ଦଲୀପ୍‌ ଟ୍ରଫି ସେମିଫାଇନାଲ୍‌ରେ ପଶ୍ଚିମ ଓ ଉତ୍ତରାଞ୍ଚଳ

ଚେନ୍ନାଇ/ପୁଡୁଚେରୀ: ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ଦଳ ଦଲୀପ ଟ୍ରଫି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ପଶ୍ଚିମାଞ୍ଚଳ-ଉତ୍ତର ପୂର୍ବାଞ୍ଚଳ ଏବଂ ପୁଡୁଚେରୀରେ ପୂର୍ବାଞ୍ଚଳ-ଉତ୍ତରାଞ୍ଚଳ କ୍ବାର୍ଟର ଫାଇନାଲ୍‌ ମୁକାବିଲା ରବିବାର ପଞ୍ଚମ ତଥା ଶେଷ ଦିନରେ ଅମୀମାଂସିତ ରହିଥିଲା। ହେଲେ ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ମ୍ୟାଚ୍‌ ଜିତି ନେଇଥିଲେ। ଚେନ୍ନାଇରେ ଅଧିନାୟକ ଆଜିଙ୍କ୍ୟ ରାହାଣେ (୨୦୭*)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ଯଶସ୍ବୀ ଜୟସ୍ବାଲ (୨୨୮)ଙ୍କ ଦ୍ବିଶତକ ଓ ପୃଥ୍ବୀ ସ (୧୧୩)ଙ୍କ ଶତକ ବଳରେ ପଶ୍ଚିମାଞ୍ଚଳ ୫୯୦/୨ରେ ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଉତ୍ତର ପୂର୍ବାଞ୍ଚଳ ପ୍ରଥମ ପାଳି ୨୩୫ ରନ୍‌ରେ ସୀମିତ ରହିଯାଇଥିଲା। ଫଳରେ ପଶ୍ଚିମାଞ୍ଚଳ ପ୍ରଥମ ପାଳିରେ ୩୫୫ ରନ୍‌ର ଅଗ୍ରଣୀ ପାଇଥିଲା। ଏହାପରେ ଅଜିତ ସେଠ୍‌ (୧୦୨*)ଙ୍କ ଅପରାଜିତ ଶତକ ସାଙ୍ଗକୁ ସାମ୍‌ସ ମୁଲାନୀଙ୍କ ୯୭ ରନ୍‌ ବଳରେ ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳିରେ ୨୬୮/୫ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ଘୋଷିତ ହୋଇଥିଲା।

ଅନ୍ୟପକ୍ଷରେ ପୁଡୁଚେରୀରେ ପୂର୍ବାଞ୍ଚଳର ପ୍ରଥମ ପାଳି ସ୍କୋର୍‌ ୩୯୭ ଜବାବରେ ଉତ୍ତରାଞ୍ଚଳ ୟାଶ୍‌ ଧୂଲ୍‌ଙ୍କ ୧୯୩, ଧ୍ରୁବ ସୋରେଙ୍କ ୮୧, ହିମାଂଶୁ ରାଣାଙ୍କ ୮୧ ଓ ଅଧିନାୟକ ମନ୍‌ଦୀପ ସିଂହଙ୍କ ୬୩ ରନ୍‌ ବଳରେ ପ୍ରଥମ ପାଳିରେ ୫୪୫ ରନ୍‌ କରି ୧୪୮ ରନ୍‌ର ଅଗ୍ରଣୀ ହାସଲ କରିନେଇଥିଲା। ସାହବାଜ୍‌ ଅହମ୍ମଦ ୫ ୱିକେଟ୍‌ ସଫଳତା ପାଇଥିଲେ ମଧ୍ୟ ପୂର୍ବାଞ୍ଚଳ ଫାଇଦା ଉଠାଇ ପାରିନଥିଲା। ଏହାପରେ ପୂର୍ବାଞ୍ଚଳ ଦ୍ବିତୀୟ ପାଳିରେ ୧୦୨/୩ କରିଥିଲା ବେଳେ ମ୍ୟାଚ୍‌ ଅମୀମାାଂସିତ ରହିଥିଲା। ଅଭିଷେକ ପୋରେଲ (୫୦*) ଏହି ପାଳିରେ ଅପରାଜିତ ଅର୍ଦ୍ଧଶତକ ଜମାଇଥିଲେ।

ସମ୍ବନ୍ଧିତ ଖବର