ୱେଷ୍ଟଇଣ୍ଡିଜ୍ ୪୫‌ରେ ଆଉଟ୍, ଇଂଲଣ୍ଡ ୨-୦ରେ ଶୃଙ୍ଖଳା ବିଜୟୀ

ବାସେଟେରେ: ଟ୍ବେଣ୍ଟି-୨୦ର ଅନ୍ୟତମ ବିପଜ୍ଜନକ ଦଳ ଭାବେ ‌ପରିଚିତ ୱେଷ୍ଟଇଣ୍ଡିଜ୍ ଦଳ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସେଣ୍ଟ କିଟ୍ସଠାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅତ୍ୟନ୍ତ ଲଜ୍ଜାଜନକ ବ୍ୟାଟିଂ କରି ଘରୋଇ ଇଣ୍ଡିଜ୍ ମାତ୍ର ୪୫ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଯାହା ଟ୍ବେଣ୍ଟି-୨୦ରେ କୌଣସି ଟେଷ୍ଟ ଖେଳୁଥିବା ଦଳର ସର୍ବନିମ୍ନ ଦଳଗତ ସ୍କୋର । ଏହା ପୂର୍ବରୁ ଏଭଳି ଆଲୋଡ଼ା କୀର୍ତ୍ତିମାନ ନ୍ୟୁଜିଲାଣ୍ଡ ସହିତ ସେହି ୱେଷ୍ଟଇଣ୍ଡିଜ୍‌ ନାଁରେ ବି ଥିଲା। ଉଭୟ ଦଳ ଟ୍ବେଣ୍ଟି-୨୦ରେ ଏକଦା ସମସ୍ତ ୱିକେଟ୍ ହରାଇ ମାତ୍ର ୬୦ ରନ୍ ଲେଖାଏଁ କରିଥିଲେ। ଯାହା ସେଣ୍ଟ କିଟ୍ ମ୍ୟାଚ୍ ପୂର୍ବରୁ ଟେଷ୍ଟ୍‌ ଖେଳୁଥିବା ଦଳଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଦଳଗତ ଟ୍ବେଣ୍ଟି-୨୦ ସ୍କୋର ଥିଲା। କ୍ରିସ୍ ଗେଲ୍‌ଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟିଂକ୍ରମ ଥିବା ୱେଷ୍ଟଇଣ୍ଡିଜ୍ ଶାଣିତ ବୋଲିଂ କରିଥିବା ଇଂଲଣ୍ଡ ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସପର୍ପଣ କରିଥିଲା। ଏହି ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ନି‌ଜେ ଗେଲ୍ ମାତ୍ର ୫ ରନ୍ କରିଥିଲେ। ସିମରନ୍ ହେଟମେୟର ଓ କାର୍ଲୋସ୍ ବ୍ରାଥୱେଟ୍ କରିଥିବା ୧୦ ରନ୍ ଦଳର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଥିଲା। କ୍ରିସ୍ ‌ଜୋର୍ଡାନ୍ ଇଂଲଣ୍ଡର ସଫଳତମ ବୋଲର ଭାବେ ୨ ଓଭରରେ ୬ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ଲିୟମ ଫ୍ଲଙ୍କେଟ, ଡେୱିଡ୍ ୱିଲି ଓ ଆଦିଲ ରସିଦ ବଳକା ୬ ୱିକେଟ୍ ବାଣ୍ଟି ନେଇଥିଲେ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଇଣ୍ଡିଜ୍ ୧୧.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୪୫ ରନ୍ କରିବା ସହ ୧୩୭ ରନ୍‌ର ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଫଳରେ ଇଂଲଣ୍ଡ ୩ ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତି ଆଗୁଆ ୨-୦ରେ ଶୃଙ୍ଖଳା ଜିତି ନେଇଥିଲା। ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ୪ ୱିକେଟ୍‌ରେ ଜିତି ନେଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ସାମ୍ ବିଲିଂଙ୍କ ବିସ୍ଫୋରକ ୮୭ ଏବଂ ଜୋ ରୁଟ୍‌ଙ୍କ ୫୫ ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ସେଣ୍ଟ କିଟ୍ସ ପିଚ୍‌କୁ ଅଧିନାୟକ ଜାସନ ହୋଲ୍ଡର ପଢ଼ି ନ ପାରିବା ହିଁ ୱେଷ୍ଟଇଣ୍ଡିଜ୍ ପାଇଁ ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୦ ଓଭରରେ ୧୮୨/୬ (ସାମ୍ ବିଲିଂ ୮୭, ଜୋ ରୁଟ୍ ୫୫, ଫାବିଆନ୍ ଆଲେନ୍ ୨/୨୯, ସେଲଡନ୍ କୋଟ୍ରେଲ୍ ୧/୨୮)। ୱେଷ୍ଟଇଣ୍ଡିଜ୍ ୧୧.୫ ଓଭରରେ ୪୫ (ସିମରନ୍ ହେଟମେର ୧୦, କାର୍ଲୋସ୍ ବ୍ରାଥୱେଟ୍ ୧୦, କ୍ରିସ୍ ଜୋର୍ଡାନ୍ ୪/୬, ଲିୟମ ପ୍ଲଙ୍କେଟ ୨/୮, ଆଦିଲ ରସିଦ ୨/୧୨, ‌ଡେୱିଡ୍ ୱିଲି ୨/୧୮)।

ସମ୍ବନ୍ଧିତ ଖବର