ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇଲା ଇଣ୍ଡିଜ୍‌: ଅନ୍ତର୍ଜାତୀୟ କ୍ରିକେଟ୍‌ର ଚମତ୍କାର ପ୍ରତ୍ୟାବର୍ତନ, ପ୍ରଥମ ନେତୃତ୍ବରେ ବେନ୍ ଷ୍ଟୋକ୍ସ ବିଫଳ

ସାଉଥାମ୍ପଟନ୍‌: କରୋନା ପରବର୍ତୀ ବହୁ ପ୍ରତୀକ୍ଷିତ ଅନ୍ତର୍ଜାତୀୟ କ୍ରିକେଟ୍‌ର ପ୍ରଥମ ଫଳାଫଳ ୱେଷ୍ଟଇଣ୍ଡିଜ୍ ସପକ୍ଷରେ ଯାଇଛି। ଜର୍ମାଇନ୍ ବ୍ଲାକଉଡ୍‌ (୯୫) ଶତକରୁ ବଞ୍ଚିତ ହେଲେ ମଧ୍ୟ ଇଂଲଣ୍ଡକୁ ପ୍ରଥମ ଟେଷ୍ଟ୍‌ରେ ହରାଇବାରେ ବଡ଼ ଭୂମିକା ତୁଲାଇଛନ୍ତି। ରୋଜ୍‌ବାଉଲ୍‌ରେ ଖେଳାଯାଇଥିବା ଏହି ଟେଷ୍ଟ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ରୋମାଞ୍ଚକ ଭାବେ ୪ ୱିକେଟ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ୨୦୦ ରନ୍‌କୁ ପିଛା କରିଥିବା ଇଣ୍ଡିଜ ୨୭ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲେ ମଧ୍ୟ ବ୍ଲାକଉଡ୍‌ଙ୍କ ସାହସିକ ତଥା ଧୈର୍ଯ୍ୟପୂର୍ଣ୍ଣ ପାଳି ଓ ଦୁଇଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ବଳରେ ଦଳ ସ୍ମରଣୀୟ ବିଜୟ ପାଇଥିଲା। ୬ ୱିକେଟ୍ ହରାଇ ଜାସନ୍ ହୋଲଡରଙ୍କ ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏଥି ସହିତ ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଏହି ମ୍ୟାଚ୍‌ରୁ ୪୦ ପଏଣ୍ଟ୍‌ ନେଇ ଇଣ୍ଡିଜ୍‌ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଅନ୍ୟପକ୍ଷରେ ନିଜର ପ୍ରଥମ ନେତୃତ୍ବରେ ବିଫଳ ହୋଇଛନ୍ତି ଇଂଲଣ୍ଡର କାମଚଳା ଅଧିନାୟକ ବେନ୍ ଷ୍ଟୋକ୍ସ।

ରବିବାର ଇଂଲଣ୍ଡ ଏହାର ଦ୍ବିତୀୟ ପାଳିକୁ ୨୮୪/୮ରୁ ଖେଳି ଶେଷ ଦୁଇ ୱିକେଟ୍‌ ହରାଇବା ପୂର୍ବରୁ ଆଉ ୨୯ ରନ୍ ଯୋଡ଼ି ନେଇଥିଲା। ପୂର୍ବ ସଂଧ୍ୟାର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ଜୋଫ୍ରା ଆର୍ଚର (୨୩, ୩୫ ବଲ, ୪ ଚୌକା) ଏବଂ ମାର୍କ ଉଡ୍‌ (୨)ଙ୍କୁ ୱିକେଟ୍‌ ପଛପଟେ ସନ୍ ଡାଓରିଚ୍‌ଙ୍କ ଦ୍ବାରା କ୍ୟାଚ୍‌ କରାଇ ସାନନ୍ ଗାବ୍ରିଏଲ୍‌ ନିଜ ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ। ଏହା ଥିଲା ତାଙ୍କ ଖେଳ ଜୀବନର ଷଷ୍ଠ ୫ ୱିକେଟ୍ ସଫଳତା। ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବାରୁ ମ୍ୟାଚ୍‌ରେ ଗାବ୍ରିଏଲ୍‌ ୯/୧୩୭ ବୋଲିଂ ଚିତ୍ର ସହ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଇଂଲଣ୍ଡ ଦ୍ବିତୀୟ ପାଳି ୩୧୩ ରନ୍‌ରେ ସୀମିତ ରହିଯିବାରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ସମାନ ୨୦୦ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ଦୁଇ ଶହ ରନ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍‌କୁ ଜୋର୍ଫା ଆର୍ଚର ପ୍ରଥମରୁ ଝଟ୍‌କା ପରେ ଝଟକା ପହଞ୍ଚାଇଥିଲେ। ଦ୍ବାଦଶ ଓଭର ତଥା ୨୭ ରନ୍‌ ଦଳୀୟ‌ ସ୍କୋର୍‌ ବେଳକୁ ୱେଷ୍ଟ୍‌ଇଣ୍ଡିଜ୍‌ ୩ ୱିକେଟ୍ ହରାଇବା ସହ ଜନ୍‌ କ୍ୟାମ୍ପ୍‌ବେଲ୍‌ ରିଟାର୍ଡ ହର୍ଟ ହୋଇ ଫେରିଥିଲେ। ଏଭଳି ସ୍ଥିତିରୁ ଆଉ ଇଣ୍ଡିଜ୍‌ ମ୍ୟାଚ୍‌ ଜିତିବା ଭଳି ଲାଗୁନଥିଲା। କିନ୍ତୁ ରସ୍ତନ୍ ଚେଜ୍‌ ଓ ଜର୍ମାଇନ୍ ବ୍ଲାକ୍‌ଉଡ୍‌ ଚତୁର୍ଥ ୱିକେଟ୍ ପାଇଁ ୭୩ ରନ୍‌ ଯୋଡ଼ିବାରୁ ଇଣ୍ଡିଜ୍ ଭାଗ୍ୟରେ ପରିବର୍ତନ ହୋଇଥିଲା। ରସ୍ତନ୍ ଚେଜ୍‌ (୩୭, ୮୮ ବଲ୍‌, ୧ ଚୌକା)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳିକୁ ମଧ୍ୟ ଆର୍ଚର ଶେଷ କରିଥିଲେ। ଏହା ପରେ ୱିକେଟରକ୍ଷକ ସନ୍ ଡାଓରିଚ୍‌ (୨୦, ୩୭ ବଲ୍‌)ଙ୍କୁ ସାଥୀ କରି ବ୍ଲାକଉଡ୍‌ ଆଉ ୬୮ ରନ୍ ଯୋଡ଼ି ନେବାରୁ ଇଂଲଣ୍ଡର ପ୍ରତ୍ୟାବର୍ତନ ବାଟ ବନ୍ଦ ହୋଇଯାଇଥିଲା। ଡାଓରିଚ୍‌ଙ୍କ ୱିକେଟ୍ ନେଇଥିଲେ ଅଧିନାୟକ‌ ବେନ୍ ଷ୍ଟୋକ୍ସ।

ମଝି ଅ‌ଧିବେଶନ ନିର୍ଣ୍ଣାୟକ: ଦୁଇ ଶହ ରନ୍‌ର ପଶ୍ଚାତଧାବନ ବେଳେ ପ୍ରଥମ ଅଧିବେଶନରେ ୩ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିବା ୱେଷ୍ଟଇଣ୍ଡିଜ୍ ପାଇଁ ଦ୍ବିତୀୟ ତଥା ମଝି ଅଧିବେଶନ ଖେଳ ନିର୍ଣ୍ଣାୟକ ହୋଇଥିଲା। ବ୍ଲାକଉଡ୍‌, ରସ୍ତନ୍ ଚେଜ୍‌ ଏବଂ ସନ୍ ଡାଓରିଚ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି କାରଣରୁ ଇଣ୍ଡିଜ୍ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିଲା। ମଧ୍ୟାହ୍ନ ଭୋଜନରୁ ଚା’ପାନ ମଧ୍ୟରେ ୩୦ ଓଭରରୁ ଭ୍ରମଣକାରୀ ଦଳ ୧୦୮ ରନ୍ ଉଠାଇ ମାତ୍ର ଗୋଟିଏ ୱିକେଟ୍‌ ହରାଇଥିଲା। ଚା’ପାନ ବେଳକୁ ୧୪୩/୪ରେ ପହଞ୍ଚିଥିବା ଇଣ୍ଡିଜ୍‌କୁ ବିରତି ପରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଦୁଇଟି ଝଟକା ଦେଇଥିଲେ। ଡାଓରିଚ୍‌ ଓ ବ୍ଲାକଉଡ୍‌ଙ୍କ ୱିକେଟ୍‌ ନେଇଥିଲେ ମଧ୍ୟ ଘରୋଇ ଦଳ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ବ୍ଲାକଉଡ୍‌ ଶତକରୁ ବଞ୍ଚିତ: ବିଜୟଠାରୁ ମାତ୍ର ୧୧ ରନ୍‌ ଦୂରରେ ଥିବାବେଳେ ବ୍ଲାକଉଡ୍‌ (୯୫, ୧୫୪ ବଲ, ୧୨ ଚୌକା)ଙ୍କୁ ମିଡ୍‌ ଅଫ୍‌ରେ ଜେମ୍ସ ଆଣ୍ଡରସନ୍‌ କ୍ୟାଚ୍‌ କରି ରୋମାଞ୍ଚ ଭରିଥିଲେ। ସମାନ ସଟ୍‌ ଖେଳି ପୂର୍ବରୁ ଦୁଇ ଥର ସଫଳ ହୋଇଥିଲେ ମଧ୍ୟ ଏଥର ଏହା ତାଙ୍କୁ ଦ୍ବିତୀୟ ଶତକରୁ ବଞ୍ଚିତ ରଖିଥିଲା। ଷ୍ଟୋକ୍ସ ତାଙ୍କ ମୂଲ୍ୟବାନ ୱିକେଟ୍‌ ଦଖଲ କରିଥି‌ଲେ। ଏହି ସମୟରେ ରିଟାର୍ଡ ହର୍ଟ ହୋଇଥିବା ଜନ୍ କ୍ୟାମ୍ପ୍‌ବେଲ୍‌ ବ୍ୟାଟିଂ ପାଇଁ ଫେରିଥିଲେ। ଜାସନ୍ ହୋଲଡର୍ (୧୪*, ୩୬ ବଲ, ୧ ଚୌକା) ଏବଂ କ୍ୟାମ୍ପ୍‌ବେଲ୍ (୮*, ୨୬ ବଲ, ୧ ଚୌକା) ମ୍ୟାଚ୍‌ ଶେଷ କରିଥିଲେ। ‌ଷ୍ଟୋକ୍ସଙ୍କ ବିପକ୍ଷରେ ବିଜୟୀ ସଟ୍‌ (୧ ରନ) ଖେଳିଥିଲେ କ୍ୟାମ୍ପ୍‌ବେଲ୍‌।

ଡିଆର୍‌ଏସ ନିଷ୍ପତ୍ତି: ଏହି ମ୍ୟାଚ୍‌ ଅବସରରେ ସର୍ବାଧିକ ୭ଟି ନିଷ୍ପତ୍ତିକୁ ଡିଆର୍‌ଏସ୍‌ କାରଣରୁ ବଦଳାଇବାକୁ ପଡିଥିଲା। ଗୋଟିଏ ଟେଷ୍ଟ୍‌ରେ ମୋଟ ୭ଟି ନିଷ୍ପତ୍ତିକୁ ବଦଳାଇବାକୁ ପଡ଼ିବାର ଏହା ଥିଲା ଚତୁର୍ଥ ଉଦାହରଣ। ୨୦୧୭ରେ କଲମ୍ବୋରେ ଖେଳାଯାଇଥିବା ବାଂଲାଦେଶ-ଶ୍ରୀଲଙ୍କା ଟେଷ୍ଟରେ‌ ମୋଟ ୮ ନିଷ୍ପତ୍ତିକୁ ବଦଳାଯିବା ଏବେ ଶୀର୍ଷରେ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୦୪ (ବେନ୍‌ ଷ୍ଟୋକ୍ସ-୪୩, ଜାସନ୍ ହୋଲଡର-୬/୪୨, ସାନନ୍ ଗାବ୍ରିଏଲ୍‌-୪/୬୨)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୩୧୮ (କ୍ରେଗ୍ ବ୍ରାଥ୍‌ୱେଟ୍-୬୫, ସନ୍ ଡାଓରିଚ୍‌-୬୧, ବେନ୍ ‌ଷ୍ଟୋକ୍ସ-୪/୪୯, ଜେମ୍ସ ଆଣ୍ଡରସନ୍-୩/୬୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୧୧.୨ ଓଭରରେ ୩୧୩ (ଜାକ୍ କ୍ରଲି-୭୬, ଡୋମିନିକ୍‌ ସିବଲେ-୫୦, ବେନ୍ ଷ୍ଟୋକ୍ସ-୪୬, ରୋରି ବର୍ନସ-୪୨, ଜୋଫ୍ରା‌ ଆର୍ଚର-୨୩, ସାନନ୍ ଗାବ୍ରିଏଲ୍‌-୫/୭୫, ଅଲଜାରି ଯୋସେଫ୍‌-୨/୪୫, ରସ୍ତନ୍ ଚେଜ୍‌-୨/୭୧, ଜାସନ୍ ହୋଲଡର-୧/୪୯)। ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳି: ୬୪.୨ ଓଭରରେ ୨୦୦/୬ (ଜର୍ମାଇନ୍ ବ୍ଲାକଉଡ୍‌-୯୫, ରସ୍ତନ୍ ଚେଜ୍‌-୩୭, ସନ୍‌ ଡାଓରିଚ୍‌-୨୦, ଜାସନ୍ ହୋଲଡର୍‌-୧୪*, ଜନ୍ କ୍ୟାମ୍ପ୍‌ବେଲ୍‌-୮*, ଜୋଫ୍ରା ଆର୍ଚର-୩/୪୫, ବେନ୍ ଷ୍ଟୋକ୍ସ-୨/୩୯, ମାର୍କ ଉଡ୍‌-୧/୩୬)।

ସମ୍ବନ୍ଧିତ ଖବର