ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କଲେ ବ୍ରାଭୋ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ଡ୍ବେନ୍ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କହିଛନ୍ତି। ଷ୍ଟାର କ୍ରିକେଟର ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି। ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ରେସରୁ ବିଦା ହୋଇଛି । ଆଉ ଏହି ପରାଜୟ ପରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ବ୍ରାଭୋ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବେ । ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଡାରେନ ସାମି ଓ ଏଲେକ୍ସ ଜୋର୍ଡାନଙ୍କ ସହ ଫେସବୁକ ଲାଇଭରେ ଏନେଇ ଘୋଷଣା କରିଥିଲେ ବ୍ରାଭୋ ।
Today we farewell a @windiescricket superstar from international cricket 🙌
Read more on @DJBravo47‘s retirement 👉 https://t.co/v6pDjHqvsb pic.twitter.com/yiTl2hlzb9
— ICC (@ICC) November 5, 2021
ବ୍ରାଭୋ କହିଛନ୍ତି, ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ଏବେ ଉପଯୁକ୍ତ ସମୟ ଆସିଯାଇଛି। କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି କ୍ରିକେଟ ଖେଳି ଆସିଛି । ଆଉ ଏତେ ସମୟ ଧରି ୱେଷ୍ଟଇଣ୍ଡିଜ ପାଇଁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ କାରବିଆନ ଲୋକଙ୍କୁ ଧନ୍ୟବାଦ । କ୍ରିକେଟ କ୍ୟାରିୟରରେ ୩ଟି ଆଇସିସି ଟ୍ରଫି ଜିତିବା ମୋ ପାଇଁ ସବୁଠୁ ବଡ ଉପଲବ୍ଧି ।
ଚଳିତ ଟି-୨୦ ବିଶ୍ୱକପ ଆମ ପାଇଁ ସେଭଳି ହେଲା ନାହିଁ, ଯେମିତି ଆମେ ଚାହୁଁଥିଲୁ । କିନ୍ତୁ ଏଥିପାଇଁ ଦୁଃଖ କରିବାର ଆବଶ୍ୟକତା ନାହିଁ, କାରଣ ଏହା ଏକ କଠିନ ଓ ଚ୍ୟାଲେଞ୍ଜିଂ ପ୍ରତିଯୋଗିତା ଥିଲା ପୂରା ଟିମ୍ ପାଇଁ । ମୋ ପାଖରେ କ୍ରିକେଟକୁ ନେଇ ଯେଉଁ ଅଭିଜ୍ଞତା ଓ ଅନୁଭବ ରହିଛି ତାହାକୁ ଯୁବବର୍ଗଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଁଛି । ଆମେ ଖେଳାଳୀଙ୍କୁ ପୋତ୍ସାହିତ ଓ ସମର୍ଥନ କରୁଛୁ ଯାହାଦ୍ୱାରା ୱେଷ୍ଟଇଣ୍ଡିଜ କ୍ରିକେଟର ଭବିଷ୍ୟତ ପୂର୍ବ ଠାରୁ ଆହୁରି ଉଜ୍ଜଳ ହୋଇପାରିବ ।
୩୮ ବର୍ଷୀୟ ବ୍ରାଭୋ ଦ୍ୱିତୀୟ ଥର ପାଇଁ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୮ରେ ମଧ୍ୟ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିଲେ ବ୍ରାଭୋ । କିନ୍ତୁ ୨୦୧୯ରେ ତାଙ୍କୁ ଟିମରେ ସୁଯୋଗ ମିଳିବା ପରେ ପୁଣିଥରେ ପଡିଆକୁ ଫେରିଥିଲେ ବ୍ରାଭୋ । ଏବେ ସୁଦ୍ଧା ବ୍ରାଭୋ ୱେଷ୍ଟଇଣ୍ଡିଜ ପାଇଁ ୨୯୪ଟି ମ୍ୟାଚ୍ ଖେଳି ୬୪୧୩ ରନ କରିଥିବା ବେଳେ ୩୬୩ଟି ୱିକେଟ ଅକ୍ତିଆର କରିଛନ୍ତି ।