୨୦୨୨ ବିଶ୍ବକପ୍ ସୁପର୍-୧୨ରୁ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ବଞ୍ଚିତ
ବାଂଲାଦେଶ, ଆଫଗାନିସ୍ତାନକୁ ସିଧାସଳଖ ଯୋଗ୍ୟତା
ଦୁବାଇ: ଆସନ୍ତା ବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର୍-୧୨ ପର୍ଯ୍ୟାୟ ପାଇଁ ଦୁଇ ପୂର୍ବ ବିଜେତା ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ଶନିବାର ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା ପରେ ଏହା ନିଶ୍ଚିତ ହୋଇଛି। ଉଭୟ ଦଳକୁ ଏବେ ୨୦୨୨ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ରାଉଣ୍ଡ୍ ତଥା ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ହେବ। ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଅନୁସାରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଥିବାରୁ ୨୦୨୨ ସଂସ୍କରଣ ସୁପର୍-୧୨କୁ ସିଧାସଳଖ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛନ୍ତି। ଚଳିତ ମାସ ନଭେମ୍ବର ୧୫ ତାରିଖ ମାନ୍ୟତା ଭିତ୍ତିରେ ଏହି ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ସପ୍ତାହକ ଭିତରେ ଏହି ଦୁଇ ଦଳର ମାନ୍ୟତାରେ କୌଣସି ପରିବର୍ତନର ସମ୍ଭାବନା ମଧ୍ୟ ନାହିଁ। ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ଏଥର ସୁପର୍-୧୨ରେ ସିଧାସଳଖ ଖେଳିଥିଲେ ମଧ୍ୟ ୫ଟିରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତିଥିଲା। ସେହିଭଳି ଲଗାତାର ଦ୍ବିତୀୟ ଥର ପାଇଁ ୨୦୧୪ ବିଜେତା ଶ୍ରୀଲଙ୍କାକୁ ପ୍ରଥମ ରାଉଣ୍ଡ ଖେଳିବାକୁ ହେବ। ଚଳିତ ଥର ଶ୍ରୀଲଙ୍କା ପ୍ରଥମ ରାଉଣ୍ଡରେ ସମସ୍ତ ୩ ମ୍ୟାଚ୍ ଜିତି ସୁପର୍-୧୨କୁ ଆସିଥିବା ବେଳେ ଏହି ମୁଖ୍ୟ ପର୍ଯ୍ୟାୟରେ ୫ଟିରୁ ୨ଟି ଜିତି ବିଦାୟ ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଶୀର୍ଷ ୮ ମାନ୍ୟତା ଭିତରେ ଥିବାରୁ ଆଫଗାନିସ୍ତାନ ଏବଂ ବାଂଲାଦେଶ ଦଳ ୨୦୨୨ ସଂସ୍କରଣରେ ସିଧାସଳଖ ସୁପର୍-୧୨ ପର୍ଯ୍ୟାୟରେ ଖେଳିବା ନିଶ୍ଚିତ ହୋଇଛି। ଏହି ଦୁଇ ଦେଶ ଏବେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ଚଳିତ ସଂସ୍କରଣର ବିଜେତା ଏବଂ ଉପବିଜେତା ଦଳ ସହିତ ପରବର୍ତୀ ୬ ଉଚ୍ଚ ମାନ୍ୟତା ଦଳ ସିଧାସଳଖ ସୁପର୍-୧୨ ପର୍ଯ୍ୟାୟ ଖେଳିବାର ନିୟମ ରହିଛି। ନଭେମ୍ବର ୧୫ ତାରିଖ ମାନ୍ୟତା ଭିତ୍ତିରେ ଏହା ଚୂଡାନ୍ତ ହେବ।
ଶୁକ୍ରବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଅନୁସାରେ ଇଂଲଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଭାରତକୁ ଦ୍ବିତୀୟ ସ୍ଥାନରୁ ହଟାଇ ପାକିସ୍ତାନ ଏହାକୁ ଦଖଲ କରି ନେଇଛି। ଭାରତ, ନ୍ୟୁଜିଲାଣ୍ଡ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ ଶୀର୍ଷ ୮ ଭିତରେ ରହିଛନ୍ତି।