ନୂଆଦିଲ୍ଲୀ: ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବା ପରେ ଭାରତୀୟ କ୍ରକେଟର୍ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ରହିଛି। ଯଦିଓ ସେ ୨୦୨୭ରେ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି; ତଥାପି ସେ ପରବର୍ତ୍ତୀ ଓଡିଆଇ ବିଶ୍ବକପ୍ ରେ ଭାରତ ପାଇଁ ଖେଳିପାରିବେ କି ନାହିଁ ତାହା ଅନିଶ୍ଚିତ। ତେବେ ଏବେ ସୋସିଆଲ୍ ମିଡିଆରେ କିନ୍ତୁ ଆଇପିଏଲ୍କୁ ନେଇ ଏକ ଚର୍ଚ୍ଚା ଜୋର୍ ଧରିଛି।
ସୋସିଆଲ ମିଡିଆରେ ଗୁଜବ ଉଠିଛି ଯେ କିଙ୍ଗ୍ କୋହଲି ଆସନ୍ତା ବର୍ଷ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆର୍ସିବିର ବାଣିଜ୍ୟିକ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କିଛି ପ୍ରଶଂସକ ଅନୁମାନ କରୁଛନ୍ତି ଯେ କୋହଲି ଫ୍ରାଞ୍ଚାଇଜ୍ ଛାଡିବାର ସମ୍ଭାବନା ଅଛି। ତେବେ ଏନେଇ କୋହଲିଙ୍କଠାରୁ କୌଣସି ବୟାନ ରେକର୍ଡ କରାଯାଇନାହିଁ।
ଯଦି ପୂର୍ବତନ ଭାରତୀୟ କ୍ରିକେଟର୍ ମହମ୍ମଦ କୈଫଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ କୋହଲି ଆଇପିଏଲ୍ରେ ଆର୍ସିବି ପାଇଁ ଖେଳିବାର ଦେଖାଯିବେ। କୈଫଙ୍କ ଅନୁଯାୟୀ, ଏହା ସତ୍ୟ ଯେ କୋହଲି ଆର୍ସିବି ସହିତ ଏକ ନୂତନ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିନାହାଁନ୍ତି, କିନ୍ତୁ ଏହା ତାଙ୍କ ଚୁକ୍ତିରେ ବାଧା ସୃଷ୍ଟି କରେ ନାହିଁ।
ମହମ୍ମଦ କୈଫ୍ ଏକ ଭିଡିଓରେ କହିଛନ୍ତି, "ବିରାଟ କୋହଲି କ'ଣ ଆଇପିଏଲ୍ରୁ ଅବସର ନେଉଛନ୍ତି? ନା, ବନ୍ଧୁଗଣ ବିରାଟ କୋହଲି ବେଙ୍ଗାଲୁରୁ ପାଇଁ ତାଙ୍କର ପ୍ରଥମ ଏବଂ ଶେଷ ମ୍ୟାଚ୍ ଖେଳିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ କେବେ ବି ପଛକୁ ହଟିବେ ନାହିଁ। କିନ୍ତୁ ଲୋକମାନେ କହୁଛନ୍ତି ଯେ ସେ ଏକ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିନାହାଁନ୍ତି। ଦୁଇଟି ଚୁକ୍ତି ଅଛି। ଏକ ଖେଳାଳି ଚୁକ୍ତି ଏବଂ ଏକ ବାଣିଜ୍ୟିକ ଚୁକ୍ତି।"
ମହମ୍ମଦ କୈଫ୍ ଆହୁରି କହିଛନ୍ତି, "ସେ ଏକ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିନାହାଁନ୍ତି; କାରଣ ସେ ଭାବନ୍ତି ଯେ ଆର୍ସିବି ଏକ ନୂତନ ମାଲିକ ପାଇପାରେ। ସେମାନେ ଫ୍ରାଞ୍ଚାଇଜିକୁ ନିୟନ୍ତ୍ରଣ କରିବେ। ତେଣୁ ସେ ଅପେକ୍ଷା କରିଛନ୍ତି। ଯଦି କୌଣସି ପରିବର୍ତ୍ତନ ହୁଏ, ତେବେ ଆଲୋଚନା ହେବ। ଏଗୁଡ଼ିକ ସବୁ ପରଦା ପଛରେ ଥିବା କଥା, ଆମେ ସେଗୁଡ଼ିକ ବିଷୟରେ ଅଧିକ ଜାଣି ନାହୁଁ। ସେ ଏସବୁ ଘଟିବାକୁ ଅପେକ୍ଷା କରିଛନ୍ତି।"