ନୂଆ ଶିକ୍ଷାନୀତିରେ ‘କ୍ରୀଡ଼ା ବାଧ୍ୟତାମୂଳକ’କୁ ସ୍ବାଗତ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ ଘୋଷିତ ନୂଆ ଶିକ୍ଷାନୀତିରେ କ୍ରୀଡ଼ାକୁ ବାଧ୍ୟତାମୂଳକ କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଭାରତୀୟ କ୍ରୀଡ଼ାର ଭବିଷ୍ୟତ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ପୂର୍ବରୁ ଶିକ୍ଷା ଓ ଖେଳ ଜୀବନରେ ସନ୍ତୁଳନ ଆଣିବା କ୍ରୀଡ଼ାବିତଙ୍କ ପାଇଁ ଆହ୍ବାନ ରହୁଥିବାରୁ ଏଣିକି ସହଜ ଓ ସୁଯୋଗ ଆଣିଦେବ ବୋଲି ମତ ପ୍ରକାଶ ପାଇଛି। କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଶନିବାର ଅନୁଷ୍ଠିତ ଏକ ୱେବିନାର (ସ୍ପୋର୍ଟସ ଇଣ୍ଟିଗ୍ରେସନ୍‌ ଆଣ୍ଡ୍ ଫ୍ୟୁଚର୍‌ ରୋଡମ୍ୟାପ୍‌ ଫର୍ ଏଜୁକେସନ ଇନ୍ ଇଣ୍ଡିଆ) ଅବସରରେ ବକ୍ତାମାନେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ। ଖେଳକୁ କ୍ୟାରିୟର ଏବଂ ବୃତ୍ତି କରିବାକୁ ଆଗ୍ରହୀ ବ୍ୟକ୍ତି ଓ ପରିବାର ଏଣିକି ଏକ ବ୍ୟବସ୍ଥିତ ସୁବିଧା ପାଇବେ। ପାଠ୍ୟକ୍ରମରେ କ୍ରୀଡ଼ାର ଗୁରୁତ୍ବ ବଢ଼ିଥିବାରୁ ଏଥିରେ ମଧ୍ୟ ସ୍ବତନ୍ତ୍ର ଭାବେ ଡିଗ୍ରୀ ହାସଲ କରିପାରିବ ବୋଲି ସୂଚନା ଦିଆଯାଇଛି।

ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଡକ୍ଟର ପଙ୍କଜ ମିତ୍ତଲ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଇମ୍ଫାଲସ୍ଥିତ ଜାତୀୟ କ୍ରୀଡ଼ା ବିଶ୍ବବିଦ୍ୟାଳୟର ଡିନ୍‌ ଡକ୍ଟର ପ୍ରଫେସର ଜୟଶ୍ରୀ ଆଚାର୍ଯ୍ୟ, ଗବେଷିକା ତଥା ସାମାଜିକ କର୍ମୀ ପୟୋସିନୀ ମିତ୍ର, ସମ୍ଭକାର ସୁଭଶ୍ରୀ ଦାସ, କିଟ୍‌ ପ୍ରୋ ଭାଇସ୍‌ ଚାନ୍ସଲର୍‌ ଡକ୍ଟର ସସ୍ମିତା ସାମନ୍ତଙ୍କ ସହ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଦୂତି ଚାନ୍ଦ, ଅମିୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ, ଶ୍ରୀୟଙ୍କା ଷଡ଼ଙ୍ଗୀ, ଋତୁପର୍ଣ୍ଣା ପଣ୍ଡା ଏହି ୱେବିନାରରେ ଭାଗ ନେଇଥିଲେ। କିଟ୍‌ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶିକ୍ଷାନୀତିରେ କ୍ରୀଡ଼ାର ଗୁରୁତ୍ବ ଉପରେ ମତ ରଖିବା ସହିତ ବହୁ ପୂର୍ବରୁ କିଟ୍‌ ଓ କିସ୍‌ରେ ଶିକ୍ଷା ଓ ଖେଳର ଉପଯୁକ୍ତ ମିଶ୍ରଣ ହୋଇଥିବା ପ୍ରକାଶ କରିଥିଲେ। କ୍ରିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର