ନର୍ଥ ସାଉଣ୍ଡ: ଡାରେନ ବ୍ରାଭୋଙ୍କ ଚତୁର୍ଥ ଦିନିକିଆ ଅନ୍ତର୍ଜାତୀୟ ଶତକ ବଳରେ ‌ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆକୁ ଘରୋଇ ୱେଷ୍ଟ୍‌ଇଣ୍ଡିଜ୍‌ ୫ ୱିକେଟ୍‌ରେ ଜିତି ନେଇଛି। ଏଥିସହ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି। ରବିବାର ଆଣ୍ଟିଗୁଆସ୍ଥିତ ସାର୍‌ ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ୱିକେଟ୍‌ ହରାଇ ୨୭୪ ରନ୍‌ କରିଥିଲା। ୩୧.୫ ଓଭରରେ ୧୫୧ ରନ୍‌ରେ ୬ ୱିକେଟ୍‌ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ହେଲେ ସପ୍ତମ ୱିକେଟ୍‌ରେ ଆଶେନ ବାନ୍ଦ୍ରା (୫୫*) ଓ ୱାନିନ୍ଦୁ ହାସରଙ୍ଗା (୮୦*) ଅପରାଜିତ ୧୨୩ ରନ୍‌ ଯୋଡ଼ି ଶ୍ରୀଲଙ୍କା ପାଇଁ ସମ୍ମାନଜନକ ‌‌ସ୍କୋର୍‌ କରିଥିଲେ।

Advertisment

ଇଣ୍ଡିଜ୍‌ ପକ୍ଷରୁ ଅକିଲ ହୋସେନ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଇଣ୍ଡିଜ୍‌ ବ୍ରାଭୋ (୧୦୨, ୧୩୨ ବଲ୍‌, ୫ ଚୌକା, ୪ ଛକା)ଙ୍କ ଶତକ ଏବଂ ସାଇ ହୋପ (୬୪, ୭୨ ବଲ୍‌, ୩ ଚୌକା, ୨ ଛକା) ଓ ଅଧିନାୟକ କିରଣ ପୋଲାର୍ଡ (୫୩, ୪୨ ବଲ୍‌, ୪ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୯ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶ୍ରୀଲଙ୍କାର ସୁରଙ୍ଗ ଲକମଲ ୨ ୱିକେଟ୍‌ ନେଇଥିଲେ। ବ୍ରାଭୋ ମ୍ୟାଚ୍‌ର ଏବଂ ହୋପ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଓ ଦ୍ବିତୀୟ ମ୍ୟାଚ୍‌କୁ ଘରୋଇ ଦଳ ଯଥାକ୍ରମେ ୮ ୱିକେଟ୍‌ ଓ ୫ ୱିକେଟ୍‌ରେ ଜିତିଥିଲା।