ଭୁବନେଶ୍ୱର: ‘‘ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ଜିତିବା ଏକ ଦୃଢ଼ନିଷ୍ଠ ତଥା ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛି। ଏହି ଆହ୍ବାନପୂର୍ଣ୍ଣ ଯାତ୍ରାରେ ଓଡ଼ିଶାବାସୀ ସବୁବେଳେ ଭାରତୀୟ ହକି ଦଳ ସହ ରହି ଆସିଛନ୍ତି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଅତ୍ୟନ୍ତ ଗର୍ବିତ। କେବଳ ୨୦୨୮ କିମ୍ବା ୨୦୩୨ ନୁହେଁ, ତା’ ପରବର୍ତ୍ତୀ ଅଲିମ୍ପିକ୍ସଗୁଡ଼ିକରେ ମଧ୍ୟ ଓଡ଼ିଶା ରାଷ୍ଟ୍ରୀୟ ହକି ଦଳ ସହ ରହିବ। ଆବଶ୍ୟକ ସମସ୍ତ ସମର୍ଥନ ଓ ସହଯୋଗ ଯୋଗାଇଦେବ’’।
ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ୫୨ବର୍ଷ ତଳର ଇତିହାସ ଦୋହରାଇବା ସହ ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ଭାରତୀୟ ହକି ଦଳ ଲାଗି ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା ତଥା ଆର୍ଥିକ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭାରତୀୟ ହକି ଦଳର ପୃଷ୍ଠପୋଷକ ଏବଂ ମୁଖ୍ୟ ପ୍ରାୟୋଜକ ଭାବେ ଓଡ଼ିଶା ତାର କର୍ତ୍ତବ୍ୟ କରିବାରେ କେବେବି ହେଳା କରିବ ନାହିଁ ବୋଲି ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଉପସ୍ଥିତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ପ୍ୟାରିସ୍ରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଛି। ହେଲେ ଏହା ଆମ ପାଇଁ କୌଣସି ସ୍ବର୍ଣ୍ଣ ପଦକଠାରୁ କମ୍ ନୁହେଁ। କାରଣ ଭାରତୀୟ ହକି ଦଳ ୧୯୭୨ ମସିହା ପରେ ପ୍ରଥମ ଥର ଲାଗି ଅଲିମ୍ପିକ୍ସରେ ଲଗାତାର କାଂସ୍ୟ ପଦକ ଜିତିବାର ଅନନ୍ୟ ସଫଳତା ହାସଲ କରିଛି। ଭାରତ ପୁଣି ଥରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣିମ ସଫଳତା ପାଇବା ଦିଗରେ ଏହା ଏକ ବଡ଼ ପାଦ ହେବ।
ଭାରତୀୟ ହକି ସହ ଓଡ଼ିଶା ଅଛି ଓ ରହିବ: ମୁଖ୍ୟମନ୍ତ୍ରୀ
ଏ କାଂସ୍ୟ ଆମ ପାଇଁ ସୁନାଠୁ କମ୍ ନୁହେଁ: କ୍ରୀଡ଼ାମନ୍ତ୍ରୀ
ଉତ୍ସବର ଅନ୍ୟତମ ଅତିଥି ଭାବେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିଲା ବେଳେ କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ୧୬ଜଣିଆ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କୁ ୧୫ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟର ଏକମାତ୍ର ଖେଳାଳି ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାର ଐତିହାସିକ ସଫଳତା ହାସଲ କରିଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କାର ଆର୍ଥକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ହକି ଇଣ୍ଡିଆକୁ ଭାରତୀୟ ହକି ଦଳର ସଫଳତାକୁ ଦର୍ଶାଉଥିବା ବାଲୁକା କଳାର ଫଟୋଚିତ୍ରକୁ ଉପହାର ସୂତ୍ରରେ ଦିଆଯାଇଥିଲା। ହକି ଇଣ୍ଡିଆ ତରଫରୁ ମଧ୍ୟ ତାଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହକି ଇଣ୍ଡିଆ ମହାସଚିବ ଭୋଳାନାଥ ସିଂହ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ସରକାର ଏବଂ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ, ହକି ଏଚ୍ପିସି ସେଣ୍ଟର ଏବଂ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଭାରତୀୟ ହକି ଦଳର ଖେଳାଳିମାନେ ଅପରାହ୍ଣ ୧୨.୩୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ବିଧାୟକ ବାବୁ ସିଂହ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହଜାରହଜାର ପ୍ରଶଂସକଙ୍କ ଗହଣରେ ଖେଳାଳିମାନେ ଏକ ରୋଡ୍ ସୋ’ରେ କଳିଙ୍ଗ ଷ୍ଟାଡିୟମ୍ ଅଭିମୁଖେ ବାହାରିଥିଲେ। ପାରମ୍ପରିକ ଓଡ଼ିଆ ନାଚଗୀତ, ଘଣ୍ଟଘଣ୍ଟାର ଶବ୍ଦ ସହ ଟିମ୍ ଇଣ୍ଡିଆ.... ଟିମ୍ ଇଣ୍ଡିଆ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ। ବିଭିନ୍ନ ସ୍ଥାନରେ ଲୋକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ଭାରତୀୟ ହକି ଟିମ୍କୁ ଅଭିବାଦନ ଜଣାଇଥିଲେ। ପାଖାପାଖି ଦୁଇ ଘଣ୍ଟାର ମନ୍ତ୍ରମୁଗ୍ଧକର ତଥା ଅଭୂତପୂର୍ବ ରୋଡ୍ ସୋ’ ପରେ ଖେଳାଳିମାନେ ଷ୍ଟାଡିୟମ୍ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଅନ୍ୟ ରାଜନେତା ତଥା ଅଧିକାରୀଙ୍କ ସହ ଫଟୋ ସେସନ୍ କରିଥିଲେ। କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ, ହକି ପ୍ରେମୀ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତି ପରିବେଶକୁ ବେଶ୍ ରଙ୍ଗିନ କରିଥିଲା। ସେଠାରୁ ଖେଳାଳିମାନେ ଦଳୀୟ ହୋଟେଲ ଯାଇ ବିଶ୍ରାମ କରିବା ପରେ ସଂଧ୍ୟାରେ ଲୋକସେବା ଭବନ ଯାଇ ସମ୍ବର୍ଦ୍ଧିତ ହୋଇଥିଲେ। ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ପାଖରେ ପାଇ ଓଡ଼ିଶାବାସୀ ବେଶ୍ ଉଲ୍ଲସିତ ଥିଲା ବେଳେ ରାଜଧାନୀ ଭୁବନେଶ୍ବର ଅତୁଳନୀୟ ରୋମାଞ୍ଚରେ ଭରି ଉଠିଥିଲା।