ଭୁବନେଶ୍ବର: ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ୍ କିଲିମାଞ୍ଜୋରୋ ଆରୋହଣ କରିବା ପରେ ସ୍ବରାଜ୍ୟ ବାହୁଡ଼ିଛନ୍ତି ଓଡ଼ିଆ ଝିଅ ଅନୀତା ସ୍ବାଇଁ। ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଉଚ୍ଚତମ ଆଫ୍ରିକୀୟ ଶୃଙ୍ଗ ସହିତ ଅନୀତା ମଧ୍ୟ ‘ସେଭେନ୍ ସମ୍ମିଟ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ପର୍ଯ୍ୟାୟ କ୍ରମେ ବିଶ୍ବର ୭ଟି ସର୍ବୋଚ୍ଚ ମହାଦେଶୀୟ ଶୃଙ୍ଗ ଆରୋହଣର ସ୍ବପ୍ନ ଦେଖିଛନ୍ତି ଏହି ୨୭ ବର୍ଷୀୟା ଚନ୍ଦନପୁର ଝିଅ। ପୂର୍ବରୁ ଭାରତର ୫ଟି ପ୍ରମୁଖ ପରିଚିତ ପର୍ବତ ମାଉଣ୍ଟ୍‌ ଶୀତିଧର (୨୦୧୫), ମାଉଣ୍ଟ୍ ଦାରୱା ଓ ରୁଦୁଗେରା (ଉଭୟ ୨୦୧୬), ମାଉଣ୍ଟ୍ ରେନକ୍ (୨୦୧୭) ଏବଂ ମାଉଣ୍ଟ୍‌ ଫ୍ରେଣ୍ଡସିପ୍‌ (୨୦୧୮) ଆରୋହଣ କରି ଅଭିଜ୍ଞତା ରଖିଥିବା ଅନୀତା ମଧ୍ୟ ଭବିଷ୍ୟତରେ ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ୍‌ ଆରୋହଣ ଲକ୍ଷ୍ୟ ରଖିଛନ୍ତି। ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ଆଲିଶା ଗ୍ରାମର ରାଜମିସ୍ତ୍ରୀ ହଜାରି ସ୍ବାଇଁ ଏବଂ ପତ୍ନୀ ପ୍ରଭାତୀ ସ୍ବାଇଁଙ୍କ କନ୍ୟା ଅନୀତା ଏବେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲ୍‌ ଆଡଭେଞ୍ଚର୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ)ରେ ଇନ୍‌ଷ୍ଟ୍ରକ୍ଟର୍ସ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସୋମବାର ଭୁବନେଶ୍ବର ବିମାନବନ୍ଦରରେ ଅନୀତାଙ୍କୁ ତାଙ୍କ ପରିବାର ସହ ରାଜ୍ୟର ଅଗ୍ରଣୀ ଦୁଃସାହସିକ ଅନୁଷ୍ଠାନ ଆସା’ ପକ୍ଷରୁ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ଅନୀତାଙ୍କ ମାର୍ଗଦର୍ଶକ ତଥା ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନା, ଆସା’ର ଉପଦେଷ୍ଠା ଅଶୋକ ମହାନ୍ତି, ଉପସଭାପତି ଶକ୍ତି ରଂଜନ ମହାନ୍ତି, ଶିବ ଶଙ୍କର ପଣ୍ଡା, ଚିନ୍ମୟ ମହାରଣା, ଦେବୀଦତ୍ତ ସାମନ୍ତରାୟ, ବିଭାରାଣୀ ପାତ୍ର, ସଂଜୀବ ମଙ୍ଗରାଜ, ରଂଜିତା ବେହେରା ପ୍ରମୁଖ ସ୍ବାଗତ କରିଥିଲେ।