କୋହଲିଙ୍କ କ୍ରମାଗତ ଶତକ ବେକାର, ଅଷ୍ଟ୍ରେଲିଆ ୩୨ ରନ୍‌ରେ ଜିତି ଶୃଙ୍ଖଳାରେ ଉଜ୍ଜୀବିତ

ରାଞ୍ଚି: ବିରାଟ କୋହଲିଙ୍କ କ୍ରମାଗତ ଶତକ (୧୨୩, ୯୫ ବଲ, ୧୬ ଚୌକା, ୧ ଛକା) ପୁଣି ବେକାର ଯାଇଛି। ତୃତୀୟ ଦିନିକିଆରେ ସେନା ଟୋପିରେ ଖେଳିଥିବା ଭାରତକୁ ଅଷ୍ଟ୍ରେଲିଆ ୩୨ ରନ୍‌ରେ ହରାଇ ୫ ମ୍ୟାଚ୍‌ ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ତଥାପି ଭାରତ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ଅଷ୍ଟ୍ରେଲିଆର ୩୧୩/୫ ଜବାବରେ ଭାରତ ୨୮୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। କୋହଲି ଓ କୁଲଦୀପଙ୍କ ବିନା ଅନ୍ୟ କାହାରିଠାରୁ ପ୍ରଶଂସନୀୟ ପ୍ରଦର୍ଶନ ନ ମିଳିବା ଭାରତକୁ ଆଗୁଆ ଶୃଙ୍ଖଳା ବିଜୟରୁ ରୋକିଥିଲା। ଶୁକ୍ରବାର ଜେଏସ୍‌ସିଏ ଷ୍ଟାଡିୟମ୍‌ରେ ବିରାଟ କୋହଲି ଟସ୍ ଜିତିଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇ ପଡ଼ିଆକୁ ସଙ୍କଳ୍ପବଦ୍ଧତା ସହ ଆସିଥିଲେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଆରୋନ୍‌ ଫିଞ୍ଚ୍‌ ଏବଂ ଉସମାନ ଖୱାଜା। ପ୍ରଥମ ୪/୫ ଓଭର ଜଗି ରଖି ଖେଳିବା ପରେ ଭାରତୀୟ ବୋଲରଙ୍କୁ ଧୂଲେଇ ଆରମ୍ଭ କରି ଦେଇଥିଲେ। ଖୱାଜାଙ୍କ ଏକ କ୍ୟାଚ୍‌ ଧାୱନ ହାତଛଡ଼ା କରିବା ପରେ ଏହି ଭାଗୀଦାରି ଭୟଙ୍କର ହେବାରେ ଲାଗିଥିଲା। ଫଳରେ ପ୍ରଥମ ୱିକେଟ୍‌ ପାଇଁ ଏମାନେ ୩୧.୫ ଓଭରରେ ୧୯୩ ରନ୍ ଉଠାଇ ବଡ଼ ସ୍କୋର୍ ଲାଗି ମୂଳଦୁଆ ପକାଇଥିଲେ। ୨୨ ଧଳା ବଲ୍ ପାଳିରେ ପ୍ରଥମ ଥର ୫୦ ଟପିଥିବା ଫିଞ୍ଚ୍‌ (୯୩, ୯୯ ବଲ, ୧୦ ଚୌକା, ୩ ଛକା)ଙ୍କୁ ଆଉଟ୍‌ କରି କୁଲଦୀପ ପ୍ରଥମ ସଫଳତା ଦେଇଥିଲେ। ଖୱାଜା (୧୦୪, ୧୧୩ ବଲ, ୧୧ ଚୌକା, ୧ ଛକା) କିନ୍ତୁ ସାମିଙ୍କ ଶିକାର ହେବା ପୂର୍ବରୁ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରି ନେଇଥିଲେ। ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ (୪୭, ୩୧ ବଲ, ୩ ଚୌକା, ୩ ଛକା)ଙ୍କୁ ରନ୍ ଆଉଟ୍ କରି ଜାଦେଜା/ଧୋନି ଭାରତକୁ ଅସଲ ପ୍ରତ୍ୟାବର୍ତନ କରାଇଥିଲେ। ଫଳରେ ଏକଦା ୧ ୱିକେଟ୍‌ରେ ୨୩୯ ରନ୍ କରିଥିବା ଅଷ୍ଟ୍ରେଲିଆ ୨୬୩/୫ରେ ପହଞ୍ଚିଯାଇଥିଲା। ଶେଷକୁ ମାର୍କସ ଷ୍ଟୋଇନିସ (୩୧*, ୨୬ ବଲ, ୪ ଚୌକା) ଏବଂ ଆଲେକ୍ସ କ୍ୟାରି (୨୧*, ୧୭ ବଲ, ୩‌ ଚୌକା) ଶେଷ ୬ ଓଭରରେ ପ୍ରାୟ ୫୦ ରନ୍ ଯୋଡ଼ିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ସମ୍ଭାବ୍ୟ ୩୫୦ ‌ଯୋଜନାକୁ ଭାରତୀୟ ବୋଲର ପଣ୍ଡ କରିବାରେ ସଫଳ ହୋଇଥିଲେ। ଭ୍ରମଣକାରୀ ଦଳ ୩୧୩/୫ରେ ସୀମିତ ରହିଥିଲା। କୁଲଦୀପ ସଫଳ ବୋଲର ଭାବେ ୩ ୱିକେଟ୍ ନେଇଥିଲେ।

ଜବାବରେ ଭାରତ ପୁଣି ଥରେ ଖରାପ ଆରମ୍ଭ କରିଥିଲା। ରୋହିତ ଶର୍ମା (୧୪, ୧୪ ବଲ) ଏବଂ ଶିଖର ଧାୱନ (୧)ଙ୍କ ବିଫଳତା ଚାପ ପକାଇଥିଲା। ଅମ୍ବାତି ରାୟୁଡୁ (୨) କମିନ୍ସଙ୍କ ଦ୍ବିତୀୟ ଶିକାର ହୋଇ ମଧ୍ୟ ନିରାଶ କରିଥିଲେ। ଭାରତ ସପ୍ତମ ଓଭର ବେଳକୁ ୨୭ ରନ୍‌ରେ ୩ ୱିକେଟ୍‌ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ହୋଇଥିବା ଅର୍ଧଶତକୀୟ ଭାଗୀଦାରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲା। ଧୋନି ଏବଂ କେଦାର ଯାଦବ ସମାନ ୨୬ ରନ୍ ଲେଖାଏଁ କରି ଅଦାମ ଜାମ୍ପାଙ୍କ ଶିକାର ହେବା ଭାରତକୁ ପୁଣି ଝଟକା ପହଞ୍ଚାଇଥିଲା। ବିଜୟ ଶଙ୍କର (୩୨, ୩୦ ବଲ) ଏବଂ ରବୀନ୍ଦ୍ର ଜାଦେଜା (୨୪, ୩୧ ବଲ) ଭଲ ଲଢ଼ିଥିଲେ ମଧ୍ୟ ମ୍ୟାଚ୍‌ ଶେଷ କରିବାର କଳା କୌଶଳର ଦୁର୍ବଳତାକୁ ପଦାରେ ପକାଇଥିଲେ। କୋହଲି (୧୨୩, ୯୫ ବଲ, ୧୬ ଚୌକା, ୧ ଛକା) ନିଜ ୪୧ତମ ଶତକକୁ ୮୫ ବଲ୍‌ରୁ ପୂରଣ କରିଥିଲେ। ଆଦାମ ଜାମ୍ପା ପୁଣି ତାଙ୍କୁ ବୋଲଡ୍‌ କରିଦେବା ବେଳେ ଭାରତକୁ ୧୨.୩ ଓଭରରୁ ୯୫ ରନ୍ ଆବଶ୍ୟକ ଥିଲା। ଯାହାକୁ ଶଙ୍କର, ଜାଦେଜା ସଫଳ ରୂପାୟନ କରିବାରେ ବିଫଳ ହୋଇଥିଲେ। ଦୁଇ ଦ୍ରୁତ ବୋଲର କମିନ୍ସ, ରିଚାର୍ଡସନ ଏବଂ ସ୍ପିନର ଜାମ୍ପା ୩ ଲେଖାଏଁ ୱିକେଟ୍‌ ନେଇ ଭାରତକୁ ୧୦ ବଲ୍ ପୂର୍ବରୁ ୨୮୧ ରନ୍‌ରେ ଅଲ୍ ଆଉଟ୍ କରି ଦେଇଥିଲେ। ଘରୋଇ ଦଳ ଶେଷ ୩ ୱିକେଟ୍‌କୁ ୭ ବଲ ୯ ରନ୍‌ରେ ହରାଇ ୩୨ ରନ୍‌ ଦୂରରେ ରହିଯାଇଥିଲା। ଧୋନି, କେଦାର ଯାଦବ ଏବଂ କୋହଲିଙ୍କ ୱିକେଟ୍ ନେଇ ଜାମ୍ପା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଚର୍ଚାରେ ଫିଞ୍ଚ୍‌ ଓ ରୋହିତଙ୍କ ଆଉଟ୍‌

କ୍ରିକେଟ୍‌ରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ବଢ଼ିଥିଲେ ମଧ୍ୟ ଆଉଟ୍‌ ନିଷ୍ପତ୍ତିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଶୁକ୍ରବାର ଏଭଳି ଦୁଇଟି ଆଉଟ୍ ଚର୍ଚାରେ ରହିଥିଲା। ଅଷ୍ଟ୍ରେଲିଆ ପାଳିରେ ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ଭାରତ ପାଳିରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କ ୱିକେଟ୍ ହକ୍ ଆଇ ନଜରରୁ ବି ଖସି ଯାଇଥିଲା। ଅଷ୍ଟ୍ରେଲିଆ ପାଳିର ୩୨ତମ ଓଭରରେ ଫିଞ୍ଚ୍‌ଙ୍କୁ କୁଲଦୀପ ଯାଦବ ଏଲ୍‌ବିଡବୁଲ୍ୟ କରି ଦେଇଥିଲେ। କୁଲ୍‌ଦୀପଙ୍କ ସିଧା ବଲ ଲେଗ୍ ଷ୍ଟମ୍ପ୍‌ ପିଚ୍‌ରେ ପଡ଼ିଥିଲା। କିନ୍ତୁ ବାଉଁସ ହୋଇ ମିଡଲ ଷ୍ଟମ୍ପ୍‌ ଆଡ଼କୁ ଯାଉଥିବା ରିପ୍ଲେରେ‌ ଦେଖିବାକୁ ମିଳିଥିଲା। ଅମ୍ପାୟାର୍ ସାମସୁଦ୍ଦିନ ଆଉଟ୍ ଘୋଷଣା କରିବା ପରେ ଫିଞ୍ଚ୍‌ କିନ୍ତୁ ନିଷ୍ଫଳ ଆବଦେନ କରି ବିଦାୟ ନେଇଥିଲେ। ୯୯ ବଲ୍‌ରୁ ୯୩ ରନ୍ କରିଥିବା ଫିଞ୍ଚ୍‌ ଦ୍ବାଦଶ ଦିନିକିଆ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ୨୨ ସୀମିତ ଓଭର ପାଳି ପରେ ସେ ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ରେ ଭାରତ ପାଳିରେ ରୋହିତ ଶର୍ମାଙ୍କୁ ମଧ୍ୟ ବିବାଦୀୟ ତଥା ଅପ୍ରତ୍ୟାଶିତ ଭାବେ ଆଉଟ୍ ହେବାକୁ ପଡ଼ିଥିଲା। ପ୍ୟାଟ୍ କମିନ୍ସଙ୍କ ଏକ ମିଡଲଷ୍ଟମ୍ପ୍ ଲାଇନ୍ ବଲ୍‌ ରୋହିତ ଶର୍ମାଙ୍କ ବ୍ୟାଟ୍‌ ପ୍ୟାଡ୍ ଛୁଇଁଥିଲା। ଅମ୍ପାୟାର୍ ଆଉଟ୍ ଦେଇନଥିଲେ। ଅଷ୍ଟ୍ରେଲିଆ ରିଭ୍ୟୁ କରିବା ପରେ ମଧ୍ୟ ବଲ୍ ବ୍ୟାଟ୍‌କୁ ପ୍ରଥମେ ଛୁଇଁଥିବା ପ୍ରତୀୟମାନ ହୋଇଥିଲା। କିନ୍ତୁ ହକ୍ ଆଇ ନଜରରେ ଏହା ବି ଖସିଯାଇଥିଲା। ଏହି ଦୁଇ ଆଉଟ୍‌ ପୁଣି ଥରେ ବଲ୍‌ ଟ୍ରାକିଂ ବୈଷୟିକ ବ୍ୟବସ୍ଥା ଉପରେ ବି ପ୍ରଶ୍ନବାଚୀ ଲଗାଇ ଦେଇଛି। ଯାହା ସ୍ପଷ୍ଟ ଓ ନିର୍ଣ୍ଣାୟକ ଚିତ୍ର ଦେଇପାରୁନାହିଁ।

ସମ୍ବନ୍ଧିତ ଖବର