ୱେଷ୍ଟ୍‌ଇଣ୍ଡିଜ୍ ୨୮୯ ରନ୍‌ରେ ଅଲ୍‌ଆଉଟ୍‌

ବ୍ରିଜ୍‌ଟାଉନ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ‌ ଟେଷ୍ଟ୍‌ର ପ୍ରଥମ ପାଳିରେ ଘରୋଇ ୱେଷ୍ଟଇଣ୍ଡିଜ୍ ୨୮୯ ରନ୍‌ରେ ସମସ୍ତ ୱିକେଟ୍ ହରାଇଛି। ଜେମ୍ସ ଆଣ୍ଡରସନଙ୍କ ୫ ୱିକେଟ୍ ଏବଂ ବେନ ଷ୍ଟୋକ୍ସଙ୍କ ୪ ୱି‌କେଟ୍‌ ବଳରେ ଇଣ୍ଡିଜ୍ ଗସ୍ତରେ ଇଂଲଣ୍ଡ ଭଲ ଆରମ୍ଭ ପାଇଛି। ଜବାବରେ ଦ୍ବିତୀୟ ଦିନ ମଧ୍ୟାହ୍ନ ଭାଜନ ବିରତି ବେଳକୁ ଇଂଲଣ୍ଡ ୧ ୱିକେଟ୍‌ ହରାଇ ୩୦ ରନ୍ କରିଛି। ବୁଧବାର ପ୍ରଥମ ଦିନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ କ୍ରେଗ୍ ବ୍ରାଥ୍‌ୱେଟ୍‌ (୪୦, ୧୩୦ ବଲ, ୩ ଚୌକା, ୧ ଛକା) ଏବଂ ପ୍ରଥମ ପଦାର୍ପକ ଜନ୍ କ୍ୟାମ୍ପବେଲ୍‌ (୪୪, ୫୩ ବଲ୍‌, ୮ ଚୌକା) ଭଲ ଆରମ୍ଭ କରିଥିଲେ। ମୋଇନ୍ ଅଲୀ କ୍ୟାମ୍ପ୍‌ବେଲଙ୍କୁ ଆଉଟ୍ କରିବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍‌ ଅକ୍ତିଆର କରିଥିଲା। ତଥାପି ମଧ୍ୟକ୍ରମରେ ସାଇ ହୋପ୍‌ (୫୭, ୧୪୮ ବଲ୍), ରସ୍ତନ ଚେଜ୍‌ (୫୪, ୧୧୮ ବଲ) ଏବଂ ସିମରନ୍ ହେଟମେୟର (୮୧, ୧୦୯ ବଲ୍‌, ୯ ଚୌକା, ୨ ଛକା) ଭଲ ଖେଳିବାରୁ ଦଳ ୨୮୯ ରନ୍‌ରେ ପହଞ୍ଚିପାରିଥିଲା। ‌ଯୋସେଫଙ୍କୁ ତୃତୀୟ ସ୍ଲିପ୍‌ରେ ବଟଲରଙ୍କ ଦ୍ବାରା କ୍ୟାଚ୍ କରାଇ ଆଣ୍ଡରସନ୍ ନିଜ ୨୭ତମ ୫ ୱିକେଟ୍‌ ସହ ଇଆନ୍ ବୋଥାମଙ୍କ ଜାତୀୟ କୀର୍ତିମାନର ସମକକ୍ଷ ହୋଇଥିଲେ। ହେଟମେୟର୍‌ ଶେଷ ୱିକେଟ୍‌ ଭାବେ ‌ବେନ୍ ‌ଷ୍ଟୋକ୍ସଙ୍କ ବୋଲିଂରେ ୱିକେଟରକ୍ଷକ ବେନ୍‌ ଫୋକ୍ସଙ୍କୁ କ୍ୟାଚ୍ ଦେଇ ଫେରିଥିଲେ।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୧୦୧.୩ ଓଭରରେ ୨୮୯ (ସିମରନ୍‌ ହେଟମେୟର-୮୧, ସାଇ ହୋପ୍‌-୫୭, ରସ୍ତନ୍‌ ‌ଚେଜ୍‌-୫୪, ଜେମ୍ସ ଆଣ୍ଡରସନ୍‌-୫/୪୬, ବେନ୍‌ ଷ୍ଟୋକ୍ସ-୪/୫୯, ମୋଇନ୍ ଅଲୀ-୧/୫୯)। ଇଂଲଣ୍ଡ୍ ପ୍ରଥମ ପାଳି: ୧୧ ଓଭରରେ ୩୦/୧ (କିଟନ୍ ଜେନିଙ୍ଗ୍‌ସ-୧୭, ରୋରି ବର୍ନସ-୨*, ଜନି ବେୟାରଷ୍ଟୋ-୨*, ଜାସନ୍ ହୋଲ୍‌ଡର-୧/୬)।

ସମ୍ବନ୍ଧିତ ଖବର