ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କଲେ ଆମ୍ବ୍ରୋଜ

ସେହି ଗୌରବମୟ ଦିନଗୁଡ଼ିକୁ ଆମେ ଆଉ କେବେ ବି ଦେଖିପାରିବୁନି, ୱେଷ୍ଟଇଣ୍ଡିଜ୍ ପାଇଁ କ୍ରିକେଟ୍‌ରମାନେ କ’ଣ ଯୁବବର୍ଗ ବୁଝିପାରୁନାହାନ୍ତି’’

ବାର୍ବାଡସ୍: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ସାଂପ୍ରତିକ ସ୍ଥିତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏହି ଦେଶର ମହାନ ଦ୍ରୁତ ବୋଲର କର୍ଟଲି ଆମ୍ବ୍ରୋଜ୍। ୮୦ ଓ ୯୦ ଦଶକ ପ୍ରାରମ୍ଭରେ ବିଶ୍ବର ସବୁଠାରୁ ଦୁର୍ଦ୍ଧର୍ଷ ଦଳର ମାନ୍ୟତା ଲାଭ କରିଥିବା ୱେଷ୍ଟଇଣ୍ଡିଜ୍ ଏବେ ନିଜ ପୂର୍ବ ଗୌରବ ଫେରିପାଇବା ଲାଗି ସଂଘର୍ଷ କରୁଛି। ଇଣ୍ଡିଜ୍ କ୍ରିକେଟ୍‌ରୁ ଯେମିତି କର୍ପୁର ଉଡ଼ି ଯାଇଛି, କେବଳ ଯାହା କନା ପଡ଼ି ରହିଛି। ଏକଦା ବିଶ୍ବ କ୍ରିକେଟ୍‌ର ଅପ୍ରତିଦ୍ବନ୍ଦ୍ବୀ ନାୟକ ଥିବା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଦଳର ସେହି ଲଢ଼ୁଆ ଖେଳ କେବଳ ଇତିହାସ ପୃଷ୍ଠାରେ ସୀମିତ ହୋଇ ରହିଯାଇଛି। ଯାହା ସେହି ସ୍ବର୍ଣ୍ଣିମ ଦିନର ଅଂଶବିଶେଷ ଥିବା ଆମ୍ବ୍ରୋଜ୍‌ଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଏକ ସାକ୍ଷାତକାରରେ ନିଜ ମନର ବେଦନା ବ୍ୟକ୍ତ କରିବାକୁ ଯାଇ ବିଗତ ଦିନର ଏହି ମହାନ ବୋଲର କହିଛନ୍ତି ଯେ କାରବୀୟ ଲୋକଙ୍କ ପାଇଁ କ୍ରିକେଟ୍‌ର କି ମହତ୍ବ ରହିଛି, ସେକଥା ଆଜିକାର ଯୁବପିଢ଼ି ଆଦୌ ବୁଝିପାରୁନାହାନ୍ତି। ହେଲେ କ୍ରିକେଟ୍‌ ହେଉଛି ସେହି ଏକମାତ୍ର ଖେଳ ଯାହା ସମଗ୍ର କାରବୀୟ ଅଞ୍ଚଳକୁ ଏକାଠି କରିଥାଏ।

ଏବେକାର ଦଳ ପ୍ରତି ମୋ ମନରେ କୌଣିସି ଅସମ୍ମାନ ନାହିଁ। କାରଣ ଆମ ଦଳରେ ଏମିତି ଜଣେ ଦୁଇ ଜଣ ଖେଳାଳି ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଜଣେ ଜଣେ ମହାନ କ୍ରିକେଟର ହୋଇପାରିବେ। ଆମକୁ ଏକଥା ମଧ୍ୟ ବୁଝିବାକୁ ହେବ ଯେ ଆମେ ସେହି ସ୍ବର୍ଣ୍ଣିମ ପୁରୁଣା ଦିନକୁ ହୁଏତ ଆଉ କେବେ ବି ଦେଖିପାରିବା ନାହିଁ। ସେହି ସମୟର ମହାନ ଖେଳାଳିଙ୍କୁ ଏବେ ପାଇବା ନିଶ୍ଚିତ ଭାବେ କଷ୍ଟକର ଓ କାଠିକର ପାଠ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬୦୦ରୁ ଅଧିକ ୱିକେଟ୍ ନେଇଥିବା ୫୭ ବର୍ଷୀୟ ଆମ୍ବ୍ରୋଜ୍ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ଆହୁରି କହିଛନ୍ତି ଯେ ଭିଭିଆନ୍ ରିଚାର୍ଡସ, ଦେସମଣ୍ଡ ହେନ୍ସ, ଗର୍ଡନ ଗ୍ରିନିଜ୍, ଆଣ୍ଡି ରବର୍ଟସ, କ୍ଲାଇଭ୍ ଲୟଡ୍, ମାଲକମ୍ ମାର୍ସାଲ, ମାଇକେଲ୍ ହୋଲ୍ଡିଂ ଓ ବ୍ରାଏନ ଲାରାଙ୍କ ଭଳି ଖେଳାଳି ଆଉ ମିଳିବେ ନାହିଁ। ୱେଷ୍ଟଇଣ୍ଡିଜ୍ ହୁଏତ ଆଇସିସି ମାନ୍ୟତାରେ ଉନ୍ନତି କରିପାରିବ। କିନ୍ତୁ ଆଗେ ଯେମିତି ପ୍ରତିପକ୍ଷଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରୁଥିଲା ତାହା କରି ନପାରେ।

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଲୋକପ୍ରିୟତା ଓ ଅତୁଳନୀୟ ଦକ୍ଷତାର ସେହି ଦିନଗୁଡ଼ିକୁ ମନେ ପକାଇ ଦୀର୍ଘ ବ୍ୟବଧାନ ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିବା ଆମ୍ବ୍ରୋଜ୍ ଅତ୍ୟନ୍ତ ଭାବବିହ୍ବଳ ହୋଇଯାଇଥିଲେ। ‘‘ଆମେ ଯେତେବେଳେ ଏକ ଶ୍ରେଷ୍ଠ ଦଳ ଥିଲୁ, ବିଶ୍ବର କୋଣ ଅନୁକୋଣରେ ରହୁଥିବା ୱେଷ୍ଟଇଣ୍ଡିଆନ୍‌ମାନେ ଆମକୁ ନେଇ ଗର୍ବ କରୁଥିଲେ। କାରଣ ଆମେ ଥିଲୁ ସର୍ବଶ୍ରେଷ୍ଠ। ଏଣୁ ସେହି ପୁରୁଣା ଦିନକୁ ଦେଖିବା ସହଜ ନୁହେଁ। ହଁ, ଆମେ କିନ୍ତୁ ଆମ ପ୍ରତିଦ୍ବନ୍ଦ୍ବିତାର ସ୍ତରକୁ ବଢ଼ାଇ ପାରିବା। ବିଶ୍ବର ଏକ ଶକ୍ତିଶାଳୀ ଦଳ ହୋଇପାରିବା। ଏଥିରେ ସନ୍ଦେହ ନାହିଁ’’ ବୋଲି ଏହି ଅବସରରେ କହିଥିଲେ ସେ।

ସୂଚନାଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୭୯ରେ ଖେଳା ଯାଇଥିବା ପ୍ରଥମ ଦୁଇ ଏକଦିବସୀୟ ବିଶ୍ବକପ୍‌ର ବିଜେତା ଥିଲା। ପରବର୍ତ୍ତୀ ୩୩ ବର୍ଷ କିନ୍ତୁ ଗୋଟିଏ ହେଲେ ବି ବିଶ୍ବସ୍ତରୀୟ ଟ୍ରଫି ଜିତି ପାରିନାହିଁ। ୨୦୧୨ ମସିହାରେ ଡାରେନ୍ ସାମିଙ୍କ ନେତୃତ୍ବରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ୨୦୧୬ରେ ଏହାକୁ ଦୋହରାଇଥିଲା। ତା’ ସହ ଦୁଇଟି ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଏକମାତ୍ର ଦଳ ହୋଇଥିଲା। ଦୁର୍ଭାଗ୍ୟଜନକ ଭାବେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ସଂପ୍ରତି ଆଇସିସି ଟେଷ୍ଟ୍ ଓ ଦିନିକିଆ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିଲା ବେଳେ ଟ୍ବେଣ୍ଟି-୨୦ ମାନ୍ୟତାର ଦଶମ ସ୍ଥାନରେ ରହିଛି। ତିନିଟି ଯାକ ଫର୍ମାଟ୍‌ରେ ଏହି ଦଳ ଶ୍ରେଷ୍ଠ ୫ ବାହାରେ ରହିଛି।

ସମ୍ବନ୍ଧିତ ଖବର