ପୋର୍ଟ ଅଫ୍ ସ୍ପେନ୍ : ଚତୁର୍ଥ ଆସେସ୍ ଟେଷ୍ଟ ପରି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ ମଧ୍ୟ ସମାନ ପରିସ୍ଥିତିରେ ଶେଷ େହାଇଛି। ଶେଷ ଦିନରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ଫଳରେ ବାରମ୍ବାର ସ୍ଥିତି ଅନୁଧ୍ୟାନ କରିବା ପରେ ଅମ୍ପାୟାର ଉଭୟ ଅଧିନାୟକଙ୍କ ସହ ଆଲୋଚନା କରି ମ୍ୟାଚ୍କୁ ଅମୀମାଂସିତ ଘୋଷଣା କରିଥିଲେ। ଏହାଫଳରେ ଉଭୟ ଦଳଙ୍କ ମଧ୍ୟରେ ଖେଳାଯାଉଥିବା ଏହି ୧୦୦ ତମ ମ୍ୟାଚ୍ ବିନା କୌଣସି ହାର୍ଜିତ୍ରେ ଶେଷ ହୋଇଛି। ୩୬୫ରନ୍କୁ ପିଛା କରି ଶେଷ ଦିନରେ ୱେଷ୍ଟଇଣ୍ଡିଜ୍କୁ ଜିତିବା ପାଇଁ ୨୮୯ ରନ୍ ଆବଶ୍ୟକ ହେଉଥିଲା ବେଳେ ଭାରତକୁ ୮ ୱିକେଟ୍ ପାଇବା ଅପେକ୍ଷାରେ ଥିଲା। କିନ୍ତୁ ମ୍ୟାଚ୍ ଅମୀମାଂସିତ ହୋଇଥିଲେ ବି ପ୍ରଥମ ମ୍ୟାଚ୍କୁ ଭାରତ ଜିତିଥିବାରୁ ରୋହିତ ଶର୍ମାଙ୍କ ଦଳ ଶୃଙ୍ଖଳା ବିଜେତା ହୋଇଥିଲା। ମହମ୍ମଦ ସିରାଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ େହାଇଥିଲେ।
ବିରାଟ କୋହଲିଙ୍କ ୧୨୧ ରନ୍ ସହାୟତାରେ ଭାରତ ପ୍ରଥମ ପାଳିରେ ୪୩୮ ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ୱେଷ୍ଟଇଣ୍ଡିଜ୍ ମାତ୍ର ୨୫୫ ରନ୍ରେ ପାଳି ଶେଷ କରିଥିଲା। ଭାରତ ପାଇଁ ମହମ୍ମଦ ସିରାଜ ୬୦ ରନ୍ ବିନିମୟରେ ୫ ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ଦ୍ବିତୀୟ ପାଳିରେ ୨ ୱିକେଟ୍ ବିନିମୟରେ ୧୮୧ ରନ୍ କରିଥିଲା ବେଳେ ପାଳି ଘୋଷଣା କରିଥିଲା। ଯଶସ୍ବୀ ଜୟସ୍ବାଲ୍ ୩୮ ଓ ରୋହିତ ଶର୍ମା ୫୭ ରନ୍ କରି ଆଉଟ୍ ହୋଇଥିଲା ବେଳେ ଶୁବମନ ଗିଲ୍ ୨୯* ଓ ଈଶନ କିଶାନ ୫୨* ରନ୍ କରି ଅପରାଜିତ ଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୧୨୮ ଓଭରରେ ୪୩୮। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୧୧୫.୪ ଓଭର ୨୫୫ (କ୍ରେଗ୍ ବ୍ରାଥୱେଟ୍ ୭୫, ଆଲିକ ଅଥାଞ୍ଜେ ୩୭, ଟାଗି ନାରାୟଣ ଚନ୍ଦରପଲ ୩୩, କିର୍କ ମ୍ୟାକେଞ୍ଜି ୩୨, ମହମ୍ମଦ ସିରାଜ ୫/୬୦, ମୁକେଶ କୁମାର ୨/୪୮, ରବୀନ୍ଦ୍ର ଜଦେଜା ୨/୩୭, ଆର. ଅଶ୍ବିନ ୧/୬୧)। ଭାରତ ଦ୍ବିତୀୟ ପାଳି ୨୪ ଓଭରରେ ୧୮୧/୨ (ଘୋଷଣା, ରୋହିତ ଶର୍ମା ୫୭, ଯଶସ୍ବୀ ଜୟସ୍ବାଲ ୩୮, ଶୁବମନ ଗିଲ ୨୯*, ଈଶାନ କିଶନ ୫୨*, ସାନନ ଗାବ୍ରିଏଲ୍ ୧/୩୩, ଜୋମେଲ ୱାରିକନ ୧/୩୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ୩୨ ଓଭରରେ ୭୬/୨ ପାଳି (କ୍ରେଗ୍ ବ୍ରାଥୱେଟ୍ ୨୮ , ଟାଗିନାରାୟଣ ଚନ୍ଦରପଲ୍ ୨୪*, ଜର୍ମେନି ବ୍ଲାକଉଡ୍ ୨୦*, ଆର ଅଶ୍ବିନ ୨/୩୩)।
୨୨ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ଚତୁର୍ଥ ଦିନ ଭାରତ ଦ୍ରୁତ ୧୦୦ ରନ୍ କରିବାରେ ୨୨ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତର ଦ୍ବିତୀୟ ପାଳିରେ ଓପନିଂ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୫୭, ୪୪ ବଲ୍) ଓ ଯଶସ୍ବୀ ଜୟସ୍ବାଲ (୩୮, ୩୦ ବଲ୍ ) ୧୧.୫ ଓଭରରେ ୯୮ ରନ୍ ଯୋଡ଼ିଥିଲେ। ଏଥିସହ ଭ୍ରମଣକାରୀ ଦଳ ୧୨.୨ (୭୪ ବଲ୍) ଓଭରରେ ୧୦୦ ରନ୍ ମାର୍କ ଛୁଇଁଥିଲା। ଏଥିସହ ଶ୍ରୀଲଙ୍କା ନାମରେ ଦ୍ରୁତ ୧୦୦ ରନ୍ ରେକର୍ଡ ଭାଙ୍ଗିଥିଲା। ୨୦୦୧ ଏସୀୟ ଟେଷ୍ଟ ଚାମ୍ପିଅନ୍ସିପ୍ରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୧୩.୨ (୮୦ ବଲ୍) ଓଭରରେ ୧୦୦ ରନ୍ କରିଥିଲା।