ଇଣ୍ଡିଜ୍ ପ୍ରଦର୍ଶନରେ ଆଖିଦୃଶିଆ ଉନ୍ନତିର ଆଶା କମ୍

ସୁନୀଲ ଗାଭାସ୍କର

ଏଥରର ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳାରେ ନା ଥିଲା ରୋମାଞ୍ଚ ନା ଚମକ। ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିନ ସକାଳ ଅଧିବେଶନ ଛଡ଼ା ଭାରତୀୟ ଖେଳାଳିମାନେ ଆଦୌ ଚପରେ ରହିନଥିଲେ। କିଛି ଖେଳାଳି ବିଫଳ ହୋଇଥିଲେ, ହେଲେ ଦଳଗତ ଭାବେ ଭାରତ ଏମିତି ଖେଳିଥିଲା ଯେ ୱେଷ୍ଟଇଣ୍ଡିଜ୍ ଏକ କ୍ଲବ୍ ଦଳ ଭଳି ଲାଗିଥିଲା। ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ପର୍ଯ୍ୟାୟରେ ଟେଷ୍ଟଠାରୁ ଭଲ କରିବା ଆଶାରେ ରହିଛି। ତେବେ ଏଥିରେ ମଧ୍ୟ ୮୦ ଏବଂ ୯୦ ଦଶକର ଏହି ଦୁର୍ଦ୍ଧର୍ଷ ଦଳ ସେହି ଏକା ସମସ୍ୟାର ସମ୍ମୁଖୀନ ହେବ। ଏହି ଦଳର କେତେକ ଶ୍ରେଷ୍ଠ ଖେଳାଳି ଭାରତ ଆସି ନାହାନ୍ତି। ଅନ୍ୟ କେତେକ ବିଶ୍ବର ବିଭିନ୍ନ ସ୍ଥାନରେ ଖେଳା ଯାଉଥିବା ଟ୍ବେଣ୍ଟି-୨୦ ଲିଗ୍‌ରେ ବ୍ୟସ୍ତ ଅଛନ୍ତି। ଏହି ସମସ୍ୟା କେମିତି ଦୂର ହେବ, ସେକଥା କେବଳ ଇଣ୍ଡିଜ୍ ନୁହେଁ, ସମଗ୍ର କ୍ରିକେଟ୍ ଜଗତକୁ ଚିନ୍ତା କରିବାକୁ ହେବ। ‌ ଯେତେ ଅଭ୍ୟାସ କ‌େଲ ସେତେ ଭଲ ଭଳି ଲଗାତାର ବିଜୟ ହାସଲ କରିବା ମଧ୍ୟ ଏକ ଅଭ୍ୟାସରେ ପରିଣତ ହୋଇପାରେ। ସେଥିପାଇଁ ଭାରତ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିବ। ଭଲ ଆରମ୍ଭ କରିବା ପରେ ଉନ୍ନତ ରନ୍ ହାର ବଜାୟ ରଖି ଶେଷ ୧୦ ଓଭରରେ ମୋଟ ରନ୍ ଦ୍ବିଗୁଣିତ କରିବା ଦାୟିତ୍ବରେ ବ୍ୟାଟ୍ସମ୍ୟାନ ରହିବେ। ବୋଲରଙ୍କ ପାଇଁ ଆରମ୍ଭରୁ ୱିକେଟ୍ ନେବା, ମଧ୍ୟଓଭରଗୁଡ଼ିକରେ ମିତ୍ତବ୍ୟୟୀ ବୋଲିଂ କରିବା ଏବଂ ଶେଷ ୧୦ ଓଭରରେ ୱିକେଟ୍ ନେଇ ପ୍ରତିପକ୍ଷକୁ କମ୍ ରନ୍‌ରେ ଅଟକାଇବା ଉଚିତ୍‌ ଲକ୍ଷ୍ୟ ହେବା । ଏହି ଶୃଙ୍ଖଳା ଭାରତର ଦ୍ବିତୀୟ ସ୍ତରୀୟ ଦ୍ରୁତ ବୋଲରଙ୍କ ପାଇଁ ଏକ ଭଲ ସୁଯୋଗ। ସେମାନେ ନିଜ ପ୍ରଦର୍ଶନ ବ‌ଳରେ ବରିଷ୍ଠ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିପାରିବେ। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବ୍ୟକ୍ତିିଗତ ଶତକ ସଂଖ୍ୟା ବଢ଼ାଇବା ଲାଗି ବି ଏହି ଶୃଙ୍ଖଳା ଏକ ଭଲ ମଞ୍ଚ ହେବ। ହିଁ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କୁ ଏଥିଲାଗି ଅଧିକ ଓଭର ଖେଳିବାକୁ ଦେବାକୁ ହେବ। ୱେଷ୍ଟଇଣ୍ଡିଜ୍ ତା’ର ପୂର୍ବ ଚମକ ଫେରି ନପାଇଲେ ଆମକୁ ଆଉ ଏକ ଏକତରଫା ଶୃଙ୍ଖଳା ଦେଖିବାକୁ ମିଳିବ। ଟେଷ୍ଟ ଶୃଙ୍ଖଳାରେ ଇଣ୍ଡିଜ୍ ଖେଳାଳିଙ୍କ ଶାରିରୀକ ଭାଷାରୁ ମୁଁ ଯେତିକି ପଢ଼ିଛି, ଦିନିକିଆରେ ଏହି ଦଳର ପ୍ରଦର୍ଶନରେ ସେମିତି କିଛି ଆଖିଦୃଶିଆ ପରିବର୍ତନ ଆସିଯାଇଥିବ ବୋଲି ଭାବିବା ଭୁଲ ହେବ। ସେମାନେ ଭୁଲ ପ୍ରମାଣିତ କଲେ ଅବଶ୍ୟ ମୁଁ ବହୁତ ଖୁସି ହେବି। (ପିଏମଜି)

ସମ୍ବନ୍ଧିତ ଖବର