ବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ୱାଗତ

ମୁମ୍ବାଇ,: ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ଭାରତୀୟ କନିଷ୍ଠ କ୍ରିକେଟ୍‌ ଦଳ ସୋମବାର ସ୍ୱଦେଶ ଫେରିଛି। ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପୃଥ୍ଵୀ ସ’ଙ୍କ ନେତୃତ୍ୱାଧୀନ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆ ଯାଇଛି। ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ମୁମ୍ବାଇ କ୍ରିକେଟ୍‌ ସଂଘର ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବାହାରକୁ ପାଛୋଟି ନେଇଥିଲେ। ସ’ ଓ ତାଙ୍କ ସେନା ଅପରାହ୍ନ ୩ଟା ୩୦ରେ ବିମାନ ବନ୍ଦରରୁ ବାହରିବା ପରେ ସେମାନଙ୍କୁ ଦେଖିବା ଲାଗି ବିମାନ ବନ୍ଦର ଏବଂ ଏହାର ଆଖ ପାଖ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଥିଲା। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଖେଳାଳିମାନଙ୍କ ସହ ଆସିଥିଲେ। ପିଲାଙ୍କ ପ୍ରଦର୍ଶନରେ ମୁଁ ଅତ୍ୟନ୍ତ ଗର୍ବିତ। ସେମାନେ ବିଶ୍ୱବିଜେତା ଭଳି ଖେଳିଲେ ବୋଲି ଏହି ଅବସରରେ ଦ୍ରାବିଡ କହିଥିଲେ। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡରେ ଆୟୋଜିତ ବିଶ୍ୱକପ୍‌ରେ ଅପରାଜେୟ ରହିବା ସହ ଚତୁର୍ଥ ଥର ପାଇଁ ଦେଶବାସୀଙ୍କୁ ବିଶ୍ୱକପ୍‌ ଉପହାର ଦେଇଥିଲେ।

ଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲୁ: ଦ୍ରାବିଡ

ନ୍ୟୁଜିଲାଣ୍ଡରୁ ସୋମବାର ଭାରତ ଫେରିବା ପରେ ବିଶ୍ୱ ବିଜୟୀ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ପୃଥ୍ଵୀ ସ’ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଦ୍ରାବିଡ କହିଥିଲେ ଯେ ଆମକୁ ମନ ମୁତାବକ ଫଳ ମିଳିଲା। ହେଲେ ସତ କହିବାକୁ ଗଲେ ଫାଇନାଲ୍‌ରେ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲୁ। ପିଲାମାନଙ୍କୁ ନେଇ କିନ୍ତୁ ମୁଁ ବେଶ୍‌ ଗର୍ବିତ। ସେମାନେ ବିଶ୍ୱ ବିଜୟୀ ମୁକୁଟ ପିନ୍ଧିଲେ। ତେବେ ବିଶ୍ୱକପ୍‌ ଜିତିବା ଅପେକ୍ଷା ଏଥିଲାଗି ଅନୁସରଣ କରିଥିବା ପ୍ରକ୍ରିୟା ମୋତେ ଅଧିକ ଆତ୍ମସନ୍ତୋଷ ଦେଇଛି। ୧୫-୧୬ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପାଇଁ ଖେଳାଳିମାନେ ଅନେକ ଉନ୍ନତି କରି ପାରିଛନ୍ତି। ଏହାକୁ ଆମକୁ ଜାରି ରଖିବାକୁ ହେବ।

ସମ୍ବନ୍ଧିତ ଖବର