ୱେଲିଂଟନ୍‌ ଟେଷ୍ଟ: ୱିଲିୟମସନ୍‌-୨୧୫, ନିକୋଲ୍‌ସ-୨୦୦*

୫୮୦/୪ରେ ନ୍ୟୁଜିଲାଣ୍ଡର ପାଳି ଘୋଷଣା, ଶ୍ରୀଲଙ୍କା ୨୬/୨

ୱେଲିଂଟନ୍‌: କେନ୍‌ ୱିଲିୟମସନ୍‌ ଓ ହେନରି ନିକୋଲ୍‌ସ୍‌ଙ୍କ କୀର୍ତ୍ତିମାନ ଭରା ଦ୍ବିଶତକୀୟ ରନ୍‌ ବଳରେ ଶ୍ରୀଲଙ୍କା ବିପକ୍ଷ ୱେଲିଂଟନ୍‌ ଟେଷ୍ଟରେ ନ୍ୟୁଜିଲାଣ୍ଡ ୪ ୱିକେଟ୍‌ ବିନିମୟରେ ୫୮୦ ରନ୍ କରି ପ୍ରଥମ ପାଳି ଘୋଷଣା କରିଛି। ଏହାର ଜବାବରେ ଶ୍ରୀଲଙ୍କା ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୨୬ ରନ୍‌ରେ ୨ ୱିକେଟ୍‌ ହରାଇସାରିଛି। ଓସାଦା ଫର୍ଣ୍ଣାଣ୍ଡୋ (୬)ଙ୍କୁ ମ୍ୟାଟ୍‌ ହେନରି ଓ କୁସାଲ ମେଣ୍ଡିସ୍‌ଙ୍କୁ ଖାତା ଖୋଲିବା ଆଗରୁ ଡଗ୍‌ ବ୍ରାସ୍‌ୱେଲ୍‌ ଆଉଟ୍‌ କରି ପ୍ରାରମ୍ଭିକ ସଫଳତା ଦେଇଛନ୍ତି। ଏବେ ବି ଶ୍ରୀଲଙ୍କା ଆହୁରି ୫୫୪ ରନ୍‌ ପଛରେ ରହିଛି।

ପ୍ରଥମ ଦିନର ଦୁଇ ଅପରାଜିତ ଯୋଡ଼ି ୱିଲିୟମସନ୍‌ ଓ ନିକୋଲ୍‌ସ୍‌ ଦ୍ବିତୀୟ ଦିନରେ ମିଳିତ ଭାବେ ୩୬୩ ରନ୍‌ ଯୋଡ଼ିଥିଲେ। ଯାହାକି ଘରୋଇ ଦଳ ପାଇଁ ତୃତୀୟ ୱିକେଟ୍‌ରେ ଦ୍ବିତୀୟ ସର୍ବାଧିକ ଏବଂ ନ୍ୟୁଜିଲାଣ୍ଡରେ ହୋଇଥିବା ଟେଷ୍ଟଗୁଡ଼ିକ ମଧ୍ୟରେ ଚତୁର୍ଥ ସର୍ବାଧିକ ଭାଗୀଦାରି ହୋଇପାରିଥିଲା। ଉଭୟ ଦ୍ବିଶତକ ମଧ୍ୟ ଅର୍ଜନ କରିବା ସହ ନ୍ୟୁଜିଲାଣ୍ଡ ପାଇଁ ନୂଆ କୀର୍ତ୍ତିମାନ କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ପାଳିରେ ଦୁଇ ଜଣ ବ୍ୟାଟର ଦ୍ବିଶତକ ହାସଲ କରିବା ପ୍ରଥମ ଘଟଣା ଥିଲା। ଏହି ଯୋଡ଼ି ଦିନର ମଧ୍ୟାହ୍ନବିରତି ସୁଦ୍ଧା ୪.୩୮ ରନ୍‌ରେଟ୍‌ରେ ୩୪ ଓଭରରୁ ୧୪୯ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ମଧ୍ୟାହ୍ନ ବିରତି ପରଠୁ ଚା’ପାନ ବିରତି ମଧ୍ୟରେ ୨୬ ଓଭରରୁ ୫.୩୪ ରନ୍‌ରେଟ୍‌ରେ ୧୩୯ ରନ୍‌ ଉଠାଇଥିଲେ। ୱିଲିୟମସନ୍‌ ୨୧୫ ରନ୍‌ (୨୯୬ ବଲ୍‌, ୨୩ ଚୌକା, ୨ ଛକା) କରି ଜୟସୁରିଆଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଡାରେଲ୍‌ ମିଚେଲ୍‌ ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଯିବାରୁ ନିକୋଲ୍‌ସ୍‌ଙ୍କ ଦ୍ବିଶତକକୁ ଅପେକ୍ଷା କରାଯାଇଥିଲା। ୨୪୦ ବଲ୍‌ରୁ ୨୦୦ ରନ୍‌ (୧୫ ଚୌକା, ୪ ଛକା) କରିବା ମାତ୍ରେ ଅଧିନାୟକ ଟିମ୍‌ ସାଉଦି ପାଳି ଘୋଷଣା କରିଥିଲେ। ଲାହିରୁ କୁମାରା ସବୁଠୁ ମହଙ୍ଗା ବୋଲର ଭାବେ ୨୫ ଓଭରରୁ ୬.୫୬ ଇକୋନୋମିରେ ୧୬୪ ରନ୍‌ ବ୍ୟ ୟ କରିଥିଲେ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୧୨୩ ଓଭରରେ ୫୮୦/୪-ଘୋଷିତ (କେନ୍‌ ୱିଲିୟମସନ୍‌ ୨୧୫, ହେନରି ନିକୋଲ୍‌ସ୍‌ ୨୦୦*, ଡେଭନ କନୱେ ୭୮, କାସୁନ ରଜିଥା ୨/୧୨୬, ଧନଞ୍ଜୟ ଡି’ସିଲ୍‌ଭା ୧/୭୫, ପ୍ରବଥ ଜୟସୁରିଆ ୧/୮୬)। ଶ୍ରୀଲଙ୍କା ପ୍ରଥମ ପାଳି ୧୭ ଓଭରରେ ୨୬/୨ (ଦିମୁଥ କରୁଣାରତ୍ନେ ୧୬*, ଓସାଦା ଫର୍ଣ୍ଣାଣ୍ଡୋ ୬, ମ୍ୟାଟ୍‌ ହେନରି ୧/୧୫, ଡଗ୍‌ ବ୍ରାସୱେଲ ୧/୧)।

ସମ୍ବନ୍ଧିତ ଖବର