ଦ୍ବିତୀୟ ଟେଷ୍ଟ୍‌ ୱେଷ୍ଟଇଣ୍ଡିଜ୍‌ର ପାଳି ପରାଜୟ, ନ୍ୟୁଜିଲାଣ୍ଡ ୨-୦ରେ ଜିତିଲା ଶୃଙ୍ଖଳା

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ପାଳି ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ସମାନ ‌ଦଶା ଭୋଗିଛି। ଦ୍ବିତୀୟ ମ୍ୟାଚ୍‌ରେ ଏହି ଭ୍ରମଣକାରୀ ଦଳ ପାଳି ୧୨ ରନ୍‌ରେ ପରାସ୍ତ ହୋଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଘରୋଇ ଦଳ ୨-୦ରେ କବ୍‌ଜା କରି ନେଇଛି। ପ୍ରଥମ ପାଳିରେ ଦଳକୁ ବଡ଼ ସ୍କୋର୍‌ରେ ସହାୟତା କରିଥିବା ହେନରି ‌ନିକୋଲାସ (୧୭୪ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟ ମ୍ୟାଚ୍‌ରେ ସୁନ୍ଦର ପ୍ରଦର୍ଶନ କରିଥିବା କେଲି ଜାମିସନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଘରୋଇ ଦଳ ପ୍ରଥମ ପାଳିରେ ୪୬୦ ରନ୍‌ କରିବା ପରେ ଜାମିସନ୍‌ ଓ ଟିମ୍‌ ସାଉଦିଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ଇଣ୍ଡିଜ୍‌ ଦଳ ୧୩୧ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ଉଭୟ ଜାମିସନ୍‌ ଓ ସାଉଦି ୫-୫ ୱିକେଟ୍‌ ବାଣ୍ଟି ନେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍‌ ଫଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ର ଦ୍ବିତୀୟ ପାଳିରେ ବି ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଦମ୍‌ଦାର ବୋଲିଂ କରିଥିଲେ। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଇଣ୍ଡିଜ୍‌ (୨୪୪/୬) ପାଳି ପରାଜୟ ଏଡ଼ାଇବାକୁ ସଂଘର୍ଷ କରିଥିଲା। ହେଲେ ସୋମବାର ଚତୁର୍ଥ ଦିବସରେ ଭ୍ରମଣକାରୀ ଦଳ ଏଥିରେ ଆଉ ମାତ୍ର ୭୩ ରନ୍‌ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇ ପାଳି ଓ ୧୨ ରନ୍‌ରେ ହାରି ଯାଇଥିଲା। ଦ୍ବିତୀୟ ପାଳି‌ରେ ଇଣ୍ଡିଜ୍‌ ପକ୍ଷରୁ ଜନ୍‌ କ୍ୟାମ୍ପବେଲ (୬୮), ଜାସନ ହୋଲ୍‌ଡର (୬୧) ଓ ଜୋସୁଆ ଡାସିଲ୍‌ଭା (୫୭) ଅର୍ଧଶତକ ହାସଲ କରି କିଛିଟା ଲଢ଼ିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ନିଲ ୱାଗନର ୩ ଲେଖାଏଁ ଏବଂ ସାଉଦି ଓ ଜାମସିନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୪୬୦ (ହେନ୍‌ରି ନିକୋଲ୍‌ସ-୧୭୪, ନିଲ୍‌ ୱାଗ୍‌ନର-୬୬*, ସାନନ୍ ଗାବ୍ରିଏଲ୍‌-୩/୯୩, ଅଲ୍‌ଜେରି ଜୋସେଫ୍‌-୩/୧୦୯)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୧୩୧ (ଜର୍ମାନେ ବ୍ଲାକ୍‌ଉଡ୍‌-୬୯, ଟିମ୍‌ ସାଉଦି-୫/୩୨, କେଲି ଜାମିସନ୍‌-୫/୩୪) ଏବଂ ଦ୍ବିତୀୟ ପାଳି (ଫଲୋଅନ୍‌) ୭୯.୧ ଓଭରରେ ୩୧୭ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍‌ଡର-୬୧, ଜୋସୁଆ ଡାସିଲ୍‌ଭା-୫୭, ଟ୍ରେଣ୍ଟ୍‌ ବୋଲ୍‌ଟ-୩/୯୬, ନିଲ ୱାଗ୍‌ନର-୩/୫୪, କେଲି ଜାମିସନ୍‌-୨/୪୩, ଟିମ ସାଉଦି-୨/୯୬)

ସମ୍ବନ୍ଧିତ ଖବର