ଓଡ଼ିଶା କେମିତି ଲାଗୁଛି’ ପ୍ରଶ୍ନର ଉତ୍ତରରେ କିଛି ଏଭଳି କହିଲେ ୱେନ ପାର୍ନେଲ

କଟକ: ଓଡ଼ିଶାରେ ଅନୁଭୂତି ସମ୍ପର୍କରେ ଆଜି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୱେନ ପାର୍ନେଲ ଏଭଳି କିଛି କଥା କହିଛନ୍ତି, ଯାହାକି ଆପଣ ବି ଜାଣିବାର ଆବଶ୍ୟକତା ରହିଛି । ରବିବାର କଟକର ବାରବାଟୀ ଷ୍ଟାଡିୟମଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ ଦକ୍ଷିଣ ଆଫ୍ରିକା ଟିମ ଶୁକ୍ରବାର ଓଡିଶାରେ ପହଞ୍ଚିଥିଲା । ଆଜି ଦିନବେଳେ ଦକ୍ଷିଣ ଆଫ୍ରିକା ଟିମ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଥିବାବେଳେ ଆସନ୍ତାକାଲି ମୁକାବିଲା ହେବ । ତେବେ ଏହା ପୂର୍ବରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୱେନ ପାର୍ନେଲଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି କେମିତି ଲାଗୁଛି ? ଏହାର ଉତ୍ତରରେ ପାର୍ନେଲ କହିଛନ୍ତି ଯେ ଭାରତ ଦୁଇଟି ଜିନିଷ ପାଇଁ ବେଶ୍ ଜଣାଶୁଣା ।

ପ୍ରଥମଟି କ୍ରିକେଟ୍ ହୋଇଥିବାବେଳେ ଦ୍ୱିତୀୟଟି ହେଉଛି ସେମାନଙ୍କ ଆତିଥେୟତା । ମୁଁ ପ୍ରଥମ ଥର ଆସିଛି । ଆମେ ରହୁଥିବା ସ୍ଥାନଟି ବହୁତ ସୁନ୍ଦର ହୋଇଥିବାବେଳେ ଖୁବ ଭଲ ଢଙ୍ଗରେ ଆମକୁ ସ୍ୱାଗତ କରାଯାଇଛି । ଭାରତ କ୍ରିକେଟ୍ ଏବଂ ଆତିଥେୟତା ଖୁବ ସୁନ୍ଦର ଭାବରେ କରିଥାଏ। ଏଠାକୁ ଆସି ଖୁବ ଭଲ ଲାଗୁଛି । ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୱେନ ପାର୍ନେଲ କହିଛନ୍ତି ଯେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

ଭାରତ ନିଶ୍ଚିତ ଭାବରେ ମ୍ୟାଚକୁ ନିଜ ହାତକୁ ନେବାକୁ ଚେଷ୍ଟା କରିବ । ବେଙ୍ଗାଲୁରୁ ଟି-୨୦ ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ ଅତ୍ୟନ୍ତ କଠିନ ହେବ। ଗତ ମ୍ୟାଚରେ ଆମେ ଜିତିଥିଲୁ, ଯାହାକି ଆମ ଆତ୍ମବିଶ୍ୱାସକୁ ବଢ଼ାଇଛି | କିନ୍ତୁ ନୂତନ ସ୍ଥାନ, ନୂତନ ଅବସ୍ଥା ଅଛି, ତେଣୁ ଆମକୁ ଖାପ ଖୁଆଇ ପୁନର୍ବାର ଜିତିବାକୁ ପଡିବ ବୋଲି ପାର୍ନେଲ କହିଛନ୍ତି ।

ସମ୍ବନ୍ଧିତ ଖବର