ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍। ଏହାକୁ ନଜରରେ ରଖି ପ୍ରସ୍ତୁତିର ଅଂଶ ବିଶେଷ ଭାବେ ଭାରତ ଆଇପିଏଲ୍ ପରେ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଖସଡ଼ା ପ୍ରସ୍ତୁତ କରିଥିଲା। ଭାରତୀୟ ଦଳର ପ୍ରାୟ ଅଧା ଆଗଧାଡ଼ିର ଖେଳାଳି ଏହି ଶୃଙ୍ଖଳା ପାଇଁ ଉପଲବ୍ଧ ହୋଇନଥିଲେ। ଏପରିକି ଅଧିନାୟକ ରୋହିତ ଶର୍ମା, ଉପ ଅଧିନାୟକ କେଏଲ୍ ରାହୁଲ୍ଙ୍କ ସହ ମୁଖ୍ୟ ବୋଲର୍ ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଖେଳିନଥିଲେ। ତଥାପି ଭାରତ ଦ୍ବିତୀୟ ଶ୍ରେଣୀୟ ଯୁବ ଦଳ ତଥା ଅନଭିଜ୍ଞ ଖେଳାଳିଙ୍କୁ ନେଇ ଶୃଙ୍ଖଳାରେ ଚମତ୍କାର ପ୍ରତ୍ୟାବର୍ତ୍ତନନ କରି ଏହାକୁ ୨-୨ରେ ଶେଷ କରିବାକୁ ସକ୍ଷମ ହୋଇଥିଲା। ତେବେ ବିଶ୍ବକପ୍ ପୂର୍ବରୁ ଭାରତକୁ ଏହି ଶୃଙ୍ଖଳାରୁ କ’ଣ ସବୁ ସକରାତ୍ମକ ଦିଗ ମିଳିଲା ଆସନ୍ତୁ ତା ଉପରେ ନଜର ପକାଇନେବା।
ଶୀର୍ଷକ୍ରମରେ ବାମହାତୀ ଆବଶ୍ୟକ
ଭାରତ ସମ୍ପୂର୍ଣ୍ଣ ୨୦ ଓଭର ସାରା ବିସ୍ଫୋରକ ବ୍ୟାଟିଂ କରିବାର ଆବଶ୍ୟକତା ରଖୁଛି ଏବଂ ଏଭଳି କରିବାକୁ ମଧ୍ୟ ପ୍ରୟାସ କରୁଛି। ଦୁଇ ଜଣ ଡାହାଣହାତୀ ପ୍ରାରମ୍ଭିକ ବ୍ୟାଟରଙ୍କ ପରିବର୍ତ୍ତେ ବାମ-ଡାହାଣ ଖେଳିବାରୁ ଦଳକୁ ଫାଇଦା ମିଳିଥାଏ। ଏ କ୍ଷେତ୍ରରେ ଈଶାନ କିଶନଙ୍କ ଉପସ୍ଥିତି ମଜାଦାର ସୁଯୋଗ ଆଣିଛି। ଲେଗ୍ସ୍ପିନର୍ ଓ ବାମହାତୀ ସ୍ପିନରଙ୍କ ବିପକ୍ଷରେ ମଧ୍ୟ ସେ ଭଲ ଖେଳୁଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ କେଶବ ମହାରାଜଙ୍କ ବିପକ୍ଷରେ ଈଶାନ ୨୫ ବଲ୍ରୁ ୬୭ ରନ୍ କରିଥିଲେ। ପେସ୍ ବୋଲିଂ ବିପକ୍ଷରେ ସେ ୧୧୭.୩୫ ଷ୍ଟ୍ରାଇକ ରେଟ୍ରେ ଏବଂ ସ୍ପିନ୍ ବିପକ୍ଷରେ ୨୩୩.୩୩ ରେ ବ୍ୟାଟିଂ କରିଛନ୍ତି। ଏହି ଶୃଙ୍ଖଳାରେ କିଶନ ଥରେ ମାତ୍ର ପାୱାର ପ୍ଲେ ଭିତରେ ଆଉଟ୍ ହୋଇଥିଲେ ତା ପୁଣି ବର୍ଷାବାଧାପ୍ରାପ୍ତ ଶେଷ ମ୍ୟାଚ୍ରେ। ସର୍ବାଧିକ ଚୌକା-ଛକା (୨୧-୧୧) ମଧ୍ୟ କିଶନ ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର୍ଙ୍କ ଶୀର୍ଷ ୫ ଷ୍ଟ୍ରାଇକ୍ ରେଟ୍ରେ ରହିଥିଲେ।
୩ ନମ୍ବର ସ୍ଥାନର ଗୁରୁତ୍ବ
ଗୋଟିଏ ଶୃଙ୍ଖଳା ଭିତ୍ତିରେ ଖେଳାଳିଙ୍କ ପ୍ରଦର୍ଶନକୁ ମାପିବାକୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମନା କରି ଦେଇଛନ୍ତି। ଶ୍ରେୟସ ଆୟର କିନ୍ତୁ ଏହି ଶୃଙ୍ଖଳାରେ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛନ୍ତି। ବିଶ୍ବକପ୍ ବେଳକୁ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ୍ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ଶ୍ରେୟସ ଆୟର୍ ୩ ନମ୍ବର ସ୍ଥାନରେ ଖେଳିବାର ଦାବିଦାର ରହିଥିଲେ। ଯଦିଓ ବିରାଟ କୋହଲି ଅଛନ୍ତି ସେ ତାଙ୍କ ବିକଳ୍ପ ଉଭା ହୋଇପାରିଥାନ୍ତେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆୟର ଅତ୍ୟନ୍ତ ଖରାପ ଖେଳିଥିଲେ। ପେସ୍ ହେଉ ସହ ସ୍ପିନ୍ ବିପକ୍ଷରେ ଆୟର ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆରେ ମିଳିବାକୁ ଥିବା ଅତିରିକ୍ତ ବାଉନ୍ସ ଶୀର୍ଷକ୍ରମ ବ୍ୟାଟରଙ୍କ ପାଇଁ ଅଧିକ ଆହ୍ବାନ ଆଣିବ। ଏଥି ପାଇଁ ଆୟର ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆୟର ପେସ୍ ବିପକ୍ଷରେ ୮୫.୭୧ ଏବଂ ସ୍ପିନ୍ ବିପକ୍ଷରେ ୧୯୨.୫୯ ଷ୍ଟ୍ରାଇକ୍ ରେଟ୍ରେ ଖେଳିଥିଲେ।
ଦୀନେଶ କାର୍ତ୍ତିକଙ୍କ ପୁନଃଆବିର୍ଭାବ
ଭାରତୀୟ ଦଳକୁ ଦୀନେଶ କାର୍ତ୍ତିକଙ୍କ ପ୍ରତ୍ୟାବର୍ତ୍ତନ ତାଙ୍କ ଖେଳରେ ଏବେ ବି ଚମକ ଥିବାର ପ୍ରମାଣ ଦେଇଛି। ତାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ସନ୍ତୁଷ୍ଟ କରିଛି। ବିଶେଷ କରି କଟକର କଷ୍ଟକର ପିଚ୍ରେ କାର୍ତ୍ତିକ ଏକଦା ୧୪ ବଲ୍ରୁ ୮ ରନ୍ କରିଥିବାବେଳେ ଶେଷକୁ ୨୧ ବଲ୍ରୁ ୩୦* କରି ଦଳକୁ ସମ୍ମାନଜନକ ସ୍କୋର୍ ଦେଇଥିଲେ। ଅର୍ଥାତ୍ ସେ ଶେଷ ୭ ବଲ୍ରୁ ୨୨ ରନ୍ କରିଥିଲେ। ରାଜକୋଟରେ ମଧ୍ୟ ଡେଥ୍ ଓଭର ବେଳକୁ ଚମତ୍କାର ବ୍ୟାଟିଂ କରି ୨୭ ବଲ୍ରୁ ୫୫ ରନ୍ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେଠାରେ କାର୍ତ୍ତିକ ପେସ୍ ବୋଲିଂ ବିପକ୍ଷରେ ୧୬ ବଲ୍ରୁ ୩୬ ରନ୍ ଆଦାୟ କରିଥିଲେ। କାର୍ତ୍ତିକଙ୍କ ପୁନଃଆବିର୍ଭାବ ସନ୍ତୋଷଜନକ ଥିଲେ ବି ବିଶ୍ବକପ୍ ବେଳେ ତାଙ୍କୁ ସାମିଲ କରିବା ଏକ ଜଟିଳ ପରିସ୍ଥିତିର ଆଶଙ୍କା ରଖିଛି। ଅଷ୍ଟ୍ରେଲିଆରେ ୬ ଓ ୭ ନମ୍ବର ସ୍ଥାନରେ ଅକ୍ଷର ପଟେଲ୍ କିମ୍ବା ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବା ଯୋଜନା ରହିପାରେ। ଭାରତର ୫ ବୋଲର ଯୋଜନାରେ ହାର୍ଦିକ ପାଣ୍ଡ୍ୟା ରହୁଥିବାରୁ ଏହି ଅସୁବିଧା ହେବ। ଋଷଭ ପନ୍ତ୍ଙ୍କ ବଦଳରେ କାର୍ତ୍ତିକଙ୍କୁ ପ୍ରଥମ ପସନ୍ଦ ୱିକେଟ୍ରକ୍ଷକ କରାଯିବାର ଆଶା ମଧ୍ୟ କ୍ଷୀଣ।
ଋଷଭ ପନ୍ତ୍ଙ୍କ ଅସଲ ମୂଲ୍ୟ
ଋଷଭ ପନ୍ତ୍ ହେଉଛନ୍ତି ଭାରତୀୟ ଦଳର ଅନ୍ୟତମ ଅଲ୍ ଫର୍ମାଟ୍ ଖେଳାଳି। ଏବେ ପୂର୍ଣ୍ଣକାଳୀନ ଆଇପିଏଲ୍ ଅଧିନାୟକ। ଟ୍ବେଣ୍ଟି-୨୦ରେ କିନ୍ତୁ ତାଙ୍କ ପ୍ରଦର୍ଶନ କ୍ରମେ ନିମ୍ନମୁଖା ହୋଇଛି। ଅଦ୍ୟାବଧି ୪୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପନ୍ତ୍ ୨୩.୧୫ ହାରାହାରି ଓ ୧୨୩.୯୧ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଛନ୍ତି। ସଦ୍ୟ ସମାପ୍ତ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପନ୍ତ୍ ଅତ୍ୟନ୍ତ ଖରାପ ଖେଳି ୧୪.୫୦ ହାରରେ ବ୍ୟାଟିଂ କରିଛନ୍ତି। ପନ୍ତ୍ଙ୍କ ଏସବୁ ନିରାଶାଜନକ ସଂଖ୍ୟା ତାଙ୍କ ସ୍ଥାନକୁ କ୍ରମେ ଅସୁରକ୍ଷିତ କରୁଥିବା ଆଶଙ୍କା ଆସୁଥିଲେ ମଧ୍ୟ ପ୍ରଶିକ୍ଷକ ରାହୁଲ୍ ଦ୍ରାବିଡ଼ କହିଛନ୍ତି ‘ସେ ନିଶ୍ଚିତ ଭାବେ ଆମ ଯୋଜନାର ବଡ଼ ଅଂଶବିଶେଷ’। ଆଇପିଏଲ୍ରେ ସେ ଭଲ କରିଥିଲେ, ହାରାହାରିରେ ଏହା ପ୍ରତିଫଳିତ ହୋଇପାରିନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍ରେ କିନ୍ତୁ ତାଙ୍କଠାରୁ ନିଶ୍ଚିତ ଭିନ୍ନ ପ୍ରଦର୍ଶନ ମିଳିବ ବୋଲି ଦ୍ରାବିଡ଼ ଆଶା କରିଛନ୍ତି। ୨୦୧୯ ଋତୁରେ ପନ୍ତ୍ ୧୬୨.୬୬ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଥିଲେ ମଧ୍ୟ ପରବର୍ତୀ ଦୁଇ ଋତୁରେ ଯଥାକ୍ରମେ ୧୧୩.୯୫ ଓ ୧୨୮.୫୨କୁ ଖସି ଆସିଛନ୍ତି। ପାଳିର ମଧ୍ୟକ୍ରମରେ ସେ ତାଙ୍କ ଦୁର୍ବଳତା ଦୂର କରିଦେବେ ବୋଲି ଦ୍ରାବିଡ଼ ମଧ୍ୟ ଆଶାବାଦୀ ରହିଛନ୍ତି।
ଭୁବନେଶ୍ବରଙ୍କ ପାୱାର ପ୍ଲେ
କଟକ ଏବଂ ବିଶାଖାପାଟଣାରେ ଭୁବନେଶ୍ବର କୁମାର ପାୱାର ପ୍ଲେ ଭିତରେ ଚମତ୍କାର ବୋଲିଂ କରିଥିଲେ। ତାଙ୍କ ବୋଲିଂକୁ ଖେଳିବାକୁ ଶକ୍ତିଶାଳୀ ବ୍ୟାଟିଂ କ୍ଷମତା ରଖିଥିବା ଦକ୍ଷିଣ ଆଫ୍ରିକା ସଂଘର୍ଷ କରିଥିଲା। କଟକରେ ପ୍ରଥମ ୩ ୱିକେଟ୍ ନେଇଥିଲେ। ବିଶାଖାପାଟଣାରେ ପାୱାର ପ୍ଲେ ଭିତରେ ଭୁବନେଶ୍ବର କୁମାର ୩/୧୦ ଚିତ୍ର ସହ ବିଜୟ ବାଟ ଦେଖାଇଥିଲେ। ସୁଇଙ୍ଗ୍ ଓ ବିବିଧତାରେ ଭୁବନେଶ୍ବର ମଧ୍ୟ ନିଜକୁ ପ୍ରମାଣିତ କରିଥିଲେ। ବିଶ୍ବକପ୍ ବେଳକୁ ସେ ବୁମ୍ରା ଓ ହର୍ଷଲ ପଟେଲଙ୍କ ଉପରୁ ବୋଝ କମାଇବା ସୁଯୋଗ ଆଣିଛନ୍ତି। ୨୦୨୧ ମସିହା ପରଠାରୁ ଭୁବି ପାୱର ପ୍ଲେ ଭିତରେ ୪୧ ମ୍ୟାଚ୍ରୁ ସର୍ବାଧିକ ୧୨ ୱିକେଟ୍ ନେଇ ଶୀର୍ଷରେ ରହିଛନ୍ତି। ବୁମ୍ରା ୧୩ରୁ ୪, ଅଭେସ୍ ୯ରୁ ୩, ସାମି ୮ରୁ ୨, ହର୍ଷଲ ୬ରୁ ୨ ୱିକେଟ୍ ନେଇ ବହୁ ପଛରେ ପଡ଼ିଛନ୍ତି। ଏପରିକି ଇକୋନୋମିରେ ମଧ୍ୟ ସେ ଆଗରେ ରହିଛନ୍ତି। ‘ସମ୍ପୂର୍ଣ୍ଣ ଶୃଙ୍ଖଳାରେ ଭୁବନେଶ୍ବର କୁମାର ସ୍ବତନ୍ତ୍ର ଥିଲେ, ପାୱାର ପ୍ଲେ ସାରା ସେ ଆମକୁ ଚାପରେ ରଖୁଥିଲେ’ ବୋଲି ମଧ୍ୟ ସ୍ବୀକାର କରିଛନ୍ତି ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର୍। ଭୁବନେଶ୍ବର ମଧ୍ୟ ଏହି ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।