ଆରମ୍ଭ କରିଥିବା ପେସ୍ ଏହି ସମ୍ମାନଜନକ ପ୍ରତିଯୋଗିତାରେ ସର୍ବାଧିକ (୪୩) ଯୁଗଳ ମ୍ୟାଚ୍ ବିଜୟ ହାସଲ କରିଛନ୍ତି।

ରିଆ-ମହିମାଙ୍କ ସହ ରୋମାନ୍ସ
ପେସ୍ ରାଜଧାନୀ ଏକ୍ସପ୍ରେସ୍ ନାମକ ଏକ ବଲିଉଡ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କୁ ମଧ୍ୟ କିଛି ହଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ମିଳିଥିଲା। ତାଙ୍କର ମଧ୍ୟ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ସହ ପ୍ରେମ ସଂପର୍କ ଥିଲା। ତେବେ ରିଆ ପିଲାଇଙ୍କ ସହ ତାଙ୍କ ସଂପର୍କ ସବୁଠାରୁ ଅଧିକ ଚର୍ଚିତ ହୋଇଥିଲା। ଏକ ଫ୍ଲାଇଟରେ ଗୋଆ ଯାଉଥିଲା ବେଳେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ। ଉଭୟ କେବେବି ବିହାହ କରି ନଥିଲେ ମଧ୍ୟ ସେମାନଙ୍କର ଆୟାନା ନାମକ ଝିଅଟିଏ ଅଛି। ଟେନିସ୍ ଖେଳ ସହ ପେସ୍ ଅନେକ ସାମଜିକ ସଂଗଠନ ସହ ମଧ୍ୟ ଜଡ଼ିତ ଅଛନ୍ତି। ହାରିଆଣା ରାଜ୍ୟର ସେ କ୍ରୀଡ଼ାଦୂତ।

୯/୧୧ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ
ଆମେରିକାରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରୁ ପେସ୍ ଅଳ୍ପକେ ବର୍ତି ଯାଇଥିଲେ। ଏହି ଘଟଣା ଘଟିବାର ମାତ୍ର ୧୦ ଘଣ୍ଟା ପୂର୍ବରୁ ନ୍ୟୁୟର୍କର ଐତିହାସିକ ଟ୍ବିନ୍ ଟାୱାରରେ ସେ କିଣାକିଣି କରୁଥିଲେ। ତିନି ଦିନ ପରେ ନିଜ ଜନ୍ମଦିନ ଥିବାରୁ ଟ୍ବିନ୍ ଟାୱାରରେ ଥିବା ଏକ ମଲ୍‌ରେ ସେ କିଛି ଖାକି ପ୍ୟାଣ୍ଟ କିଣିଥିଲେ। ଏକଥା ମନେ ପକାଇଲା ବେଳେ ଏବେବି ତାଙ୍କ ଲୋମ ଟାଙ୍କରି ଉଠେ। ସେହିଭଳି ୨୦୦୩ରେ ସେ ମସ୍ତିଷ୍କ ସଂସ୍କରଣ ରୋଗରେ ପୀଡ଼ିତ ହୋଇଥିଲେ। ଏଥିପାଇଁ କିଛି ଦିନ ଟେନିସ୍ କୋର୍ଟରୁ ଦୂରେଇ ଯିବାକୁ ବାଧ୍ୟ ହୋଇଥିଲେ। ହେଲେ ଏଥିରୁ ସଫଳତାର ସହ ମୁକୁଳି ପୁଣି ଥରେ ଟେନିସ୍ କୋର୍ଟରେ ଧମାଲ କରିଥିଲେ। ଏକାଧିକ ଥର ପ୍ରତ୍ୟାବର୍ତନ କରିଥିବାରୁ ତାଙ୍କୁ ଭାରତୀୟ କ୍ରୀଡ଼ା ଜଗତର ଅସଲ କମ ବ୍ୟାକ୍ ମ୍ୟାନ୍ କୁହାଯାଇପାରେ। ଟେନିସ୍ ସହ ପେସ୍ ବଲିଉଡ୍ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲ ପାଆନ୍ତି। ଖାଲି ସମୟରେ ସେ ବଲିଉଡ୍ ଗୀତ ଶୁଣିବାକୁ ଭଲ ପାଆନ୍ତି।

୧୦୦ରୁ ଅଧିକ ସାଥୀ
ପେସ୍ ନିଜ ଗ୍ରାଣ୍ଡସ୍ଲାମ୍ ସଫଳତା ପାଇଁ ଯେତିକି ଲୋକପ୍ରିୟ ସାଥୀ ବଦଳାବା ଧାରା ଲାଗି ସେତିକି ଓସ୍ତାଦ। ନିଜ ଖେଳ ଜୀବନ ଭିତରେ ସେ ୧୦୦ଜଣରୁ ଅଧିକ ପୁରୁଷ ଯୁଗଳ ସାଥୀ ଏବଂ ୨୦ରୁ ଅଧିକ ମହିଳା ଯୁଗଳ ସାଥୀ ବଦଳାଇଛନ୍ତି। ତେବେ ଏହା ସେ କେବଳ ବିଜୟ ଭୋକ ପାଇଁ କରିଥାଆନ୍ତି ବୋଲି ଅନେକ ଥର ସ୍ପଷ୍ଟ କରି ସାରିଛନ୍ତି।୧୯୯୧ରେ ପେସାଦାର ହେବା ପରଠାରୁ ଗତ ୨୯ ବର୍ଷ ଭିତରେ ପେସ୍ ୮ ପୁରୁଷ ଯୁଗଳ ଓ ୧୦ ମିଶ୍ରିତ ଯୁଗଳ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଛନ୍ତି। ପୁରୁଷ ଯୁଗଳ ଏବଂ ମିଶ୍ରିତ ଯୁଗଳରେ କ୍ୟାରିୟର ସ୍ଲାମ୍ ହାସଲ କରିବାର ଅନନ୍ୟ ସଫଳତା ବି ସେ ହାସଲ କରିଛନ୍ତି। ୧୯୯୬-୯୭ରେ ରଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଲାଭ କରିବା ପରେ ୧୯୯୦ରେ ଅର୍ଜୁନ ପୁରସ୍କାର ପାଇଥିଲେ। ସେହିଭଳି ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୪ରେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ସେ ମଧ୍ୟ ବିଶ୍ବଦଳଗତ ଟେନିସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ବିଶ୍ବ ଟିମ୍ ଟେନିସରେ ସେ ୨୦୦୯ ଓ ୨୦୧୧ରେ ସବୁଠାରୁ ମୂଲ୍ୟବାନ ଖେଳାଳି ପୁରସ୍କାର ଲାଭ କରିଥିଲେ।

ବିତର୍କିତ ବିଦା‌ୟୀ ଋତୁ
ମହାନ ତାରକା ଲିଆଣ୍ଡର ପେସ୍ ୪୬ ବର୍ଷ ବୟସରେ ଟେନିସରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ହେଉଛି ତାଙ୍କର ଶେଷ ପେସାଦାର‌ ଟେନିସ୍ ଋତୁ। ଯାହାକୁ ନେଇ ତର୍କ ଓ ବିତର୍କ ଆରମ୍ଭ ହୋଇ ଯାଇଛି। ସାଥୀ ଖେଳାଳି ଓ ପ୍ରଶଂସକ ସେ ଆଉ କିଛି ବର୍ଷ ପାଇଁ ଖେଳନ୍ତୁ ବୋଲି ଚାହୁଁଛନ୍ତି। ଏପରିକି ପୂର୍ବତନ ସାଥୀ ମହେଶ ଭୂପତି ଏବେବି ପେସ୍‌ଙ୍କ ପାଖରେ ଗୋଟିଏ ବର୍ଷର ଖେଳ ବାକି ଅଛି ବୋଲି କହି ସାରିଛନ୍ତି। ପେସ୍ କିନ୍ତୁ ନିଜ ନିଷ୍ପତ୍ତି ବଦଳାଇବାର ସମ୍ଭାବନା କମ୍ ରହିଛି। ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସରେ କିନ୍ତୁ ସେ ତ୍ରିରଙ୍ଗା ଧରନ୍ତୁ ବୋଲି ପ୍ରଶଂସକ ଦାବି କରିଛନ୍ତି। ଏହା ତାଙ୍କ ପାଇଁ ଭାରତୀୟ କ୍ରୀଡ଼ାର ଜଗତର ବିଦାୟୀ ‌ଉପହାର ହେବ ବୋଲି କୁହାଯାଉଛି। ଯୋଗ, ବ୍ୟାୟାମ ଓ ନାନା ଆଧୁନିକ ଅଭ୍ୟାସ କରି ପେସ୍ ମଧ୍ୟ ନିଜକୁ ଏବେବି ପୂରା ଫିଟ୍ ରଖିଛନ୍ତି।

ବଙ୍ଗରେ ଜନମ ବମ୍ବେ ବାସସ୍ଥାନ
ବଙ୍ଗରେ ଜନମ ବମ୍ବେ ବାସସ୍ଥାନ ହରିଆଣା କ୍ରୀଡ଼ାଦୂତ
ଖେଳରତ୍ନ ସାଥେ ପଦ୍ମଭୂଷଣ ଯେ କରିଦିଏ ମଥାନତ
ସତର ବରଷେ ୱିମ୍ବିଲଡନରେ ଉଡ଼ିଲା କନିଷ୍ଠ ବାନା
କନିଷ୍ଠ ବିଭାଗ ପ୍ରଥମ ସ୍ଥାନରେ ମୋହର ଲାଗିଲା ସୁନା ।।
ଏକମାତ୍ର ସିଏ ଟେନିସ୍ ଖେଳାଳୀ ପ୍ରଥମ ସେ ଭାରତୀୟ
କରି ଯୋଗଦାନ ସାତ ଅଲମ୍ପିକେ ଜୀବନ ଗୌରବମୟ ।।
ସୌମ୍ୟ ରଞ୍ଜନ ପାଲ

ସମ୍ବନ୍ଧିତ ଖବର