ଜାମାଇକା: କିଙ୍ଗଷ୍ଟନ୍ ଟେଷ୍ଟ୍ରେ ଭାରତ ଘରୋଇ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୪୬୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଇଣ୍ଡିଜ୍ ୨ ୱିକେଟ୍ ବିନିମୟରେ ୪୫ ରନ୍ କରି ସଂଘର୍ଷ କରୁଥିଲା।
ପ୍ରଥମ ପାଳିରେ ୨୯୯ ରନ୍ ଆଗୁଆ ହୋଇଥିବା ଭାରତ ରବିବାର ଅଜିଙ୍କ୍ୟ ରାହାଣେ (୬୪*, ୧୦୯ ବଲ, ୮ ଚୌକା, ୧ ଛକା) ଏବଂ ହନୁମା ବିହାରୀ (୫୩*, ୭୬ ବଲ, ୮ ଚୌକା)ଙ୍କ ଶତକୀୟ ଭାଗୀଦାରି (୧୧୧*) ବଳରେ ୧୬୮/୪ରେ ଦ୍ବିତୀୟ ପାଳି ଘୋଷଣା କରିଥିଲା। ପୂର୍ବରୁ ଭାରତର ୪୧୬ ଜବାବରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧୧୭ ରନ୍ କରିଥିଲା। ଭ୍ରମଣକାରୀ ଦଳକୁ ୨୯୯ ରନ୍ର ବଡ଼ ଅଗ୍ରଣୀ ମିଳିଥିଲେ ମଧ୍ୟ ବିରାଟ କୋହଲି ଫଲୋଅନ୍ ନଡ଼ାକି ଦ୍ବିତୀୟ ପାଳି ଖେଳିବାକୁ ପସନ୍ଦ କରିଥିଲେ। ମୟଙ୍କ ଅଗ୍ରୱାଲ (୪), କେଏଲ୍ ରାହୁଲ (୬), ବିରାଟ କୋହଲି (୦)ଙ୍କୁ କେମାର ରୋଚ୍ (୩/୧୨) ଆଉଟ୍ କରିଥିବାବେଳେ ଚେତେଶ୍ବର ପୂଜାରା (୨୭)ଙ୍କୁ ଜାସନ୍ ହୋଲଡର୍ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ।ଶନିବାର ଦ୍ବିତୀୟ ଦିବସରେ ହନୁମା ବିହାରୀ (୧୧୧), ଈଶାନ୍ତ ଶର୍ମା (୫୭) ଏବଂ ଯଶପ୍ରୀତ୍ ବୁମରା (୬/୨୭)ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। ହେଟମେୟର (୩୪, ୫୭ ବଲ)ଙ୍କୁ ମହମ୍ମଦ ସାମି ଆଉଟ୍ କରିଥିଲେ। ଜାସନ୍ ହୋଲଡର (୧୮)ଙ୍କୁ ବୁମରା ଷଷ୍ଠ ଶିକାର କରିଥିଲେ। ୱେଷ୍ଟଇଣ୍ଡିଜ୍ ରବିବାର ସକାଳେ ୮୭/୭ରୁ ଖେଳିଥିଲା। କର୍ନୱାଲ (୧୪)ଙ୍କୁ ସାମି ସଅଳ ଆଉଟ୍ କରି ଦେଇଥିଲେ ମଧ୍ୟ କେମାର ରୋଚ୍ (୧୭) ଶେଷ ପର୍ଯ୍ୟନ୍ତ ଲଢ଼ିବାରୁ ଇଣ୍ଡିଜ୍ ୧୦୦ ଟପିଯାଇଥିଲା। ଚ୍ଙ୍କ ୱିକେଟ୍ ନେଇ ରୀବନ୍ଦ୍ର ଜାଦେଜା ଇଣ୍ଡିଜ୍ ପାଳିର ଅନ୍ତ ଘଟାଇଥିଲେ। ବଡ଼ ଅଗ୍ରଣୀ ପାଇବା ସତ୍ତ୍ବେ ଫଲୋଅନ୍ ନଡାକିବାରେ ଭାରତ ତୃତୀୟ ସର୍ବାଧିକ ସ୍କୋର୍ ପାଇଥିଲା। ୨୦୦୭ରେ ଓଭାଲରେ ଇଂଲଣ୍ଡ ବିପକ୍ଷରେ ୩୧୯ ରନ୍ ଏବଂ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୩୦୯ ରନ୍ ଅଗ୍ରଣୀ ପାଇଥିଲେ ମଧ୍ୟ ଫଲୋଅନ୍ ନଡ଼ାକିବାର ଉଦାହରଣ ରହିଥିଲା। ୪୬୮ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ଇଣ୍ଡିଜ୍କୁ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ପ୍ରଥମ ଦୁଇ ଝଟକା ଦେଇଛନ୍ତି। କ୍ରେଗ୍ ବ୍ରାଥ୍ୱେଟ୍ (୩)ଙ୍କୁ ଈଶାନ୍ତ ଏବଂ ଜନ୍ କ୍ୟାମ୍ପ୍ବେଲ୍ (୧୬)ଙ୍କୁ ସାମି ଆଉଟ୍ କରିଛନ୍ତି।