ମାଞ୍ଚେଷ୍ଟର୍‌: ଶନିବାର ଆଉ ଏକ ରୋମାଞ୍ଚକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ମାତ୍ର ୫ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ୍‌ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରିଛି। କାର୍ଲୋସ୍ ବ୍ରାଥ୍‌ୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ଇଣ୍ଡିଜ ବିଜୟ ଦ୍ବାରରୁ ଫେରିଯାଇଥିଲା। ପୂର୍ବରୁ ଲଗାତାର ପାଳିରେ ଶତକ ହାସଲ କରି କେନ୍ ୱିଲିୟମ୍‌ସନ୍ ନିଜକୁ ମହାନ ଖେଳାଳି ବୋଲି ପୁଣି ଥରେ ପ୍ରମାଣିତ କରିଥିଲେ। ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୬* ରନ୍‌ର ମ୍ୟାଚ୍ ବିଜୟୀ ପାଳି‌ ଖେଳିଥିବା ଏହି ଡାହାଣହାତୀ ବ୍ୟାଟସମ୍ୟାନ୍‌ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୪୮ ରନ୍‌ର ଆଉ ଏକ ଚମତ୍କାର ଶତକ ହାସଲ କରିଥିଲେ।
ଶନିବାର ଅପରାହ୍ନରେ ଓଲ୍ଡ ଟ୍ରାଫର୍ଡରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ ସେଲଟନ୍ କଟରେଲ୍‌ ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ହିଁ ନ୍ୟୁଜିଲାଣ୍ଡ୍‌କୁ ଯୁଗଳ ଝଟକା ଦେଇଥିଲେ କଟରେଲ୍‌। ପ୍ରଥମ ବଲରେ ମାର୍ଟିନ ଗପ୍ଟିଲ ଏବଂ ପଞ୍ଚମ ବଲରେ କଲିନ୍ ମୁନରୋଙ୍କୁ ଆଉଟ୍ କରିଥିଲେ। ଏହି ସମୟରେ କିନ୍ତୁ ଅଭିଜ୍ଞ ଯୋଡ଼ି କେନ୍ ୱିଲିୟମସନ୍ (୧୪୮, ୧୫୪ ବଲ, ୧୪‌ ଚୌକା, ୧ ଛକା) ଏବଂ ରସ୍ ଟେଲର୍ (୬୯, ୯୫ ବଲ, ୭ ଚୌକା) ତୃତୀୟ ୱିକେଟ୍‌ ପାଇଁ ସଂଘଷପୂର୍ଣ୍ଣ ୧୬୦ ରନ୍ କରିଥିଲେ। ଏଥି ପାଇଁ ୩୩.୪ ଓଭର ଖେଳିଥିଲେ। ଏହା ପରେ ଜାମି ନିସାମ (୨୮, ୨୩ ବଲ)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କିୱି ଖେଳାଳି ବିଶେଷ କରି ପାରିନଥିଲେ। କଟ୍ରେଲ୍ କିନ୍ତୁ ମଧ୍ୟକ୍ରମରେ ୱିଲିୟମସନ୍ ଏବଂ ଲଥାମଙ୍କ ୱିକେଟ୍‌ ସହିତ ୧୦-୧-୫୬-୪ ବୋଲିଂ ଚିତ୍ର ପାଇଥିଲେ।
ଜବାବରେ କ୍ରିସ୍ ଗେଲ (୮୭, ୮୪ ବଲ୍‌, ୮ ଚୌକା, ୬ ଛକା), ସିମରନ୍ ହେଟମେୟର (୫୪, ୪୫ ବଲ୍‌, ୮ ଚୌକା, ୧ ଛକା)ଙ୍କ ଅର୍ଧଶତକ ଏବଂ କାର୍ଲୋସ୍ ବ୍ରାଥ୍‌ୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ଶତକ ବଳରେ ଇଣ୍ଡିଜ୍ ୪୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୬ ରନ୍ କରିଥିଲା। ୪୮ତମ ଓଭର ବୋଲିଂ କରିଥିବା ମ୍ୟାଟ୍ ହେନରିଙ୍କ ଠାରୁ ୨୫ ରନ୍ (୨,୬,୬,୬,୪,୧) ଆଦାୟ କରିଥିବା ବ୍ରାଥ୍‌ୱେଟ ୮୦ ବଲରୁ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଛକାରେ ବିଜୟ ଶେଷ କରିବାକୁ ଯାଇ ଲଙ୍ଗ୍ ଅନ୍‌ରେ ବୋଲଟଙ୍କ ହାତରେ ଧରାପଡ଼ି ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ୫୦ ଓଭରରେ ୨୯୧/୮ (କେନ୍ ୱିଲିୟମସନ୍-୧୪୮, ରସ୍ ଟେଲର-୬୯, ଜାମି ନିସାମ-୨୮, ସେଲଡନ୍ କଟରେଲ୍-୪/୫୬, କାର୍ଲୋସ ବ୍ରାଥ୍‌ୱେଟ-୨/୫୮, କ୍ରିସ୍ ଗେଲ-୧/୮)। ୱେଷ୍ଟଇଣ୍ଡିଜ୍‌ ୪୯ ଓଭରରେ ୨୮୬ (କାର୍ଲୋସ ବ୍ରାଥ୍‌ୱେଟ-୧୦୧, କ୍ରିସ୍ ଗେଲ-୮୭, ସିମରନ୍‌ ହେଟମେୟର-୫୪, ଟ୍ରେଣ୍ଟ୍‌ ବୋଲଟ-୪/୨୩, ଲୁକି ଫର୍ଗୁସନ୍‌-୩/୫୨)।