ପୂର୍ବାଞ୍ଚଳ ଫୁଟ୍‌ବଲ୍ ଟେନିସ୍ ଆରମ୍ଭ: ଓଡ଼ିଶାର ପ୍ରାଧାନ୍ୟ

ଭୁବନେଶ୍ବର: ସ୍ଥାନୀୟ ମମତାଜ ଅଲୀ ହାଇସ୍କୁଲ୍‌ ପଡ଼ିଆରେ ଶନିବାର ନରେନ୍ଦ୍ର ଜେନା ସ୍ମାରକୀ ପୂର୍ବାଞ୍ଚଳ ଫୁଟ୍‌ବଲ୍ ଟେନିସ୍ ପ୍ରତିଯୋଗିତା ଉଦ୍‌ଘାଟିତ‌ ହୋଇଛି। ପ୍ରଥମ ଦିନ ଓଡ଼ିଶା ପୁରୁଷ ଓ ମହିଳା ଦଳ ଏକତରଫା ବିଜୟ ହାସଲ କରିଛନ୍ତି। ପୁରୁଷ ବର୍ଗରେ ଓଡ଼ିଶା ‘ବି’ ୨-୧ ସେଟ୍‌‌ରେ ଓଡ଼ିଶା ‘ଏ’କୁ ଏବଂ ଓଡ଼ିଶା ‘ଏ’ ୨-୦ରେ ଓଡ଼ିଶା ‘ସି’କୁ ପରାସ୍ତ କରିଥିଲା। ଅନ୍ୟ ଦୁଇ ମ୍ୟାଚ୍‌ରେ ତେଲେଙ୍ଗାନା ଏବଂ ଛତିଶଗଡ଼ ସମାନ ୨-୦ରେ ବିହାରକୁ ପରାସ୍ତ କରିଛନ୍ତି। ମହିଳା ବିଭାଗରେ ଓଡ଼ିଶା ‘ଏ’ ୨-୦ରେ ଓଡ଼ିଶା ‘ବି’କୁ ଏବଂ ଓଡ଼ିଶା ‘ଡି’ ୨-୦ରେ ଓଡ଼ିଶା ‘ସି’କୁ ପରାସ୍ତ କରିଛି। ଏହି ପ୍ରତିଯୋଗିତାକୁ ଶନିବାର ସକାଳେ ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍‌ (ବିଏଏ)ର ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା ଉଦ୍‌ଘାଟନ କରିଥିଲେ। ଭାରତୀୟ ଫୁଟ୍‌ବଲ୍ ଟେନିସ୍ ସଂଘ ସଂଘ ସମ୍ପାଦକ ପି ସୁଗୁମାରନ, ସମାଜସେବୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଉପ ସଭାପତି ସହଦେବ ରାଉତ, ଅନ୍ତର୍ଜାତିକ କ୍ରୀଡ଼ା ପରିଚାଳକ ସୁଜିତ୍ ପାତ୍ର ଉପସ୍ଥିତ ଥିଲେ। ପୁରୁଷରେ ୬ ଏବଂ ମହିଳାରେ ମୋଟ ୪ ଦଳ ଭାଗ ନେଇଛନ୍ତି। ମ୍ୟାଚ୍‌ଗୁଡ଼ିକୁ ସୁଜିତ ପାତ୍ର, ପଞ୍ଚାନନ ବଳ, ଆନ୍ନା କେରକେଟା, ରଶ୍ମିତା ମହାନ୍ତି, ସୁଦାମ ଚରଣ ମିଶ୍ର, ସଞ୍ଜୟ କୁମାର ମଲ୍ଲିକ ପରିଚାଳନା କରିଥିଲେ। ଆୟୋଜକ ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟଙ୍କ ସଂ‌ଯୋଜନାରେ କାର୍ଯ୍ୟକ୍ରମ ଚାଲିଥିଲା। ପୂର୍ବତନ ପ୍ରଧାନଶିକ୍ଷକ ଜଲିଲ୍‌ ଖାନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର