ଓଡ଼ିଶା ଏଫ୍‌ସି ଖେଳାଳିଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ବର : ଆସନ୍ତା ମାସରୁ ଆଇଏସ୍‌ଏଲ୍ ପଦାର୍ପଣ କରିବାକୁ ଯାଉଥିବା ଓଡ଼ିଶା ଏଫ୍‌ସି ଦଳର ପ୍ରଥମ ଦଫା ‌ଖେଳାଳି ରବିବାର ଭୁବନେଶ୍ବର ପହଞ୍ଚିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ଓଡ଼ିଶାର ଏହି ନବଗଠିତ ଦଳକୁ ପ୍ରଶଂସକଙ୍କ କ୍ଲବ୍‌ ‘ଦି ଜଗରନଟ୍ସ’ ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ‘ବୋବାଲ୍ ଫୁଟ୍‌ବଲ୍‌, ୱି ଆର୍ ହୁ ୟୁ ଆର୍‌, ଦ ଗ୍ରାସ୍ ଇଜ୍‌ ଗ୍ରିନ୍ ହିୟର୍‌’ ଲେଖା ବ୍ୟାନର୍ ଦେଖାଇ ସମ୍ପୂର୍ଣ୍ଣ ଉତ୍ସାହରେ ସ୍ବାଗତ କରାଯାଇଛି ଦିଲ୍ଲୀ ଡାଇନାମସ୍ ନାମରେ ବିଗତ ଋତୁ ଗୁଡିକରେ ଖେଳିଥିବା ଏହି ପୁରୁଣା ଦଳକୁ। ଚଳିତ ମାସ ୨୦ ତାରିଖରୁ ଆଇଏସ୍‌ଏଲ୍‌ର ଷଷ୍ଠ ସିଜନ୍ ଆରମ୍ଭ ହେଉଥିବାବେଳେ ଓଡ଼ିଶା ଏଫ୍‌ସି ନିଜର ପ୍ରଥମ ମ୍ୟାଚ୍‌ ୨୨ ତାରିଖରେ ଜାମସେଦପୁର ଏଫ୍‌ସି ସହିତ ଜାମସେଦପୁରଠାରେ ଖେଳିବ। ଓଡ଼ିଶା ଏଫ୍‌ସି କିନ୍ତୁ ନିଜର ପ୍ରଥମ ଘରୋଇ ମ୍ୟାଚ୍‌ ନଭେମ୍ବର ୨୪ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ।

ଦୋହାରେ ପ୍ରି-ସିଜନ୍ ମ୍ୟାଚ୍‌ ଖେଳିଥିବା ଓଡ଼ିଶା ଏଫ୍‌ସି ଦଳର ପ୍ରଶିକ୍ଷକ ‌ଯୋସେପ୍‌ ଗୋମ୍ଭାୟୁ ଏବଂ କିଛି ଖେଳାଳି ଆସି ପହଞ୍ଚିଥିବାବେଳେ‌ ସୋମବାର ଅଧିନାୟକଙ୍କ ସହ ଅବଶିଷ୍ଟ ଖେଳାଳି ପହଞ୍ଚିବେ। ଏକମାତ୍ର ରାଜ୍ୟ ସରକାର ଭାବେ ଓଡ଼ିଶା ଏକ ଫୁଟ୍‌ବଲ୍ କ୍ଲବ୍‌ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଥିବାରୁ‌ ଯୋସେଫ୍‌ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଦଳରେ ଥିବା ଦୁଇ ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀ ଏବଂ ଅଙ୍କିତ ଭୂୟାଁ ଘରୋଇ ପରିବେଶରେ ଖେଳିବାକୁ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି। ଓଡ଼ିଶାରେ ଏଭଳି ସ୍ବାଗତ ସମ୍ବର୍ଧନା ପାଇବା ମୁଁ ଆଶା କରିନଥିଲି। ଘରୋଇ ଦଳ ପାଇଁ ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ଶୁଭମ୍ ପ୍ରକାଶ କରିଛନ୍ତି। ଓଡ଼ିଶା ଫୁଟ୍‌ବଲ୍‌ ପ୍ରଶଂସକମାନେ ବିପୁଳ ସଂଖ୍ୟାରେ ଆସି ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ ବୋଲି ଅଙ୍କିତ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର