ଟ୍ବେଣ୍ଟି-୨୦ ମାନ୍ୟତା: ଦ୍ବିତୀୟକୁ ଉଠିଲେ ବାବର, କୋହଲି ପଞ୍ଚମରେ ସ୍ଥିର

ଦୁବାଇ : ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ପଞ୍ଚମ ସ୍ଥାନରେ ସ୍ଥିର ରହିଥିଲା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି। ଚମତ୍କାର ଫର୍ମରେ ଥିବା ବାବର ଗତ ସପ୍ତାହରେ କୋହଲିଙ୍କୁ ହଟାଇ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ସେହିପରି ଟ୍ବେଣ୍ଟି-୨୦ରେ ସେ ୪୭ ପଏଣ୍ଟ କରାୟତ୍ତ କରି ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଦାୱିଦ ମଲାନ ଶୀର୍ଷରେ ରହିଛନ୍ତି। ଅନ୍ୟତମ ପାକିସ୍ତାନୀ ଫକର ଜମନ ୧୭ ସ୍ଥାନ ଲମ୍ଫ ଦେଇ ୩୩ରେ, ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜୱାନ ୮ଟି ସ୍ଥାନ ଡେଇଁ ଜୀବନର ଶ୍ରେଷ୍ଠ ମାନ୍ୟତା ପଞ୍ଚଦଶ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ସାହିନ ଆଫ୍ରିଦି, ମହମ୍ମଦ ନୱାଜ ଓ ହାରିସ ରଫ୍‌ ବଡ଼ ଲମ୍ଫ ଦେଇ ଯଥାକ୍ରମେ ୧୬, ୨୪ ଏବଂ ୩୮ତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ରସି ଭାନ୍‌ ଡେର ଦସେନ ୩ଟି ସ୍ଥାନ ଉପରକୁ ଉଠି ଷଷ୍ଠ, ଏଦେନ ମର୍କରାମ ୩୧ରୁ ୩୪ ଏବଂ ଜାନେମନ ମଲାନ ୫୨ରୁ ୭୩ତମ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର