ୱେଲିଂଟନ୍: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍କୁ ରୋମାଞ୍ଚକ ଭାବେ ଶେଷ ବଲ୍ରେ ଜିତିଥିବା ଘରୋଇ ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚ୍ରେ ବିଜୟ ଦ୍ବାରରେ ପହଞ୍ଚିଛି। ଫଳରେ ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ଶୃଙ୍ଖଳା ମୂଳପୋଛ କରିବାର ନିକଟତର ହୋଇଛି ନ୍ୟୁଜିଲାଣ୍ଡ। ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦୁଇ ଦିନ ବ୍ୟାଟିଂରେ କମାଲ ଦେଖାଇଥିବା ଘରୋଇ ଦଳ ରବିବାର ତୃତୀୟ ଦିନରେ ବୋଲିଂରେ ଶ୍ରୀଲଙ୍କାକୁ ଦାବିଦେଇଛି। କେନ୍ ୱିଲିୟମସନ୍ ଓ ହେନରି ନିକୋଲ୍ସଙ୍କ କୀର୍ତ୍ତିମାନ ଭରା ଦ୍ବିଶତକୀୟ ରନ୍ ବଳରେ ଘରୋଇ ଦଳ ୫୮୦/୪ରେ ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଶ୍ରୀଲଙ୍କାର ପ୍ରଥମ ପାଳିକୁ ମାତ୍ର ୧୬୪ ରନ୍ରେ ଶେଷ କରି ଫଲୋଅନ୍ ଡାକିବା ପରେ ଦ୍ବିତୀୟ ପାଳିର ୨ ୱିକେଟ୍ ଝାଡ଼ି ଦେଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ୧୧୩/୨ରେ ସଂଘର୍ଷ କରୁଛି। ଅଧିନାୟକ ଦିମୁଥ କରୁଣାରତ୍ନେ (୫୧ ରନ୍) ଓ ଓସାଦା ଫର୍ଣ୍ଣାଣ୍ଡୋ (୫ ରନ୍) ଆଉଟ୍ ହୋଇଥିଲା ବେଳେ କୁସାଲ ମେଣ୍ଡିସ (୫୦* ରନ୍) ଓ ଆଞ୍ଜେଲୋ ମାଥ୍ୟୁସ (୧ ରନ୍) ବ୍ୟାଟିଂ ଜାରି ରଖିଛନ୍ତି। ଟିମ୍ ସାଉଦି ଓ ଡଗ୍ ବ୍ରେସୱେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ପାଳି ପରାଜୟ ଏଡ଼ାଇବାକୁ ଶ୍ରୀଲଙ୍କାକୁ ଆହୁରି ୩୦୪ ରନ୍ ଆବଶ୍ୟକ ରହିଛି।
ପୂର୍ବଦିନ ସ୍କୋର୍ ୨୬/୨ରୁ ଖେଳିଥିବା ଶ୍ରୀଲଙ୍କା ତୃତୀୟ ଦିନର ଚା’ପାନ ପୂର୍ବରୁ ସମସ୍ତ ୱିକେଟ୍ ହରାଇଥିଲା। ଭ୍ରମଣକାରୀ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ୮୯, ଦିନେଶ ଚାନ୍ଦିମାଳ ୩୭ ଓ ନିଶାନ ମଧୁସ୍କା ୧୯ ରନ୍ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରି ଓ ମାଇକେଲ ବ୍ରାସୱେଲ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୧୨୩ ଓଭରରେ ୫୮୦/୪ (ଘୋଷିତ)। ଶ୍ରୀଲଙ୍କା ପ୍ରଥମ ପାଳି ୬୬.୫ ଓଭରରେ ୧୬୪/୧୦ (ଦିମୁଥ କରୁଣାରତ୍ନେ ୮୯, ଦିନେଶ ଚାନ୍ଦିମାଳ ୩୭, ମ୍ୟାଟ୍ ହେନରି ୩/୪୪, ମାଇକେଲ ବ୍ରାସୱେଲ ୩/୫୦)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୪୩ ଓଭରରେ ୧୧୩/୨ (ଦିମୁଥ କରୁଣାରତ୍ନେ ୫୧, ଦିନେଶ ଚାନ୍ଦିମାଳ ୫୦*, ଟିମ୍ ସାଉଦି ୧/୯, ଡଗ୍ ବ୍ରେସୱେଲ ୧/୨୦)।