ଓ୍ଵିମ୍ବଲଡନ୍‌ରେ ନୂଆ କୀର୍ତି

୬ ଘଣ୍ଟା ୩୫ ମିନିଟ୍‌ ଖେଳିଲେ ଆଣ୍ଡରସନ୍‌-ଇଜ୍‌ନର୍‌

ଲଣ୍ଡନ୍‌: ଓ୍ଵିମ୍ବଲ୍‌ଡନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଶୁକ୍ରବାର ନୂଆ କୀର୍ତିମାନ ପ୍ରତିଷ୍ଠା ହୋଇଛି। ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ ଏବଂ ଆମେରିକାର ଜନ୍‌ ଇଜ୍‌ନର୍‌ ୬ ଘଣ୍ଟା ୩୫ ମିନିଟ୍‌ ଖେଳି ସର୍ବାଧିକ ସମୟର ଓ୍ଵିମ୍ବଲଡନ୍‌ କୀର୍ତିମାନକୁ ନିଜ ନାମକୁ ନେଇଛନ୍ତି। ପୂର୍ବରୁ ଏହି କୀର୍ତିମାନ ନୋଭାକ୍‌ ଜୋକୋଭିକ୍‌ ଏବଂ ଜୁଆନ୍‌ ମାର୍ଟିନ ଡେଲ୍‌ ପୋତ୍ରା (୪ ଘଣ୍ଟା ୪୪ ମିନିଟ୍‌, ୨୦୧୩)ଙ୍କ ନାମରେ ଥିଲା। ଜନ୍‌ ଇଜ୍‌ନର ମଧ୍ୟ ପୁଣି ଏକ ଗ୍ରାଣ୍ଡ ସ୍ଲାମ୍‌ କୀର୍ତିମାନରେ ନିଜ ନାମ ସାମିଲ କରିନେଲେ। ଓ୍ଵିମ୍ବଲଡନ୍‌ ଇତିହାସରେ ସବୁଠୁ ଦୀର୍ଘତମ ମ୍ୟାଚ୍‌ କୀର୍ତିରେ ମଧ୍ୟ ଇଜ୍‌ନର୍‌ ସାମିଲ ଅଛନ୍ତି। ୨୦୧୦ ମସିହାରେ ଏକ ପ୍ରଥମ ରାଉଣ୍ଡ୍‌ ମ୍ୟାଚ୍‌ରେ ସେ ଫ୍ରାନସର ନିକୋଲାସ୍‌ ମାହୁତ୍‌ଙ୍କ ସହ ୧୧ ଘଣ୍ଟା ଧରି ଖେଳିଥିଲେ। ପୂର୍ବରୁ କ୍ୱାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ସ୍ୱିଜରଲାଣ୍ଡ୍‌ର ରୋଜର୍‌ ଫେଡେରର୍‌ଙ୍କୁ ସୁପର ଟାଇବ୍ରେକରରେ ପରାସ୍ତ କରିଥିବା ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ ପୁଣି ଏକ ସୁପର ଟାଇବ୍ରେକର୍‌ ଖେଳି ମାରାଥନ୍‌ ମୁକାବିଲାର ନାୟକ ସାଜିଛନ୍ତି। ଏହି ସେମିଫାଇନାଲ୍‌ ରୋମାଞ୍ଚକର ରହିଥିଲା। ଅଷ୍ଟମ ମାନ୍ୟତା ଆଣ୍ଡରସନ୍‌ ପ୍ରଥମ ସେଟ୍‌କୁ ୭-୬ (୮-୬)ରେ ଜିତିବା ପରେ ନବମ ମାନ୍ୟତା ଇଜ୍‌ନର ଦ୍ୱିତୀୟ ଓ ତୃତୀୟ ସେଟ୍‌କୁ ଯଥାକ୍ରମେ ୭-୬ (୭-୫) ଓ ୭-୬ (୧୧-୯)ରେ ଜିତି ୨-୧ରେ ଅଗ୍ରଣୀ ପାଇଥିଲେ। ଚତୁର୍ଥ ସେଟ୍‌କୁ ଆଣ୍ଡରସନ୍‌ ପୁଣି ୬-୪ରେ ଜିତି ସ୍ଥିତି ୨-୨ କରିଥିଲେ। ମ୍ୟାଚ୍‌ ମଧ୍ୟ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍‌କୁ ଟାଣି ହୋଇଯାଇଥିଲା। ଏହି ସେଟ୍‌ ହିଁ ଓ୍ଵିମ୍ବଲଡନ୍‌ ସେମିଫାଇନାଲ୍‌ରେ ନୂଆ କୀର୍ତିମାନ (୬ ଘଣ୍ଟା ୩୫ ମିନିଟ୍‌) କରିଥିଲା। କେହି କାହାରିକୁ ବାଟ ଛାଡୁନଥିଲେ। ସୁପର୍‌ଟାଇବ୍ରେକ୍‌ରକୁ ୨୬-୨୪ରେ ଜିତି ଫାଇନାଲ୍‌ରେ ପହଞ୍ଚିଯାଇଥିଲେ ଆଣ୍ଡରସନ୍‌। ରବିବାର ଫାଇନାଲ୍‌ରେ ଆଣ୍ଡରସନ୍‌ ଦ୍ୱିତୀୟ ସେମିଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ନୋଭାକ୍‌ ଜୋକୋଭିକ୍‌ କିମ୍ବା ରାଫେଲ୍‌ ନାଦାଲଙ୍କୁ ଭେଟିବେ। ଇଜ୍‌ନର୍‌ ୪୧ ଗ୍ରାଣ୍ଡ୍‌ସ୍ଲାମ୍‌ ଖେଳିବା ପରେ ପ୍ରଥମ ସେମିଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ପୂର୍ବରୁ ୯ ଥର ଓ୍ଵିମ୍ବଲଡନ୍‌ ଖେଳିଥିଲେ ମଧ୍ୟ କୌଣସି ଥର ତୃତୀୟ ପର୍ଯ୍ୟାୟ ଅତିକ୍ରମ କରିପାରିନଥିଲେ। ସୂଚନାଯୋଗ୍ୟ, ଏଥର ମଧ୍ୟ ଫେଡେରର୍‌-ଆଣ୍ଡରସନ୍‌ଙ୍କ ମ୍ୟାଚ୍‌ ୪ ଘଣ୍ଟା ୧୪ ମିନିଟ୍‌ରେ ଏବଂ ନାଦାଲ-ଡେଲ୍‌ ପୋଟ୍ରୋଙ୍କ ମୁକାବିଲା ୪ ଘଣ୍ଟା ୪୮ ମିନିଟ୍‌ରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର