ପ୍ରଥମ ଦିନିକିଆରେ ଭାରତକୁ ୮ ଓ୍ଵିକେଟରେ ହରାଇଲା ୱେଷ୍ଟଇଣ୍ଡିଜ, ହୋପ୍‌-ହେଟ୍‌ମେର ଦେଲେ ବିଜୟ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୱେଷ୍ଟଇଣ୍ଡିଜ୍‌ ୮ ଓ୍ଵିକେଟ୍‌ରେ ଜିତିଛି।। ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟ ପଛରେ ଦଳର ଖେଳାଳି ସାଇ ହୋପ୍‌ (ଅପରାଜିତ ୧୦୨ ରନ୍‌, ୧୫୧ ବଲ, ୭ ଚୌକା, ୧ ଛକା) ଓ ସିମରନ୍‌ ହେଟମେର (୧୩୯ ରନ୍‌, ୧୦୬ ବଲ, ୧୧ ଚୌକା, ୭ଛକା)ଙ୍କ ବଡ଼ ଯୋଗଦାନ ରହିଛି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ମିଳିଥିବା ୨୮୮ ରନ୍‌ ବିଜୟ ଲକ୍ଷ୍ୟ ୪୭.୫ ଓଭରରେ ପୂରା ହୋଇଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଟିମ୍‌ ମାତ୍ର ୨ଟି ଓ୍ଵିକେଟ୍‌ ହରାଇ ୨୯୧ ରନ୍‌ କରିଛି। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଶ୍ରେୟସ ଆୟର (୭୦ ରନ୍‌) ଓ ଋଷବ ପନ୍ତ (୭୧ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୮୭ ରନ୍‌ କରିଥିଲା।

ଲକ୍ଷ ପଛରେ ଗୋଡ଼ାଇ ୱେଷ୍ଟଇଣ୍ଡିଜ ନିଜର ସ୍କୋର ୧୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ଓପନର ସୁନୀଲ ଅମ୍ବ୍ରିସ(୯ରନ୍‌)ଙ୍କୁ ହରାଇବା ପରେ ହୋପ୍‌ ଓ ହେଟମେର ଧୈଯ୍ୟର ସହିତ କ୍ରିଜ୍‌ ଉପରେ ଛିଡ଼ା ହୋଇଥିଲେ। ଉଭୟ ବ୍ୟାଟ୍‌ସମ୍ୟାନ୍‌ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୨୧୮ ରନ୍‌ ଭାଗିଦାରୀ ହୋଇପାରିଥିଲେ। ଟିମ୍‌ ୩୮.୪ ଓଭରରେ ହେଟମେରଙ୍କୁ ହରାଇଥିଲା। ମହମ୍ମଦ ସାମିଙ୍କ ବଲ ଶ୍ରେୟସ ଆୟରଙ୍କୁ କ୍ୟାଚ୍‌ ଦେଇ ହେଟମେର ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ। ମାତ୍ର ସେତେବେଳକୁ ଦଳ ବିଜୟ ଆଡ଼କୁ ମୁହାଁଉଥିଲା। ନିକୋଲାସ ପୂରନ ପଡ଼ିଆକୁ ପ୍ରବେଶ କରିଥିଲେ ଏବଂ ସେ ୨୩ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୨୯ ରନ୍‌ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା।

Photo: Zee News

ଭାରତର ଇନିଂସରେ ଓପନର ରୋହତି ଶର୍ମା ଦଳ ପାଇଁ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୫୬ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ଆଲଜାରି ଜୋସେଫଙ୍କ ବଲ୍‌ ଅଧିନାୟକ କିରଣ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇ ରୋହିତ ପାଭଲିଅନ୍‌ ଫେରିଆସିଥିଲେ। ରୋହିତଙ୍କ ସ୍ଥାନ ପୂରଣ କରିବା ପାଇଁ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର କୋହଲି କ୍ରିଜରେ ଅଧିକ ସମୟ ରହିପାରି ନଥିଲେ। କୋହଲି ୪ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୪ ରନ୍‌ କରିଥିଲେ। ସେ ସେଲ୍‌ଡନ୍‌ କଟ୍ରେଲଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ଅନ୍ୟ ଓପନର ଲୋକେଶ ରାହୁଲ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଦ୍ୱାରା ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲେ। ରାହୁଲ ୧୫ଟି ବଲ ଖେଳି ମାତ୍ର ୬ ରନ୍‌ କରି ପାଭଲିଅନ୍‌ ଫେରି ଆସିଥିଲେ।

Photo: Hindustan Times

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ମାନେ ଆଜି ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେୟସ ଆୟର ଓ ଋଷବ ପନ୍ତଙ୍କ ବ୍ୟତୀତ କେଦାର ଯାଦବ ୩୫ଟି ବଲ ଖେଳି ୪୦ ରନ୍‌ ଓ ରବୀନ୍ଦ୍ର ଜାଦେଜା ୨୧ଟି ବଲ ଖେଳି ୨୧ ରନ୍‌ କରିଥିଲେ। ଋଷବ ପନ୍ତ ଦୀର୍ଘ ୧୪ ମାସ ପରେ ନିଜର ଫର୍ମ ଫେରିଛନ୍ତି। ସେ ୬୯ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୭୧ ରନ୍‌ ଯୋଡ଼ିଥିଲେ। ଆୟାର ୭୦ ରନ୍‌ ଯୋଡ଼ିବା ପାଇଁ ୮୮ଟି ବଲ ଖେଳିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଶିଭମ୍‌ ଦୁବେ ୯ରନ୍‌, ଦୀପକ ଚହର ଅପରାଜିତ ୬ ରନ୍‌ ଯୋଡ଼ିଥିବା ବେଳେ ମହମ୍ମଦ ସାମି କୌଣସି ରନ୍‌ ସଂଗ୍ରହ ନ କରି ପାଭଲିଅନ୍‌ ଫେରିଥିଲେ। ୱେଷ୍ଟଇଣ୍ଡିଜ୍‌ ବୋଲର ସେଲ୍‌ଡନ୍‌ କଟ୍ରେଲ, କିମୋ ପଲ୍‌ ଓ ଆଲ୍‌ଜାରି ଯୋଶେଫ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଅଧିନାୟକ କିରଣ ପୋଲାର୍ଡଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର