ୱେଷ୍ଟଇଣ୍ଡିଜ୍‌ ୨-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା

ବାଂଲାଦେଶ ୫୦ ରନ୍‌ରେ ହାରିଲା

ମିର୍‌ପୁ: ଇଭାନ୍‌ ଲୁଇସ୍‌ (୮୯)ଙ୍କ ଧୂଆଁଧାର ଅର୍ଧଶତକ ପରେ କିମୋ ପଲ୍‌ (୫/୧୫)ଙ୍କ ଘାତକ ବୋଲିଂ ବଳରେ ଭ୍ରମରକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ଶନିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୫୦ ରନ୍‌ରେ ପରାସ୍ତ କରିଦେଇଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଇଣ୍ଡିଜ୍‌ ଦଳ ଲୁଇସ୍‌ (୩୬ ବଲ୍‌, ୮୯ ରନ୍‌, ୬ ଚୌକା, ୮ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ପୂରନ୍‌ଙ୍କ ୨୯, ସାଇ ହୋପ୍‌ଙ୍କ ୨୩ ଓ ରୋଭ୍‌ମାନ ପାୱେଲଙ୍କ ୧୯ ରନ୍‌ ବଳରେ ୧୯.୨ ଓଭରରେ ୧୯୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବାଂଲାଦେଶର ସଫଳ ବୋଲର ଭାବେ ସାକିବ୍‌ ଅଲ୍‌ ହାସନ୍‌, ମୁସ୍ତାଫିଜର ରହମନ୍‌ ଓ ମାହମୁଦୁଲ୍ଲା ୩ ଲେଖାଏଁ ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ କିମୋ ପଲ୍‌ଙ୍କ ୫ ଓ ଆଲେନ୍‌ଙ୍କ ୨ ୱିକେଟ୍‌ ଯୋଗୁଁ ବାଂଲା‌ଦେଶ ପାଳି ୧୭ ଓଭରରେ ୧୪୦ ରନ୍ରେ ଶେଷ ହୋଇଯାଇଥିଲା। ଲିଟନ୍‌ ଦାସ (୪୩), ଆବୁ ହାଇଦର (୨୨*), ମେହେଦି ହାସନ୍‌ ମିରାଜ୍‌ (୧୯ ଓ ମାହମୁଦୁଲ୍ଲା (୧୧) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଲୁଇସ୍‌ ମ୍ୟାଚ୍‌ର ଏବଂ ସାକିବ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମନ୍ଥର ବୋଲିଂ ପାଇଁ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଦଣ୍ଡିତ
ଢାକା: ଗୁରୁବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଦଳ ଦଣ୍ଡିତ ହୋଇଛନ୍ତି। ନିର୍ଧାରିତ ସମୟକୁ ବିଚାରକୁ ନିଆଯାଇ ସାକିବ୍‌ ଅଲ୍‌ ହାସନ୍‌ଙ୍କ ବାଂଲାଦେଶ ଦଳ ଗୋଟିଏ ଏବଂ କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ଙ୍କ ଇଣ୍ଡିଜ୍‌ ଦଳ ୨ ଓଭର କମ୍‌ ବୋଲିଂ କରିଥିବା ଜଣାପଡ଼ିଥିଲା। ମ୍ୟାଚ୍‌ ପରିଚାଳନା କରୁଥିବା ତନ୍‌ବୀର ଅହମ୍ମଦ ଓ ଗାଜି ସୋହେଲ୍‌ଙ୍କ ସହିତ ତୃ୍ତୀୟ ଅମ୍ପାୟାର ସୈକତ୍‌ ସର୍ଫୁଦୌଲା ଓ ଚତୁର୍ଥ ଅମ୍ପାୟାର ମାସୁଦୁର ରହମନ୍‌ଙ୍କ ଅଭିଯୋଗକ୍ରମେ ମ୍ୟାଚ୍‌ ରେଫରି ଜେଫ୍‌ କ୍ରୋ ଉଭୟ ଦଳ ପାଇଁ ଦଣ୍ଡ ଘୋଷଣା କରିଥିଲେ। ପ୍ରତି କମ୍‌ ଓଭର ପାଇଁ ଖେଳାଳିମାନେ ୧୦ ପ୍ରତିଶତ ଏବଂ ଅଧିନାୟକ ୨୦ ପ୍ରତିଶତ ଜରିମାନା ଦଣ୍ଡ ପାଇଛନ୍ତି। ଫଳରେ ବାଂଲା ଖେଳାଳିମାନେ ୧୦ ଏବଂ ଅଧିନାୟକ ସା‌କିବ୍‌ ୨୦ ପ୍ରତିଶତ ଜରିମାନା ପାଇଥିଲା ବେଳେ ଇଣ୍ଡିଜ୍‌ ଖେଳାଳିମାନେ ୨୦ ଓ ଅଧିନାୟକ ବ୍ରାଥ୍‌ୱେଟ୍‌ ୪୦ ପ୍ରତିଶତ ଜରିମାନା ପାଇଛନ୍ତି। ୧୨ ମାସ ମଧ୍ୟରେ ଯଦି ଉଭୟ ଦଳ ସମାନ ଅପରାଧ କରନ୍ତି, ତେବେ ସାକିବ୍‌ ଓ ବ୍ରାଥ୍‌ୱେଟ୍‌ ବାସନ୍ଦ ହେବାର ଆଶଙ୍କା ରହିବ ବୋଲି ଆଇସିସି ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧିତ ଖବର