ବ୍ରିଜ୍ଟାଉନ୍: େଓ୍ଵଷ୍ଟଇଣ୍ଡିଜ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ୍ ରୋମାଞ୍ଚକଭାବେ ଚତୁର୍ଥ ଦିବସ ଖେଳ ଆରମ୍ଭରୁ ଶେଷ ହୋଇଯାଇଛି। ଭ୍ରମଣକାରୀ ଶ୍ରୀଲଙ୍କା ୪ ଓ୍ଵିକେଟ୍ରେ ଜିତି ୩ ମ୍ୟାଚ୍ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। ପ୍ରଥମ ପାଳିରେ ୧୫୪ ରନ୍ କରି ୫୦ ରନ୍ରେ ପଛୁଆ ଥିବା ଭ୍ରମଣକାରୀ ଶ୍ରୀଲଙ୍କା ତୃତୀୟ ଦିବସ ଶେଷ ସୁଦ୍ଧା ଦ୍ୱିତୀୟ ପାଳିରେ ୫ ଓ୍ଵିକେଟ୍ ହରାଇ ୮୧ ରନ୍ କରି ସଙ୍କଟରେ ପଡ଼ିଥିଲା। ମଙ୍ଗଳବାର ଚତୁର୍ଥ ଦିନ ଖେଳ ଆରମ୍ଭ ହେବା ମାତ୍ରେ କୁସାଲ ମେଣ୍ଡିସ୍ଙ୍କୁ ଜାସନ୍ ହୋଲ୍ଡର ଆଉଟ୍ କରି ଇଣ୍ଡିଜ୍କୁ ବିଜୟ ମୁହାଁ କରିଥିଲେ। କିନ୍ତୁ ପେରେରା ଯୋଡ଼ି ଦିଲରୁଓ୍ଵାନ (୨୩*, ୬୮ ବଲ୍) ଏବଂ କୁସାଲ୍ (୨୮*, ୪୩ ବଲ୍) ଇଣ୍ଡିଜ୍ ବୋଲରଙ୍କୁ ନିରାଶ କରି ମ୍ୟାଚ୍ ଛଡ଼ାଇ ନେଇଥିଲେ। ଚତୁର୍ଥ ଦିନ ମାତ୍ର ୧୬.୨ ଓଭର ଖେଳି ଶ୍ରୀଲଙ୍କା ଆବଶ୍ୟକ ୬୩ ରନ୍ ଯୋଡ଼ି ନେଇଥିଲା। େଓ୍ଵଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡର୍ ହିଁ ଏକା ୯ ଓ୍ଵିକେଟ୍ ଦଖଲ କରିଥିଲେ। ହୋଲ୍ଡର ମ୍ୟାଚର ଏବଂ ସନ୍ ଡାଓରିଚ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏହି ପିଙ୍କ୍ ବଲ୍ (ଦିବାରାତ୍ର) ଟେଷ୍ଟର ପ୍ରଥମ ତିନି ଦିନ ମଧ୍ୟରେ ୩୫ ଓ୍ଵିକେଟ୍ର ପତନ ଘଟିଥିଲା ବେଳେ ସେଥିରୁ ସୋମବାର ତୃତୀୟ ଦିବସରେ କେବଳ ୨୦ ଓ୍ଵିକେଟ୍ ଝଡ଼ିପଡ଼ିଥିଲା। ପ୍ରଥମ ପାଳିରେ ୨୦୪ ରନ୍ କରିଥିବା ଘରୋଇ େଓ୍ଵଷ୍ଟଇଣ୍ଡିଜ୍ ଦ୍ୱିତୀୟ ପାଳିରେ ମାତ୍ର ୯୩ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ଯାହାକି ଘରୋଇ ପରିବେଶରେ ଏହି ଦଳର ତୃତୀୟ ସର୍ବନିମ୍ନ ସ୍କୋର୍। ଶ୍ରୀଲଙ୍କା ପକ୍ଷରୁ ନୂଆ ଅଧିନାୟକ ସୁରଙ୍ଗା ଲାକ୍ମଲ୍ ଓ ରଜିତା ୩ ଲେଖାଏଁ, ଲାହିରୁ କୁମାରା ୨ ଓ୍ଵିକେଟ୍ ପାଇଥିଲେ।
ସଂକ୍ଷିପ୍ତ ସ୍କୋର: େଓ୍ଵଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୨୦୪ (ଜାସନ ହୋଲ୍ଡର୍-୭୪, ସେନ୍ ଡାଓରିଚ୍-୭୧, ଲାହିରୁ କୁମାରା-୪/୫୮)। ଶ୍ରୀଲଙ୍କା ପ୍ରଥମ ପାଳି: ୧୫୪ (ନିରୋଶାନ୍ ଡିକେଓ୍ଵଲା-୪୨, ଜାସନ୍ ହୋଲଡର୍-୪/୧୯, ସାନନ୍ ଗାବ୍ରିଏଲ୍-୩/୫୨)। େଓ୍ଵଷ୍ଟଇଣ୍ଡିଜ୍ ଦ୍ୱିତୀୟ ପାଳି: ୯୩ (କେମାର ରୋଚ୍-୨୩*, ସୁରଙ୍ଗା ଲକମଲ୍-୩/୨୫, କାସୁନ୍ ରଜିତା-୩/୨୦, ଲାହିରୁ କୁମାରା-୨/୩୧)। ଶ୍ରୀଲଙ୍କା ଦ୍ୱିତୀୟ ପାଳି: ୪୦.୨ ଓଭରରେ ୧୪୪/୬ (ଦନୁଷ୍କା ଗୁଣତିଳକା-୨୧, କୁସାଲ ମେଣ୍ଡିସ୍-୨୫, ଦିଲରୁଓ୍ଵାନ ପେରେରା-୨୩, କୁସାଲ୍ ପେରେରା-୨୮*, ଜାସନ୍ ହୋଲଡର୍-୫/୪୧, କେମାର ରୋଚ୍-୧/୩୩)।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର