ୱେଲିଂଟନ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ଦୃଢ଼

ପରାଜୟ ଏଡ଼ାଇବାକୁ ବାଂଲାଦେଶର ସଂଘର୍ଷ

ୱେଲିଂଟନ୍,: ୱେଲିଂଟନଠାରେ ଖେଳା ଯାଉଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଘରୋଇ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି। ବର୍ଷା ପାଇଁ ପ୍ରଥମ ଦୁଇ ଦିନରେ ଗୋଟିଏ ହେଲେ ବି ବଲ୍ ପଡ଼ି ପାରି ନଥିଲେ ମଧ୍ୟ ପରବର୍ତୀ ଦୁଇ ଦିନରେ ନ୍ୟୁଜିଲାଣ୍ଡ ବୋଲରମାନେ ବାଂଲାଦେଶକୁ ପରାଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଛନ୍ତି। ଟସ୍ ହାରିବା ପରେ ହିଁ ବାଂଲାଦେଶର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ତମିମ ଇକବାଲ (୭୭)ଙ୍କ ଲଢ଼ୁଆ ଅର୍ଧଶତକ ସତ୍ତ୍ବେ ଏହି ଦଳ ତା’ ପ୍ରଥମ ପାଳିରେ ମାତ୍ର ୨୧୧ ରନ୍ କରି ପାରି ଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ରବିବାର ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ୱିକେଟ୍ ହରାଇ ୩୮ ରନ୍ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ ଓ ଟମ୍ ଲାଥାମ ମାତ୍ର ୮ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ହେଲେ ସୋମବାର ଖେଳରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ପୂରା ଆଧିପତ୍ୟ ବିସ୍ତାର କରିଥିଲେ। ଅଧିନାୟକ କେନ୍ ୱିଲିୟମସନ୍ (୭୪) ଙ୍କ ଅର୍ଧଶତକ ପରେ ଅଭିଜ୍ଞ ରସ୍ ‌ଟେଲର (୨୦୦ ରନ୍, ୨୧୨ ବଲ୍, ୧୯ ଚୌକା, ୪ ଛକା) ଦ୍ବିଶତକ ଏବଂ ହେନରି ନିକୋଲ୍ସ (୧୦୭ ରନ୍, ୧୨୯ ବଲ୍, ୯ ଚୌକା) ଶତକୀୟ ପାଳି ଖେଳି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଟେଲର ଆଉଟ୍ ହେବା ପୂର୍ବରୁ ଅଷ୍ଟାଦଶ ଟେଷ୍ଟ ଶତକ ହାସଲ କରି ନିଜ ମାର୍ଗଦର୍ଶକ ତଥା ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ତାରକା ସ୍ବର୍ଗତ ମାର୍ଟିନ୍ କ୍ରୋ’ଙ୍କୁ ଟପି ଯାଇଥିଲେ। ଏହା ମଧ୍ୟ ତାଙ୍କ ଖେଳ ଜୀବନର ତୃତୀୟ ଟେଷ୍ଟ ଦ୍ବିଶତକ ଥିଲା। ଅନ୍ୟ ପକ୍ଷରେ ହେନରି ନିଜ ପଞ୍ଚମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ବାମ କାନ୍ଧରେ ଆଘାତ ଲାଗିଥିବା ଅଧିନାୟକ ୱିଲିୟମସନଙ୍କ ସହ ଟେଲର ପ୍ରଥମେ ୧୭୨ ରନ୍‌ର ଭାଗୀଦାରି କରିଥିଲେ। ଏହା ପରେ ନିକୋଲାସଙ୍କୁ ସାଥୀ କରି ୨୧୬ ରନ୍ ସଂଗ୍ରହ କରିଥିଲେ। ଦୃଢ଼ ସ୍ଥିତିରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡ ସୋମବାର ଖେଳ ବନ୍ଦର ୨୩ ଓଭର ପୂର୍ବରୁ ୬ ୱିକେଟ୍ ହରାଇ ୪୩୨ ରନ୍‌ରେ ପାଳି ଘୋଷଣା କରିଥିଲା। ବାଂଲାଦେଶ ସେହି ୨୩ ଓଭରରେ ହିଁ ନିଜର ତିନି ଜଣ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ତମିମ ଇକବାଲ ୪, ସଦମନ ଇସଲାମ ୨୯ ଓ ମୋମିନୁଲ ଇସଲାମ ମାତ୍ର ୧୦ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଖେଳ ଶେଷ ବେଳକୁ ମହମ୍ମଦ ମିଥୁନ ୨୫ ଓ ସୌମ୍ୟ ସରକାର ୧୨ ରନ୍ କରି ଅପରାଜିତ ରହିଥିଲେ। ବାଂଲାଦେଶ ୮୦ ରନ୍‌ରେ ୩ ୱିକେଟ୍ ହରାଇଥିଲା। ମଙ୍ଗଳବାର ମ୍ୟାଚ୍‌ର ଶେଷ ଦିନ ହୋଇଥିଲା ବେଳେ ବାଂଲାଦେଶ ହାତରେ ୭ ୱିକେଟ୍ ଥାଇ ଏବେବି ନ୍ୟୁଜିଲାଣ୍ଡର ପ୍ରଥମ ପାଳି ସ୍କୋରଠାରୁ ୧୪୧ ରନ୍ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ପ୍ରଥମ ପାଳି ୬୧ ଓଭରରେ ୨୧୧ (ତମିମ ଇକବାଲ ୭୪, ଲିଟନ୍ ଦାସ ୩୩, ସଦମନ ଇସଲାମ ୨୭, ଟ୍ରେଣ୍ଟ ବୋଲ୍ଟ ୩/୩୮, ନିଲ ୱାଗନର ୪/୨୮, କଲିନ୍ ଗ୍ରାଣ୍ଢୋମେ ୧/୧୫)। ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୮୪.୫ ଓଭରରେ ୪୩୨/୬ (ରସ୍ ‌ଟେଲର ୨୦୦, ହେନରି ନିକୋଲ୍ସ ୧୦୭, କେନ୍ ୱିଲିୟମସନ୍ ୭୪, ଆବୁ ଜାୟେଦ ୩/୯୪, ତାଇଜୁଲ ଇସଲାମ ୨/୯୯)। ବାଂଲାଦେଶ ଦ୍ବିତୀୟ ପାଳି ୨୩ ଓଭରରେ ୮୦/୩ (ସଦମନ ଇସଲାମ ୨୯, ମହମ୍ମଦ ମିଥୁନ ୨୫*, ଟ୍ରେଣ୍ଟ ବୋଲ୍ଟ ୨/୩୪, ମ୍ୟାଟ୍ ହେନରି ୧/୧୭)।

ୱିଲିୟମସନ୍ ଡାକ୍ତରଖାନାରେ ଭର୍ତ୍ତି
ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ରେ କ୍ଷେତ୍ରରକ୍ଷଣ ବେଳେ ଆଘାତପ୍ରାପ୍ତ ହୋଇ କେନ୍‌ ୱିଲିୟମସନ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତୃତୀୟ ଦିନ ଗଲି ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ବଲ୍‌କୁ ରୋକିବାକୁ ଯାଇ ସେ ଅଖାଡ଼ୁଆ ଭାବେ ବାମ କାନ୍ଧରେ ଆଘାତ ପାଇଥିଲେ। ଫଳରେ ବାଂଲାଦେଶର ଦ୍ବିତୀୟ ପାଳିରେ ସେ ପଡ଼ିଆକୁ ଆସି ନଥିଲେ। ସୋମବାର ଚତୁର୍ଥ ଦିନ ସକାଳେ ପ୍ରଥମ ଅଧିବେଶନରେ ସେ କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ଯନ୍ତ୍ରଣା ବଢ଼ିବାରୁ ଡାକ୍ତରଖାନା ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ଟିମ୍ ସାଉଦି ଦଳର ନେତୃ୍ତ୍ବ ନେଇଥିଲେ। ଏହି ଆହତ ସମସ୍ୟା ସତ୍ତ୍ବେ ସେ ମଧ୍ୟ ପ୍ରାୟ ୩ ଘଣ୍ଟା ବ୍ୟାଟିଂ କରି ୭୪ ରନ୍ ମଧ୍ୟ କରିଥିଲେ। ରସ୍ ଟେଲରଙ୍କ ସହିତ ୧୭୨ ରନ୍ ଭାଗୀଦାରି କରିଥିଲେ।

କ୍ରୋ’ଙ୍କୁ କାଟିଲେ ଟେଲର
ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡର ଅଭଜ୍ଞ ତାରକା ରସ୍ ଟେଲର ନିଜ ମାର୍ଗଦର୍ଶକ ସ୍ବର୍ଗତ ମାର୍ଟିନ୍ କ୍ରୋଙ୍କୁ ଟପି ଯାଇଛନ୍ତି। ସୋମବାର ୨୦୦ ରନ୍‌ର ପାଳି ଖେଳି ସେ କ୍ରୋ’ଙ୍କ ୧୭ ଟେଷ୍ଟ୍‌ ଶତକ କୀର୍ତ୍ତିମାନକୁ କାଟି ଦେଇଛନ୍ତି। ଟେଲରଙ୍କ ଏହି ଦର୍ଶନୀୟ ପାଳି ତାଙ୍କ ଖେଳ ଜୀବନର ଅଷ୍ଟାଦଶ ଟେଷ୍ଟ୍‌ ଶତକ ଥିଲା। ସେହିଭଳି ୱେଲିଂଟନ୍ ପାଳି ଟେଲରଙ୍କର ବ୍ୟକ୍ତିଗତ ଭାବେ ତୃତୀୟ ଟେଷ୍ଟ୍‌ ଦ୍ବିଶତକ ହୋଇଥିଲା। ଟେଲର ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୭ ରନ୍‌ କରି କ୍ରୋ’ଙ୍କ ସମକକ୍ଷ ହୋଇଥିଲେ। ତେବେ ଦୁଇ ବର୍ଷ ହେବ ପରବର୍ତୀ ଶତକ ପାଇଁ ସଂଘର୍ଷ କରି ଆସୁଥିଲେ। ୩୫ ବର୍ଷୀୟ ଟେଲର ତାଇଜୁଲ ଇସଲାମଙ୍କୁ ୱାଇଡ୍ ଲଙ୍ଗ ଅନ୍ ଉପରେ ଛକା ମାରି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ୍‌ ଶତକ ତାଲିକାରେ ସଂପ୍ରତି ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଧିନାୟକ କେନ୍ ୱିଲିୟମସନ୍ ୨୦ ଶତକ ସହ ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛନ୍ତି। ଟେଲର ୯୨ ଟେଷ୍ଟ୍‌ ଖେଳି ୧୮ ଶତକ, ୩ ଦ୍ବିଶତକ ଓ ୩୦ ଅର୍ଧଶତକ ବଳରେ ୬୭୨୮ ରନ୍ କରିଛନ୍ତି। ସେହିଭଳି ୨୧୮ ଦିନିକିଆରୁ ୨୦ ଶତକ ଓ ୪୭ ଅର୍ଧଶତକ ବଳରେ ୮୦୨୧ ରନ୍ କରିଛନ୍ତି। ୮୮ ଟ୍ବେଣ୍ଟି-୨୦ରୁ ସେ ମଧ୍ୟ ୫ ଅର୍ଧଶତକ ସହାୟତାରେ ୧୫୭୯ ରନ୍ କରିଛନ୍ତି। ସୂଚନାଯୋଗ୍ୟ ଯେ ଟେଲରଙ୍କୁ କ୍ରିକେଟ୍ ଶିଖାଇଥିବା କ୍ରୋ ୨୦୧୬ ମସିହାରେ କର୍କଟ ରୋଗରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର