ଦ୍ବିତୀୟ ଟେଷ୍ଟ୍‌ : ପାଳି ପରାଜୟ ଏଡ଼ାଇବାକୁ ୱେଷ୍ଟଇଣ୍ଡିଜ୍‌ର ସଂଘର୍ଷ

ୱେଲିଂଟନ୍‌ : ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ପୁଣି ଏକ ପାଳି ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ଘରୋଇ ଦଳ ପ୍ରଥମ ପାଳିରେ ୪୬୦ ରନ୍‌ କରିବା ପରେ କେଲି ଜାମିସନ୍‌ ଓ ଟିମ୍‌ ସାଉଦିଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ୧୩୧ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ଉଭୟ ଜାମିସନ୍‌ ଓ ସାଉଦି ୫-୫ ୱିକେଟ୍‌ ବାଣ୍ଟି ନେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍‌ ଫଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଥିଲା। ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଡାକିବା ପରେ ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଦମ୍‌ଦାର ବୋଲିଂ କରିଛନ୍ତି। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳର ବୋଲରମାନେ ଇଣ୍ଡିଜ୍‌ ଦ୍ବିତୀୟ ପାଳିର ୬ ୱିକେଟ୍‌ ୨୪୪ ରନ୍‌ରେ ଝଡ଼ାଇ ଦେଇଛନ୍ତି। ଟ୍ରେଣ୍ଟ୍‌ ବୋଲ୍‌ଟ-କେଲି ଜାମିସନ୍‌-ନିଲ୍‌ ୱାଗ୍‌ନର ଯଥାକ୍ରମେ ୩-୨-୧ ୱିକେଟ୍‌ ଦଖଲ କରିଛନ୍ତି। ଫଳରେ ହାତରେ ୪ ୱିକେଟ୍‌ ଥାଇ ଏବେ ବି ଇଣ୍ଡିଜ୍‌ ଦଳ ପାଳି ପରାଜୟଠାରୁ ୮୫ ରନ୍‌ ଦୂରରେ ରହିଛି। ତେବେ ଅଧିନାୟକ ଜାସନ୍‌ ହୋଲ୍‌ଡର ଅପରାଜିତ ଅର୍ଧଶତକ ହାସଲ କରିବା ସାଙ୍ଗକୁ ଟେଷ୍ଟ୍‌ ପଦାର୍ପଣ କରିଥିବା ୱିକେଟ୍‌ ରକ୍ଷକ ଜୋସୁଆ ଡା ସିଲ୍‌ଭାଙ୍କୁ ସାଥୀ କରି ଅତୁଟ ସପ୍ତମ ୱିକେଟ୍‌ରେ ୭୪ ରନ୍‌ ଯୋଡ଼ି ପାଳି ପରାଜୟ ଏଡ଼ାଇବାର ଆଶା ଦେଇଛନ୍ତି।

ଦ୍ବିତୀୟ ଦିବସ ସ୍କୋର୍‌ ୧୨୪/୮ରୁ ରବିବାର ଖେଳିଥିବା ଇଣ୍ଡିଜ୍‌ ଆଉ ୭ ରନ୍ ଯୋଡ଼ି ଅବଶିଷ୍ଟ ୨ ୱିକେଟ୍‌ ହରାଇଥିଲା। ୧୩୧ ରନ୍‌ରେ ପ୍ରଥମ ପାଳି ଅଟକି ଯିବା ପରେ ଭ୍ରମଣକାରୀ ଦଳ ଫଲୋଅନ୍‌ ଖେଳିଥିଲା। ତେବେ ଦ୍ବିତୀୟ ପାଳିରେ ଅବଶ୍ୟ କିଛିଟା ଉନ୍ନତ ପ୍ରଦର୍ଶନ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜନ୍‌ କାମ୍ପବେଲ୍‌ (୬୮) ଅର୍ଧଶତକ ହାସଲ କରିଥିଲା ବେଳେ ସମରା ବ୍ରୁକ୍ସ (୩୬), କ୍ରେଗ୍‌ ବ୍ରାଥ୍‌ୱେଟ୍‌ (୨୪) ଓ ଜର୍ମେନ୍‌ ବ୍ଲାକ୍‌ଉଡ୍‌ (୨୦) କିଛି ସମୟ ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ସାମ୍‌ନା କରିଥିଲେ। ତେବେ ଏକ ସମୟରେ ୪ ରନ୍‌ ମଧ୍ୟରେ ୩ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା। ଏପରିକି ୧୭୦ ସ୍କୋର୍‌ ବେଳକୁ ଦଳ ୬ ୱିକେଟ୍‌ ହରାଇ ଦେଇଥିଲା। ଏହାପରେ କିନ୍ତୁ ହୋଲ୍‌ଡର (୬୦* ରନ୍‌, ୮୯ ବଲ୍‌, ୮ ଚୌକା, ୨ ଛକା) ଓ ସିଲ୍‌ଭା (୨୫* ରନ୍‌, ୩୯ ବଲ୍‌, ୨ ଚୌକା) କ୍ରିଜ୍‌ରେ ଜମିରହି ପାଳି ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛନ୍ତି। ଏହା ପୂର୍ବରୁ ପ୍ରଥମ ଟେଷ୍ଟ୍‌‌ରେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ପାଳି ପରାଜୟ ବରଣ କରିସାରିଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୧୧୪ ଓଭରରେ ୪୬୦ (ହେନ୍‌ରି ନିକୋଲ୍‌ସ-୧୭୪, ନିଲ୍‌ ୱାଗ୍‌ନର-୬୬*, ସାନନ୍ ଗାବ୍ରିଏଲ୍‌-୩/୯୩, ଅଲ୍‌ଜେରି ଜୋସେଫ୍‌-୩/୧୦୯, ଚେମାର ହୋଲ୍‌ଡର-୨/୧୧୦, ରସ୍ତନ ଚେଜ୍‌-୨/୫୪)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୫୬.୪ ଓଭରରେ ୧୩୧ (ବ୍ଲାକ୍‌ଉଡ୍‌-୬୯, ଟିମ୍‌ ସାଉଦି-୫/୩୨, କେଲି ଜାମିସନ୍‌-୫/୩୪) ଏବଂ ଦ୍ବିତୀୟ ପାଳି ୬୫.୪ ଓଭରରେ ୨୪୪/୬ (କାମ୍ପବେଲ୍‌-୬୮, ହୋଲ୍‌ଡର-୬୦*, ସିଲ୍‌ଭା-୨୫*, ବୋଲ୍‌ଟ-୩/୭୫, ଜାମିସନ୍‌-୨/୪୩, ୱାଗ୍‌ନର-୧/୫୩)।

ସମ୍ବନ୍ଧିତ ଖବର