୨୦୨୧ରେ ଆମେ ଆହୁରି ଶକ୍ତିଶାଳୀ ହେବୁ: ଓସାକା

ଟୋକିଓ: ଟୋକିଓ ୨୦୨୦ ଅଲିମ୍ପିକ୍‌ସର ପୋଷ୍ଟର ଗାର୍ଲ ତଥା ଜାପାନୀ ଟେନିସ୍‌ ଲଳନା ନାଓମି ଓସାକା କରୋନା ଭୂତାଣୁ ମହାମାରୀ ଯୋଗୁଁ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ନିଷ୍ପତ୍ତିକୁ ପୂରା ସମର୍ଥନ କରିଛନ୍ତି। ଓସାକା ଶନିବାର ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ୨୦୧୮ରେ ୟୁଏସ୍‌ ଓପନ୍‌ ଏବଂ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିବା ଓସାକା ଗତମାସରେ ଟୋକିଓ ୨୦୨୦ ଅଫିସିଆଲ ମୋଟ୍ଟୋକୁ ଉନ୍ମୋଚିତ କରିଥିବାର ଭିଡିଓ ପୋଷ୍ଟ କରିଥିଲେ। ଏହାପରେ ସାରା ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପକ ହେବାରୁ ଜାପାନ ସରକାର ଓ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ମିଳିତ ଭାବେ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାର ନିଷ୍ପତ୍ତି ନେଇଥିଲେ। ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଓସାକା। ତେବେ ଅଲିମ୍ପିକ୍‌ର ଗୁରୁତ୍ବ ବିଶେଷକରି ମୋ ପାଇଁ କ’ଣ ତାହା ସମସ୍ତେ ଜାଣନ୍ତି। ନିଜ ଦେଶରେ ଆୟୋଜିତ ଅଲିମ୍ପିକ୍ସରେ ଭାଗ ନେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବ କଥା। ଏଥିପାଇଁ ମୁଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲି। ହେଲେ ଚଳିତ ବର୍ଷ ଏହା ହୋଇନପାରିବାରୁ କିଛିଟା ନିରାଶ ହୋଇଛି। କିନ୍ତୁ ଆରବର୍ଷ (୨୦୨୧) ବେଳକୁ ପ୍ରସ୍ତୁତି ଆହୁରି ଶାଣୀତ ହୋଇଯାଇଥିବ ଏବଂ ଆମେ ଆହୁରି ଶକ୍ତିଶାଳୀ ହେବୁ ବୋଲି ବିଶ୍ବ ମାନ୍ୟତାର ୧୦ ନମ୍ବର ଓସାକା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଲିମ୍ପିକ୍‌ ଗୋଟିଏ ବର୍ଷ ଘୁଞ୍ଚାଇବାର ସାହସିକ ନିଷ୍ପତ୍ତି ପାଇଁ ମୁଁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଆଇଓସିକୁ ୧୦୦ ପ୍ରତିଶତ ସମର୍ଥନ ଜଣାଉଛି ବୋଲି କହିଛନ୍ତି ଓସାକା। କ୍ରୀଡ଼ା ପୁଣି ଥରେ ଆମକୁ ଏକାଠି କରିବ ଏବଂ ଆମେ ସେଥିପାଇଁ ସର୍ବଦା ପ୍ରସ୍ତୁତ ରହିବା ଦରକାର। କିନ୍ତୁ ସେହି ସମୟ ଏବେ ନୁହେଁ ବୋଲି ୨୨ ବର୍ଷ ବୟସ୍କା ଓସାକା ମତ ଦେଇଛନ୍ତି। ସାରା ଦେଶ ଏବେ କରୋନା ବିରୋଧରେ ଲଢ଼ୁଛି। ଦେଶବାସୀଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଆଉ ମୋ ମତରେ ତାହା ହିଁ ହେବ ଅଲିମ୍ପିକ୍‌ ଉତ୍ସାହ। ସେ ଜାପାନ ‌ଜନସାଧ‌ାରଣଙ୍କୁ ମାନସିକ ଭାବେ ଦୃଢ଼ ରୁହ, ନିଜେ ନିଜର ଯତ୍ନ ନିଅ, ସୁସ୍ଥ ରୁହ ବୋଲି ପରାମର୍ଶ ଦେଇଛନ୍ତି। ଓସାକାଙ୍କ ଏହି ବାର୍ତାକୁ ୫ ଲକ୍ଷରୁ ଅଧିକ ଟ୍ବିଟରରେ ଅନୁସରଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, କରୋନା ଭୂତାଣୁ ଜାପାନରେ ୧୪୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଥିଲା ବେଳେ ୪୭ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର