ପୋଲାର୍ଡ ପରାକ୍ରମରେ ଚତୁର୍ଥ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍‌

ସେଣ୍ଟ୍‌ ଜର୍ଜ (ଗ୍ରେନେଡା) : ଅଧିନାୟକ କିରଣ ପୋଲାର୍ଡଙ୍କ ପରାକ୍ରମ ପରେ ଅଭିଜ୍ଞ ଡ୍ବେନ୍‌ ବ୍ରାଭୋଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌କୁ ଉଜ୍ଜୀବୀତ ରଖିଛି। ପୋଲାର୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଆଗରେ କ୍ବିଣ୍ଟନ ଡି’କକ୍‌ଙ୍କ ଅର୍ଦ୍ଧଶତକ ମଳିନ ପଡ଼ିଗଲା। ଫଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଗୁରୁବାର ରାତିରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌କୁ ୨୧ ରନ୍‌ରେ ଜିତିନେଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଏବେ ୨-୨ ସମାନ ସ୍ଥିତିରେ ପହଞ୍ଚିଯାଇଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ପୋଲାର୍ଡ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆସନ୍ତା ଶନିବାର ଏହି ଷ୍ଟାଡିୟମ୍‌ରେ ହିଁ ପଞ୍ଚମ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା‌ ‌‌ୱେଷ୍ଟଇଣ୍ଡିଜ୍‌ ଦଳ ୬ ୱିକେଟ୍‌ ବିନିମୟରେ ୧୬୭ ରନ୍‌ କରିଥିଲା। ଲୁଇସ୍‌ (୭), କ୍ରିସ୍‌ ଗେଲ୍‌ (୫), ଆନ୍ଦ୍ରେ ରସେଲ (୯) ଓ ସିମ୍ରନ୍‌ ହେଟ୍‌ମାୟର (୭) ନିରାଶ କରିଥିଲା ବେଳେ ଓପ୍‌ନର ଲେଣ୍ଡଲ ସିମନ୍ସ ୪୭ (୩୪ ବଲ୍‌, ୪ ଚୌକା, ୪ ଛକା), ନିକୋଲସ୍‌ ପୂରନ ୧୬ (୧୫ ବଲ୍‌, ୨ ଚୌକା) ଏବଂ ଫାବିଏନ୍‌ ଆଲେନ୍‌ ୧୯* (୧୩ ବଲ୍‌, ୨ ଚୌକା, ୧ ଛକା) ଉପଯୋଗୀ ରନ୍‌ କରିଥିଲେ। ତେବେ ଦଳକୁ ସଂକଟରୁ ଉଦ୍ଧାର କରିଥିଲେ ପୋଲାର୍ଡ। ସେ ୨୫ ବଲ୍‌ରୁ ୫୧ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଅଧିନାୟକ ପାଳିରେ ୨ ଚୌକା ଓ ୫ ଛକା ସାମିଲ ଥିଲା। ଅସମାପ୍ତ ସପ୍ତମ ୱିକେଟ୍‌ରେ ଫାବିଏନ୍‌ଙ୍କ ସହ ପୋଲାର୍ଡ ୨୭ ବଲ୍‌ରୁ ୬୬ ରନ୍‌ ଆଦାୟ କରିଥିଲେ। ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଭାବେ ଜର୍ଜ ଲିଣ୍ଡେ ଓ ତାବ୍ରିଜ୍‌ ସାମ୍‌ସି ୨-୨ ୱିକେଟ୍‌ ପାଇଥିଲେ।

ଜବାବରେ ଡି’କକ୍‌ (୬୦, ୪୩ ବଲ୍‌, ୬ ଚୌକା, ୨ ଛକା) ଭଲ ଆରମ୍ଭ ଦେଇଥିଲେ। ହେଲେ ଇଣ୍ଡିଜ୍‌ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ଅନ୍ୟ ସମସ୍ତେ ରନ୍‌ ପାଇଁ ସଂଘର୍ଷ କରିଥିଲେ। ବିଶେଷକରି ବ୍ରାଭୋ (୪-୦-୧୯-୪) ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ଉଚିତ ସହଯୋଗ ଦେଇ ଆନ୍ଦ୍ରେ ରସେଲ (୪-୦-୩୦-୨), କିରଣ ପୋଲାର୍ଡ (୪-୦-୨୪-୧), କ୍ରିସ୍‌ ଗେଲ୍‌ (୨-୦-୧୧-୧) ଓ ଓବେଦ୍‌ ମ୍ୟାକୟ (୪-୦-୩୩-୧) ମିଳିତ ଭାବେ ୫ ୱିକେଟ୍‌ ଅକ୍ତିଆର କରିନେବାରୁ ଦକ୍ଷିଣ ଆଫ୍ରିକା ପାଳି ୧୪୬/୯ରେ ସମୀତ ରହିଯାଇଥିଲା। ଡି’କକ୍‌ଙ୍କ ବ୍ୟତୀତ ଐଦେନ୍‌ ମର୍କରାମ (୨୦), କାଗି‌ସୋ ରବାଦା (୧୬*) ଓ ଡେଭିଡ୍‌ ମିଲର (୧୨) ଦୁଇ ଅଙ୍କ ଟପିପାରିଥିଲେ।

ସମ୍ବନ୍ଧିତ ଖବର