ୱେଲିଂଟନ୍‌ ଟେ‌ଷ୍ଟରେ ବର୍ଷା: ପ୍ରଥମ ଦିନ ନ୍ୟୁଜିଲାଣ୍ଡ ୧୫୫/୨

ୱେଲିଂଟନ୍‌ : ବର୍ଷା, ପ୍ରତିକୁଳ ପାଗ ଏବଂ ଶେଷରେ ଆଲୋକ ଅଭାବ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଦ୍ବିତୀୟ ତଥା ଶେଷ ଟେଷ୍ଟର ପ୍ରଥମ ଦିବସରେ ବାଧକ ସାଜିଛି। ପ୍ରଥମେ ବର୍ଷା ଯୋଗୁଁ ପ୍ରଥମ ସେସନ ଖେଳ ସମ୍ଭବ ହୋଇନଥିଲା। ମଧ୍ୟାହ୍ନ ବିରତି ପରେ ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ମେଘୁଆ ପାଗ ଏବଂ ଆଲୋକ ଅଭାବ ପାଇଁ ତୃତୀୟ ସେସନ୍‌ରେ ଅଧା ସମୟ ଖେଳ ହୋଇପାରିଥିଲା। ମୋଟ ଉପରେ ପ୍ରଥମ ଦିବସରେ ୪୮ ଓଭର ବୋଲିଂ ସମ୍ଭବ ହୋଇଥିଲା ବେଳେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଘରୋଇ ନ୍ୟୁଜିଲାଣ୍ଡ ୨ ୱିକେଟ୍‌ ବିନିମୟରେ ୧୫୫ ରନ୍‌ କରିଛି।

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ହେଲେ ଟମ୍‌ ଲାଥାମ ଓ ଡେଭନ୍‌ କନ୍‌ୱେ ପ୍ରଥମ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ୨୫ ଓଭର ପର୍ଯ୍ୟନ୍ତ ସିଂହଳୀ ବୋଲରଙ୍କୁ ନିରାଶ କରିଥିଲେ। ତେବେ ୨୬ତମ ଓଭରର ପ୍ରଥମ ବଲ୍‌ରେ ଲାଥାମଙ୍କୁ କାସୁନ ରଜିଥା‌ ଆଉଟ୍‌ କରି ଯୋଡ଼ି ଭାଙ୍ଗି‌ଥିଲେ। କିନ୍ତୁ କନ୍‌ୱେ ୧୦୮ ବଲ୍‌ରୁ ୧୩ ଚୌକା ସହାୟତାରେ ଅର୍ଦ୍ଧଶତକ ପୂରଣ କରି ୩୬ତମ ଓଭରର ଚତୁର୍ଥ ବଲ୍‌ରେ ଧନଞ୍ଜୟ ଡି ସିଲ୍‌ଭାଙ୍କ ଶିକାର ହୋଇଥିଲେ। ଏହାପରେ କେନ୍‌ ୱିଲିୟମ୍‌ସନ ଏବଂ ହେନ୍‌ରି ‌ନିକୋଲ୍‌ସ ତୃତୀୟ ୱିକେଟ୍‌ରେ ଅବିଭାଜିତ ୩୭ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ ଜାରି ରଖିଛନ୍ତି।

୨୦୦୬ ପରେ ନ୍ୟୁଜିଲାଣ୍ଡରେ ପ୍ରଥମ ଟେଷ୍ଟ ବିଜୟର ଆଶା ବାନ୍ଧିଥିବା ଶ୍ରୀଲଙ୍କା ଏହି ଟେଷ୍ଟ୍‌ ପାଇଁ ୱିକେଟ୍‌ରକ୍ଷକ ନିରୋସାନ ଡିକ୍‌ୱେଲାଙ୍କୁ ବାଦ୍‌ ଦେଇ ନିଶାନ ମଦୁଶଙ୍କାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରି ପଦାର୍ପଣ ସୁଯୋଗ ଦେଇଥିଲା ବେଳେ ଘରୋଇ ନ୍ୟୁଜିଲାଣ୍ଡ ଆହତ ନିଲ୍‌ ୱାଗ୍‌ନରଙ୍କ ସ୍ଥାନରେ ପେସ୍‌ ବୋଲର ଡଗ୍‌ ବ୍ରାସ୍‌ୱେଲଙ୍କୁ ସାମିଲ କରିଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୪୮ ଓଭରରେ ୧୫୫/୨ (ଡେଭନ କନ୍‌ୱେ-୭୮, କେନ୍‌ ୱିଲିୟମ୍‌ସନ-୩୬*, ଟମ୍‌ ଲାଥାମ-୨୧, ହେନ୍‌ରି ନିକୋଲ୍‌ସ-୧୮*, କାସୁନ ରଜିଥା-୧/୪୨, ଧନଞ୍ଜୟ ଡି ସିଲ୍‌ଭା-୧/୧୮)।

ସମ୍ବନ୍ଧିତ ଖବର