ବିରାଟ ଯୁଗକୁ ସ୍ବାଗତ

O ଜେଫ୍ ଥମ୍ପ୍‌ସନ୍‌ O ଅଷ୍ଟ୍ରେଲୀୟ କିମ୍ବଦନ୍ତୀ

ନୂଆ ବର୍ଷର ଆଗମନ ଦୃଷ୍ଟିରୁ ମୁଁ ପ୍ରଥମେ ଏହାର ସୁଯୋଗ ନେଇ ସମସ୍ତ ଭାରତୀୟଙ୍କୁ ସୁଖ ଓ ସମୃଦ୍ଧିର ଶୁଭ କାମନା ଜଣାଉଛି। କ୍ରିକେଟ୍‌ ଦୁନିଆରେ ଏକ ନୂଆ ଯୁଗକୁ ସ୍ବାଗତ କରିବା ଲାଗି ଏହାଠାରୁ ଅଧିକ ବଡ଼ ମୁହୂର୍ତ ନାହିଁ। ଆମେ ଗର୍ବର ସହ ଘୋଷଣା କରିପାରିବା ଯେ ଏହା ‘ବିରାଟ ଯୁଗ’। ଟେଷ୍ଟ୍‌ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇ ବିରାଟ କୋହଲି ଦଳ ଏବେ ଆଉ ଶୃଙ୍ଖଳା ନହାରିବା ନିଶ୍ଚିତ କରିଛି। କୋହଲିଙ୍କ ଦଳ ଯଦି ସିଡନିରେ ଜିତୁଛି, ତେବେ ନୂଆ ଇତିହାସ ରଚିବ। ମୋ ମତରେ ଏବେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି। ସିଡନିରେ ଅମୀମାଂସିତ ମିଳିଲେ ବି ଭାରତକୁ ଶୃଙ୍ଖଳା ବିଜୟର ସଫଳତା ଦେ‌ଇଦେବ। ପୂର୍ବ ସ୍ତମ୍ଭରେ ମୁଁ ଉଲ୍ଲେଖ କରିଥିଲି ବିରାଟ କୋହଲି ପ୍ରତିପକ୍ଷ ଅଧିନାୟକ ଟିମ୍ ପେନ୍‌ଙ୍କ ସହ କୌଣସି ବାକ୍‌ବିତଣ୍ଡାରେ ସମ୍ପୃକ୍ତ ରହିବା କଥା ନୁହେଁ। ଅଷ୍ଟ୍ରେଲୀୟମାନେ ଏହାକୁ ଏକ କୌଶଳ ଭାବେ ଗ୍ରହଣ କରିଥାନ୍ତି। ସେମାନେ ପ୍ରତିପକ୍ଷ ଅଧିନାୟକଙ୍କୁ ଲକ୍ଷ୍ୟ ରଖିଥାନ୍ତି ଏବଂ ଦଳକୁ ଅସ୍ଥିର କରିଦେବାକୁ‌ ଚେଷ୍ଟା କରନ୍ତି। କୋହଲି ମେଲବର୍ନରେ ତୁରନ୍ତ ଏଭଳି ଭୁଲକୁ ବୁଝି ପାରିଥିଲେ ଏବଂ ଏଥିରେ ପଶି ନଥିଲେ। ମୁଁ ଭାବୁଛି ଅଧିନାୟକ ଭାବେ କୋହଲି ନିଜ ସେନାଙ୍କୁ ଠିକଣା ମାର୍ଗଦର୍ଶନ ଦେଇଛନ୍ତି। ଭାରତର ବୋଲିଂ ଏବେ ସର୍ବତ୍ର ଶିରୋନାମା ପାଲଟିଛି। ପୂର୍ବ ତୁଳନାରେ ସେମାନଙ୍କ ଆକ୍ରମଣରେ ଏବେ ଅଧିକ ପେସ୍ ରହିଛି। ଯଶପ୍ରୀତ୍ ବୁମରାଙ୍କୁ ଘେରି ରହିଛି ଭାରତର ଏହି ସଫଳତା। ବିଗତ ୧୨ ମାସ ଭିତରେ ସେ ବହୁ ୱିକେଟ୍ ନେଇ ସାରିଛନ୍ତି। ହାରାହାରି ମଧ୍ୟ ଭଲ ରହିଛି, ୱିକେଟ୍ ପିଛା ୨୧ ରନ୍ ଭାରି ପ୍ରଶଂସନୀୟ। ମେଲବର୍ନରେ ପ୍ରଥମ ପାଳିରେ ୬ ଏବଂ ଦ୍ବିତୀୟ ପାଳିରେ ୩ ୱିକେଟ୍ ହିଁ ମ୍ୟାଚ୍‌ରୁ ଫଳାଫଳ ବାହାର କରିବାରେ ନିର୍ଣ୍ଣାୟକ ହୋଇଛି।
ଅଷ୍ଟ୍ରେଲିଆ ବୋଲିଂରେ ପ୍ୟାଟ୍ କମିନ୍ସଙ୍କୁ ଛାଡ଼ିଦେଲେ ଅନ୍ୟ କେହି ନୂଆ ବଲ୍‌ରେ ସିମ୍‌ରେ ହିଟ୍ କରିବାକୁ ଚେଷ୍ଟା ନ କରିବା ନିରାଶାଜନକ। ଭାରତୀୟ ବୋଲରମାନେ ଏ କ୍ଷେତ୍ରରେ ଭଲ ଦକ୍ଷତା ଦେଖାଇଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟିଂ ମଧ୍ୟ ହାରାହାରି ସ୍ତରର ଏବଂ ସେମାନେ ଟେଷ୍ଟ୍‌ କ୍ରିକେଟର୍ ନୁହନ୍ତି। ଟେଷ୍ଟ୍ କ୍ରିକେଟ୍‌ ଖେଳିବା ଭଳି ମାନ ସେମାନଙ୍କ ପାଖରେ ନାହିଁ। ଭାରତର ବୋଲିଂ କ୍ଷମତାକୁ ମୁଁ ଗୌଣ କରୁନାହିଁ, କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ ଅତି ସାଧାରଣ ସ୍ତରର। ପ୍ୟାଟ୍‌ କମିନ୍ସ ପାଳିର ସର୍ବାଧିକ ରନ୍ କରିବା ହିଁ ଏହି କଥା କହୁଛି। ଦଳରେ ଅଧିକାଂଶ ବ୍ୟାଟ୍‌ସମ୍ୟାନ୍‌ କାମଚଳା, ଅଥଚ ସ୍ଥାୟୀ ନୁହଁନ୍ତି। ତାରକା ବ୍ୟାଟ୍‌ସମ୍ୟାନ୍ ଆବଶ୍ୟକ, ସାଧାରଣ ନୁହେଁ। ୩ଟି‌ ଟେଷ୍ଟ୍‌ ଶେଷ ‌ହୋଇଗଲା, ଜଣେ ହେଲେ ଶତକ ହାସଲ କରିପାରିଲେ ନାହିଁ। ସିଡନିରେ ଶତକ ମିଳିଲେ ମୁଁ ନିଶ୍ଚିତ ଆଶ୍ଚର୍ଯ୍ୟ ହେବି। କିନ୍ତୁ ଫଳାଫଳ ପାଇଁ ମୁଁ ଟିମ୍ ପେନ୍‌ଙ୍କୁ‌ ଦୋଷ ଦେଇ ପାରିବି ନାହିଁ। ଏଭଳି ବ୍ୟାଟିଂ ଲାଇନ୍ ଅପ୍ ରଖିଥିଲେ କେବଳ ଯାଦୁକର ହିଁ ଭାଗ୍ୟ ବଦଳାଇ ଦେଇପାରିବ।
ମୁଁ ଯଦି ଭାରତୀୟ ଅଧିନାୟକ ଥାଆନ୍ତି, ତେବେ ଏକମାତ୍ର ଚିନ୍ତା ହେଉଛି ପ୍ରାରମ୍ଭିକ ଯୋଡ଼ି। ପଦାର୍ପଣ ଟେଷ୍ଟ୍‌ରେ ମୟଙ୍କ ଅଗ୍ରୱାଲ ଭଲ କରିଛନ୍ତି। କାମଚଳା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ହନୁମା ବିହାରୀଙ୍କ ଟେକନିକ୍‌ ନେଇ ମୁଁ ଏତେ ପ୍ରଭାବିତ ନୁହେଁ। ମୟଙ୍କଙ୍କ ସମ୍ପର୍କରେ ଅଷ୍ଟ୍ରେଲୀୟ ଭାଷ୍ୟକାର କେରି ଓ’କିଫଙ୍କ ଆଲୋଚନା ବି ପସନ୍ଦଯୋଗ୍ୟ ନ ଥିଲା। ଏହି ଖେଳାଳି ଉଭୟ ପାଳିରେ ଦଳ ପାଇଁ ମୂଲ୍ୟବାନ ରନ୍ ସଂଗ୍ରହ କଲେ ଏବଂ ଦଳର ବିଜୟରେ ବଡ଼ ଯୋଗଦାନ ଦେଇଥି‌ଲେ। କେରି ଓ’କିଫ୍‌ଙ୍କ ଭଳି ମାମୁଲି କ୍ରିକେଟର୍‌ ଯାହାଙ୍କୁ ତାଙ୍କ ସମୟରେ‌ କେହି ନେଉ ନଥିଲେ ସେ ଜଣେ ପ୍ରତିଭାସମ୍ପନ୍ନ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ ସମ୍ପର୍କରେ ଟିପ୍ପଣୀ ଦେବାର ନ ଥିଲା। (୩୬୦ କର୍ପୋରେଟ୍‌ ରିଲେସନ୍ସ)

ସମ୍ବନ୍ଧିତ ଖବର